ରାହାଡ଼ପୁର ପାହାଡ଼ ମାପଚୁପ ଆଜି: ୨୦୦ କୋଟି କଳାପଥରର ଗୁମର ଖୋଲିବ ତ?

ଯାଜପୁର: ଆସନ୍ତାକ‌ାଲି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ କଳାପଥର ଖାଦାନର ମାପଚୁପ ହେବ। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ‘ମାଇଁ ୱାର୍ଲଡ୍‌’ ପକ୍ଷରୁ ​ଡ୍ରୋନ୍‌ କ୍ୟାମେରା ସହାୟତାରେ ୫ ବର୍ଷ ପାଇଁ ଲିଜ୍‌ ନେଇଥିବା ପ୍ରହଲ୍ଲାଦ ଲେଙ୍କା ଖାଦାନରେ କେତେ ଖନନ ହୋଇଛି ମପାଯିବ। ଏହି ଖାଦାନରୁ ୨ଶହ କୋଟି ଟଙ୍କାର ବେଆଇନ କଳାପଥର ଚାଲାଣ ହୋଇଥିବା ଅଭିଯୋଗ ହେଉଛି। ମାତ୍ର, ଲିଜ୍‌ଧାରୀ ଶ୍ରୀ ଲେଙ୍କା ଏହି ଅଭିଯୋଗକୁ ଅସ୍ବୀକାର କରୁଛନ୍ତି। ସେହିପରି ଶ୍ରୀ ଲେଙ୍କାଙ୍କ ଲିଜ୍‌ ଖାଦାନ ସୀମାକୁ ଲାଗି ରହିଥିବା ଅନ୍ୟ ୩ଜଣ ନୂତନ ଲିଜ୍‌ଧାରୀଙ୍କ ଅଞ୍ଚଳରୁ ପ୍ରାୟ ୬.୫ଲକ୍ଷ ଘନମିଟର କଳାପଥର ଚୋରା ଚାଲାଣ ହୋଇଥିବା ତହସିଲରେ ଅଭିଯୋଗ ହୋଇଥିଲା। ଯାହାର ମୂଲ୍ୟ ୨୦କୋଟି ଟଙ୍କାରୁ ଅଧିକ।

ଅଭିଯୋଗ ଅନୁଯାୟୀ, ରାହାଡ଼ପୁର ପାହାଡ଼ରୁ ସବୁଠାରୁ ଅଧିକ ବେଆଇନ୍ କଳାପଥର ଖନନ ହୋଇଛି। ଏହି ଖାଦାନରେ ଗଭୀର ଗାଡ଼ ସୃଷ୍ଟି କରାଯାଇ ପ୍ରାୟ ୧.୫ କୋଟି ଘନମିଟର କଳାପଥର ଚୋରାଚାଲାଣ ହୋଇଛି। ଯାହାକି ଖାଦାନ ଗାଡ଼ଗୁଡ଼ିକ ମଝିରେ ସ୍ତମ୍ଭ ଭଳି ଛିଡ଼ା ହୋଇଥିବା ପଥର କାନ୍ଥରୁ ସ୍ପ‌ଷ୍ଟ ବାରି ହୋଇପଡୁଛି। ରାହାଡ଼ପୁର ପାହାଡ଼ରୁ କଳାପଥର ଏକାଧିକ ମେଗା କ୍ରସର ଓ ୧୬ ନମ୍ବର ଜାତୀୟ ରାଜପଥ(ଚଣ୍ଡିଖୋଲ- ଭଦ୍ରକ)ର ନିର୍ମାଣ ପାଇଁ ଡିବିଏଲ୍‌ କମ୍ପାନି ନେଇଛି। ଏହି ରାସ୍ତାରେ କେତେ ଲଘୁଖଣିଜ ସମ୍ପଦ ବ୍ୟବହାର କରାଯାଇଛି? ତାହାର ତଥ୍ୟ ଅଧିକାରୀ ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି। କଳାପଥର ବାବଦରେ କେ‌ତେ କୋଟି ଟଙ୍କା ଦେଣନେଣ ହୋଇଛି? ତାହାର ତଦନ୍ତ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା କଲେ ଅତି ସହଜରେ କେଳେଙ୍କାରୀ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର