ଚଢ଼େଇଧରା: ଧର୍ମଶାଳା ତହସିଲ ଜେନାପୁର ଥାନା ଅଧୀନ ରାହାଡ଼ପୁର ପାହାଡ଼କୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ଧାରଣା ଲଢ଼େଇ ଜାରି ରହିଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିପକ୍ଷବାଦୀଙ୍କ ଧାରଣାକୁ ବିରୋଧ କରି ଦୁଇଶହରୁ ଅଧିକ ଶ୍ରମିକ ସ୍ଥାନୀୟ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ଶହଶହ ଲୋକ ପାହାଡ଼ ତଳେ ଏକଜୁଟ ହୋଇ ପାହାଡ଼ ଖନନକୁ ବିରୋଧ କରିଥିବା ଲୋକଙ୍କୁ ଭର୍ତ୍ସନା କରିଛନ୍ତି। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଯାହାର ପୁଅ ନାହିଁ ତା ପୁଅ କିଡନି ରୋଗାକ୍ରାନ୍ତ କହୁଥିବା ବେଳେ ଯାହାର ଜମି ନାହିଁ ତା’ର ଜମି ପଡ଼ିଆ ହୋଇଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିବା ସପକ୍ଷବାଦୀ ଲୋକେ ବିପକ୍ଷ ଗୋଷ୍ଠୀକୁ ତାଚ୍ଛଲ୍ୟ କରିଥିଲେ। ସ୍ଥାନୀୟ ଦୁଇ ପଞ୍ଚାୟତର ସରପଞ୍ଚ ତଥା ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ପାହାଡ଼ ଖନନକୁ ବିରୋଧ କରି ଧାରଣା ଦେଇଥିବା ଗୋଷ୍ଠୀଙ୍କୁ  ବିରୋଧ କରି କହିଛନ୍ତି ଯେ ସେମାନେ କେବଳ ଚାନ୍ଦା ଓ ପାହାଡ଼ରେ ଖାଦାନ  କରିବା ପାଇଁ ଲିଜ୍‌ଧାରୀଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଏହି ପନ୍ଥା ଆପଣାଇଛନ୍ତି। ପାହାଡ଼ରେ ଆଦୌ ୱାଗନ ବ୍ଲାଷ୍ଟିଙ୍ଗ ହେଉ ନାହିଁ କି ହେବାର ନାହିଁ ମଧ୍ୟ। ପ୍ରାଶାସନିକ ଅଧିକାରୀଙ୍କ ତତ୍ତ୍ଵାବଧାନରେ କାମ ହେଉଛି। ତେଣୁ ବେଆଇନ୍ କାର୍ଯ୍ୟ ହେଲା କିପରି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ପାହାଡ଼ର ସମସ୍ତ ସୈରାତ ଲିଜ୍‌ ଦିଆଯାଇଛି।

Advertisment

ଅପରପକ୍ଷରେ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶ୍ରମିକଙ୍କ ଶ୍ରମ ଦିବସ ବଳି ପଡ଼ିଯାଉ ଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପାହାଡ଼ ଏ ଅଞ୍ଚଳର ଆର୍ଥିକ ବ୍ୟବସ୍ଥାକୁ ବଳ ଯୋଗାଉଥିବା ବେଳେ ଏହା ବନ୍ଦ ହେବା ଫଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୁର୍ବଳ ହେଉଛି ବୋଲି ସେମାନଙ୍କ ମତ। ତେଣୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି। ଅନ୍ୟପଟେ ତହସିଲଦାର, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅବଗତ କରାଇବା ଓ ଆନ୍ଦୋଳନ ଲାଗି ଚେତାବନୀ ଦେବା ପରେ ମଧ୍ୟ ପାହାଡ଼ରେ ବେଆଇନ ଖନନ ଜାରି ରହିବା ଏବଂ ଅଭିଯୋଗ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରତିବାଦ କରୁଥିବା ଗୋଷ୍ଠୀର ସଭ୍ୟମାନେ କହିଛନ୍ତି। ଉଭୟ ଗୋଷ୍ଠୀର ଧାରଣା ଓ ପ୍ରତିବାଦ ମଧ୍ୟରେ ପାହାଡ଼ରେ ଖନନ ଓ ପରିବହନ ଚାଲୁରହିଛି।