ଏବେ ବି ମନରୁ ଲିଭିନି ରାହାଞ୍ଜ ଟ୍ରକ୍‌ ଟ୍ରାଜେଡି, ଗୁରୁୁତର ଶୀତଲ ମାଗିଲେ ଇଚ୍ଛାମୃତ୍ୟୁ

ରାଣୀତାଲ : ଆଖି ପିଛୁଳାକେ ଦୁନିଆ ଓଲଟପାଲଟ ହୋଇଗଲା। କାଳ ରୂପୀ ଏକ ଟ୍ରକ୍‌ ସ୍କୁଲ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ିଗଲା। ଏଥିରେ ୫ ଛାତ୍ରଛାତ୍ରୀଙ୍କ ପ୍ରାଣ ଚାଲିଗଲା। ‌ଜଣେ ଛାତ୍ରୀ ନିଜ ଭଉଣୀକୁ ହରାଇଥିବା ବେଳେ ନିଜେ ଗୁରୁତର ଆହତ ହେଲେ। ଜୀବନ ସିନା ବଂଚିଗଲା, ହେ‌ଲେ ସେଇ ଜୀବନ ଏବେ ତାଙ୍କ ପାଇଁ ଯନ୍ତ୍ରଣା ପାଲଟିଛି। କଷ୍ଟ ସହି ନ ପାରି ଶେଷରେ ସିଏ ଇଚ୍ଛାମୃତ୍ୟୁ ମାଗିଛନ୍ତି। ତେବେ ଏ ନେଇ ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସ୍ଥାନୀୟ ବିଧାୟକ ତାଙ୍କର ଚିକିତ୍ସା ଖର୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୧୧ ମାସ ତଳେ ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ସେତେବେଳେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଥିଲା। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରି ଦାୟିତ୍ବ ସାରିଦିଆଗଲା। ଗୁରୁତରଙ୍କ ସମସ୍ତ ଖର୍ଚ ବହନ କରିବେ ବୋଲି ସରକାର କହିଥିବା ବେଳେ ପ୍ରତିଶ୍ରୁତି ପାଣିର ଗାର ପରି ପବନରେ ମିଳାଇଯାଇଛି।‌ ଏପରି ସମୟ‌ରେ ଅଳ୍ପକେ ବଞ୍ଚି ଯାଇଥିବା ରାହାଞ୍ଜର ଯୁବ ବ୍ୟବସାୟୀ ସୁବାସ ସାହୁଙ୍କ ଝିଅ ଶୀତଲଙ୍କ ପାଇଁ ଏବେ ବଂଚିବା-ମରିବା ଯେମିତି ସମାନ ହୋଇଯାଇଛି। ଦୁର୍ଘଟଣା ପରେ ଗୁରୁତର ଆହତ ଶୀତଲକୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ମାସାଧିକ କାଳ ଚିକିତ୍ସିତ ହୋଇଥିଲେ ମଧୢ ତାଙ୍କ କଥା କେହି ବୁଝିନଥିଲେ। ଅର୍ଥାଭାବ କାରଣରୁ ସୁବାସ ଝିଅକୁ ଘରେ ଆଣି ରଖିବା ସହ ଚିକିତ୍ସା କରାଉଛନ୍ତି। ତାଙ୍କର ଦୁଇ ଗୋଡ଼ ଓ ଗୋଟିଏ ହାତ ଅଚଳ ହୋଇ ଶୁଖି ଶୁଖି ଯାଉଛି। ଦୁର୍ଘଟଣାରେ ନିଜ ବଡ଼ଭଉଣୀକୁ ହରାଇଥିବା ଏହି ଝିଅ ଜଣକ ଏବେ ବିଛଣାରେ ପଡ଼ିରହି ମୃତ୍ୟୁ ସହ ସ˚ଗ୍ରାମ କରୁଛନ୍ତି।

ତେବେ କଷ୍ଟ ସହି ନପାରି ଶୀତଲ ତାଙ୍କ ଜଣେ ସଂପର୍କୀୟ ଭାଇଙ୍କ ଆଗରେ ଇଚ୍ଛାମୃତ୍ୟୁ ନେଇ କିଛିଦିନ ତଳେ ପ୍ରକାଶ କରିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଫଳରେ ଆଜି ସନ୍ଧ୍ୟାରେ ଭଦ୍ରକ ବିଧାୟକ ସ˚ଜୀବ ମଲ୍ଲିକ ଶୀତଲଙ୍କ ପରିବାରକୁ ଭେଟିବା ସହ ତାଙ୍କର ଚିକିତ୍ସା ଦାୟିତ୍ବ ନେବେ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ଅଣ୍ତରପାସ୍‌ ନିର୍ମାଣ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧୢ ତାହା ଏଯାଏ ପୂରା ହୋଇନାହିଁ। ଫଳରେ ଦାବି ପୂରଣ ପାଇଁ ଆସନ୍ତା ୨୨ ତାରିଖ ଦିନ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସରପଞ୍ଚ ଉର୍ମିଳା ଯେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର