ଶିକ୍ଷାନୁଷ୍ଠାନରେ ଲଜ୍ଜା: ବିନାୟକ ଆଚାର୍ଯ୍ୟ କଲେଜ ନବାଗତାଙ୍କ ରାଗିଂ ଭିଡିଓ ଭାଇରାଲ୍

ମୁଖ୍ୟ ଅଭିଯୁକ୍ତ +୩ ଶେଷବର୍ଷ ଛାତ୍ରଙ୍କ ସମେତ ୨ ଗିରଫ, ୩ ଛାତ୍ର ଅଟକ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏକ ଲଜ୍ଜାଜନକ ଘଟଣା ସବୁ ମହଲକୁ ଆନ୍ଦୋଳିତ କରିଛି। ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଜଣେ ନବାଗତା ଛାତ୍ରୀଙ୍କୁ ବରିଷ୍ଠ ଛାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ସମକ୍ଷରେ ହାତରେ ଏକ ପିଭିସି ପାଇପ୍‌ ଖଣ୍ଡ ଧରି ଅତି କଦର୍ଯ୍ୟ ବ୍ୟବହାର କରି ରାଗିଂ କରୁଥିବା ଓ ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରିବାକୁ ଅନ୍ୟ ସିନିୟର୍‌ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଥିବା ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଛାତ୍ରୀ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ବ୍ୟାଗ୍‌ ଏବଂ ମୋବାଇଲ୍ ଛଡ଼ାଇ ନେଉଥିବା, ଅନ୍ୟ ଜଣେ ଛାତ୍ରଙ୍କୁ ସେହି ଛାତ୍ରୀଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରେମ ନିବେଦନ କରିବା ଓ ହାତକୁ ଚୁମ୍ବନ କରିବାକୁ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଥିବା ଏବଂ ଛାତ୍ରୀଙ୍କ ହାତ ଓ ମୁଣ୍ଡକୁ ଜବରଦସ୍ତି ଟାଣି କ୍ୟାମେରା ଆଡ଼କୁ ମୁହଁ କରିବାକୁ ତାଗିଦ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ କିଛି ଛାତ୍ରଛାତ୍ରୀ ଏହାର ମଜା ନେଉଥିବା ଭଳି ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।

ଖବର ପାଇ ବ୍ରହ୍ମପୁର ଏସ୍‌.ପିଙ୍କ ନିର୍ଦ୍ଦେଶରେ ବଡ଼ବଜାର ଥାନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ୩ଜଣ ନାବାଳକ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଗିରଫ ଦୁହେଁ ହେଲେ ଉକ୍ତ ମହାବିଦ୍ୟାଳୟର +୩ ଶେଷ ବର୍ଷ କଳା ଛାତ୍ର ଅଭିଷେକ ନାହାକ (୨୪), ଘର ହରିଡ଼ାଖଣ୍ଡି ଶାନ୍ତି ନଗର ଓ ବବୁଲୁ ପଣ୍ଡା (୧୮)। ଏ ନେଇ ଥାନାରେ ଏକ ମାମଲା (୩୦୮/୨୦୨୨) ରୁଜୁ ହୋଇଛି। ଦୁଇ ଗିରଫ ଛାତ୍ରଙ୍କୁ କଲେଜରୁ ବିତାଡ଼ିତ କରିବା ଏବଂ ଅନ୍ୟ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ବର୍ଷ ପାଇଁ ନିଲମ୍ବିତ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯିବ ବୋଲି ଏସ୍‌.ପି ଡା. ଶରବଣା ବିବେକ୍ ଏମ୍‌. ଆଜି ଏକ ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ଗିରଫ ଦୁଇ ଛାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଛାତ୍ରୀ ଜଣକ ଚଳିତ ବର୍ଷ ବିନାୟକ ଆଚାର୍ଯ୍ୟ କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଛନ୍ତି। ଗିରଫ ଅଭିଯୁକ୍ତ ଅଭିଷେକ ପୂର୍ବରୁ ଏକ ଅପରାଧିକ ମାମଲାରେ ଗିରଫ ହୋଇଥିଲା। ଗତକାଲି ସେ ଅନ୍ୟ ସହଯୋଗୀଙ୍କ ସହ କଲେଜ ପରିସରରେ ଛାତ୍ରୀଜଣଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଏଭଳି କାଣ୍ଡ ଘଟାଇଥିଲା। ପୁଣି ତାର ଭିଡିଓ ରେକର୍ଡ଼ିଂ କରିବାକୁ ମଧ୍ୟ ସହପାଠୀଙ୍କୁ କହିଥିଲା। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରାଗିଂକୁ ନିଷେଧ କରାଯାଇଥିବା ବେଳେ ଆଣ୍ଟିରାଗିଂ ସେଲ୍ ଗଠନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଯଦି ଆଣ୍ଟିରାଗିଂ ସେଲ୍ କୌଣସି ପଦକ୍ଷେପ ନେଉନାହିଁ ତେ‌ବେ ନିକଟସ୍ଥ ପୁଲିସ ଥାନା କିମ୍ବା ୧୧୨ ନମ୍ବରରେ କଲ୍ କରି ଜଣାଇ ପାରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏଥିସହ ଆଜି କଲେଜ ଛୁଟିଥିବା ବେଳେ ଆସନ୍ତାକାଲି କଲେଜକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପୁଲିସ ଘଟଣାର ଅଧିକ ତଦନ୍ତ କରିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର