ରାହାଗିରିରେ ଝୁମିଲା ସ୍ମାର୍ଟସିଟି: ଆକର୍ଷିତ କଲା ଡଗ୍‌ ସୋ’ ଓ ମୋଟରବାଇକ୍‌ ଷ୍ଟଣ୍ଟ

ରାଉରକେଲା: ଶିତୁଆ ସକାଳ। ରିଂରୋଡରେ ଥିଲା ଖଚାଖଚ୍‌ ଭିଡ଼। ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ସ୍ମାର୍ଟସିଟିବାସିନ୍ଦା। ହନୁମାନ ବାଟିକାରୁ ସାରନାଛକ ପର୍ଯ୍ୟନ୍ତ ରିଂ ରୋଡ ଗୋଟିଏ ପାର୍ଶ୍ବରେ ପ୍ରଥମ କରି ଆୟୋଜିତ ରାହାଗିରି ବା ପଥୋତ୍ସବ। ଝୁମିଥିଲେ କୁନି ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ। ଛୋଟରୁ ବଡ଼, ମହିଳାଙ୍କ ଠାରୁ କିନ୍ନର ପର୍ଯ୍ୟନ୍ତ ସବୁ ଶ୍ରେଣୀ ଏବଂ ସବୁ ବର୍ଗର ଲୋକ ସାମିଲ ହେବା ସହ ନିଜ ନିଜ ପ୍ରତିଭା ଦେଖାଇଥିଲେ । ପୂରା ପଥୋତ୍ସବକୁ ମନଭରି ଉପଭୋଗ କରିଥିଲେ । ମୋଟ ୯ଟି ଜୋନରେ ବିଭକ୍ତ କରାଯାଇ ଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ପ୍ରଥମ ଓ ୯ମ ଜୋନ‌ରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

ମହାନଗର ନିଗମ ଦ୍ବାରା ଅନୁମୋଦିତ କିଛି ଟିମ୍‌ ଏବଂ ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦର୍ଶକମାନଙ୍କ ମନ ମୋହିଥିଲା ରାଉରକେଲା ପୁଲିସର ମ୍ୟୁଜିକାଲ ବ୍ୟାଣ୍ଡ । ସିଆରପିଏଫ୍‌ ଯବାନଙ୍କ ଦ୍ବାରା ଡଗ୍‌ ସୋ’ ଏବଂ ବାଇକର୍‌ ଗ୍ରୁପ‌ର ବାଇକ୍‌ ଷ୍ଟଣ୍ଟ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଫିଟନେସ୍‌ ନେଇ ଯୋଗ ଏବଂ ବ୍ୟାୟମର ଆବଶ୍ୟକତା ସମ୍ପର୍କରେ ସହରବାସୀଙ୍କୁ ଅବଗତ କରାଯାଇଥିଲା। ମହିଳା ଜୋନ‌ରେ ‘ହକି’ ବିଶ୍ବକପକୁ ରଙ୍ଗୋଲୀ ଆଙ୍କିଥିଲେ ସହରର ବିଭିନ୍ନ ମହିଳା, କିନ୍ନର, ସାମାଜିକ ସଂଗଠନ। ସହର ସାଇକେଲିଂ ଟିମ୍‌ ମଧ୍ୟ ରାହାଗିରିରେ ସାଇକେଲ ଚଳାଇବା ସହ ଫିଟନେସ୍‌ ପାଇଁ ସାଇକେଲିଂର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ।

ଆଦିବାସୀ ନୃତ୍ୟ ସହ ଅତ୍ୟାଧୁନିକ ଗୀତରେ ଯୁବପିଢ଼ୀଙ୍କ ନାଚ ସହରବାସୀଙ୍କୁ ମନ୍ତ୍ରମୁଗ୍ଜ କରିଥିଲା। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଜୋନ‌ରେ କୁନି କୁନି ପିଲାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ରାଉରକେଲା ଡିଆଇଜି ନିତି ଶେଖର, ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଆରଏମ୍‌ସି କମିଶନର ତଥା ଆର୍‌ଏସ୍‌ସିଏଲ୍‌ ସିଇଓ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ କୁମାର ଭାମୁ, ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଭାରପ୍ରାପ୍ତ ନିର୍ଦ୍ଦଶକ ଅତନୁ ଭୌମିକଙ୍କ ସହ ରାଉରକେଲା ମହାନଗର ନିଗମର ସମସ୍ତ କର୍ମଚାରୀ ଓ ଆରଏସସିଏଲର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ ରାଉରକେଲା ଡିଆଇଜି ଶ୍ରୀ ଶେଖର। ବହୁ ସଂଖ୍ୟାରେ ସମସ୍ତ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ଆରଏସ୍‌ସିଏଲ‌ ସିଇଓ ଡ. ଶୁଭଙ୍କର ମହାପାତ୍ର।

ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ପ୍ରମାଣିତ କରୁଛି ରାଉରକେଲାବାସୀ ହକିକୁ ନେଇ କେତେ ଉତ୍ସାହିତ। ଲୋକଙ୍କ ଏହି ସମାନ ଉତ୍ସାହ, ଉଦ୍ଦୀପନା, ହର୍ଷ ଉଲ୍ଲାସ ଏବଂ ସହଯୋଗରେ ଆସନ୍ତା ବର୍ଷ ପୁରୁଷ ହକି ବିଶ୍ବକପ‌ର ସଫଳ ଆୟୋଜନ କରିବୁ । ଏଥିସହିତ ବିଶ୍ବ ଦରବାରେ ରାଉରକେଲା ଓ ସୁନ୍ଦରଗଡ଼କୁ ହକି ହବ୍‌ ଭାବେ ପ୍ରତିପାଦିତ କରିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆସନ୍ତା ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ଇସ୍ପାତ ନଗରରୀରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ତଥା ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ଉଦ୍ଦେଶ୍ୟରେ ପଥୋତ୍ସବ, ନଗର କ୍ରୀଡ଼ା ଉତ୍ସବ ଓ ମିନି ମାରାଥନ୍‌ ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ନେଇ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ତେଜ କୁମାର ଖେସ, ବରିଷ୍ଠ ହକି କୋଚ୍ ମିଲଟନ ବିଲୁଙ୍ଗ ଏବଂ ହକି କୋଚ୍ ବିଜୟ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବନ୍ଧିତ ଖବର