ବୌଦ୍ଧ: ପୁରୁଷ ହକି ବିଶ୍ବକପ୍‌ ଓ ବୌଦ୍ଧ ଜିଲ୍ଲା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଉଭୟ ଉତ୍ସବକୁ ଏକାଠି ପାଳନ କରିବା ନିଷ୍ପତ୍ତି ‌ହୋଇଛି। ବୁଧବାର ସକାଳେ ଏଥିପାଇଁ ବୌଦ୍ଧ ସହରରେ ‘ରାହାଗିରି’ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ରାଜ୍ୟର ହକି ଉତ୍ସବରେ ବଉଦିଆ ମହକ ଦେଖାଯାଇଥିଲା। ରାହାଗିରି ପାଇଁ ପୋଷ୍ଟ ଅଫିସ ଛକରୁ ହାତୀଶାଳ ଛକ ପର୍ଯ୍ୟନ୍ତ ରାସ୍ତାକୁ ପ୍ରସ୍ତୁତ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସଂଗଠନର ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ଠାଏ ଠାଏ ସାଂସ୍କୃତିକ କାର୍ଯ୍ୟକ୍ରମ, କଳା ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ସହ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉତ୍ସବରେ ସାମିଲ ହୋଇଥିଲେ। ପୋଷ୍ଟ ଅଫିସ ଛକରେ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀମାନେ ଗାଁ ହ‌ାଟ ପ୍ରଦର୍ଶନ କରିଥିଲେ। ବିଭିନ୍ନ ପରିବା ରଖି ବିକ୍ରି କରିବା ସହ ଝାଲ୍‌ ମୁଢ଼ି ବିକ୍ରି କରୁଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ଓ ଏସପି ଶ୍ରୀ ମୀନା ଝାଲ୍‌ ମୁଢ଼ି କିଣି ସାଙ୍ଗରେ ଥିବା ଅଧିକାରୀଙ୍କୁ ଖାଇବାକୁ ଦେଇଥିଲେ।

Advertisment

publive-image

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ପାଠ୍ୟ ପୁସ୍ତକ ବିକ୍ରି କରୁଥିବା ଜେଡି ହାଇସ୍କୁଲର ଛାତ୍ରଙ୍କ ପାଖରୁ ଜିଲ୍ଲାପାଳ ବହି କିଣିଥିଲେ। ଜେଡି ହାଇସ୍କୁଲର ଛାତ୍ରମାନେ ବିଭିନ୍ନ ମୁଦ୍ରାରେ ଯୋଗାଭ୍ୟାସ କରୁଥିଲେ। ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଭାରତ ମାତା ନୃତ୍ୟ, କେସିଓରେ ସଙ୍ଗୀତ ବାଦନ, ଯୋଗାଭ୍ୟାସ, ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ, ଦେଶାତ୍ମବୋଧକ ଚିତ୍ରାଙ୍କନ, ଲାଠି ଚାଳନା ମାଧ୍ୟମରେ ଆତ୍ମ ସୁରକ୍ଷା ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ବୌଦ୍ଧ ପଞ୍ଚାୟତ କଲେଜର ଛାତ୍ରୀମାନେ ଝୋଟି, ରଙ୍ଗୋଲି, ଚିତ୍ରାଙ୍କନ, ମାରୱାଡ଼ି ମଞ୍ଚର ରଙ୍ଗୋଲି ସମସ୍ତଙ୍କୁ ଆକର୍ଷିତ କରିଥିଲା। ମର୍ଜୁାକୁଦ ସେତୁ ମୁଖାଶାଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

publive-image

ଦୀପ୍ତିମୟୀଙ୍କ ହିନ୍ଦୀ ଗୀତ ଓ ମାଧବ ବେହେରାଙ୍କ ‘ବଉଦ ମାଟିର ଛୁଆ, ଆମେ ବଉଦିଆ’ ଗୀତରେ ସମସ୍ତେ ଝୁମି ଉଠିଥିଲେ। ସେହିପରି ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀଙ୍କ ଦୁର୍ଗା ସ୍ତ୍ରୋତ୍ରରେ ନ୍ୟଟ୍ୟାଭିନୟ ସମସ୍ତଙ୍କୁ ଅଭିଭୂତ କରିଥିଲା। ଜିଲ୍ଲା ତାଇକୋଣ୍ଡୋ ସଂଘର ଛାତ୍ରମାନେ ଆତ୍ମ ସୁରକ୍ଷାର କୌଶଳ ପ୍ରଦର୍ଶନ କରିଥିଲେ। ଏଥି ସହିତ ବିଭିନ୍ନ ଅନୁଷ୍ଠାନର କଳାକାରମାନେ କଳା ପ୍ରଦାର୍ଶନ କରିଥିଲେ। ଡିଜେରେ ବିଶ୍ବକପ ହକି ଉଦ୍‌ଘାଟନୀ ଗୀତରେ ଜିଲ୍ଲାପାଳ ମଧ୍ୟ ନାଚିଥିଲେ।