ଭୁବନେଶ୍ବର: ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା। ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି। ଆପଣଙ୍କର କ’ଣ ହେଲା, କ’ଣ ନାହିଁ; ସେମାନଙ୍କର କିଛି ଯାଏ ଆସେ ନାହିଁ। ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର। ଆପଣମାନେ ଗୋଟିଏ ଗୋଟିଏ ବାଘ। କାହାକୁ ଡରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ। ଆପଣଙ୍କ ରକ୍ତରେ, ଡିଏନ୍‌ଏରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି। ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଅ। ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ସେମାନଙ୍କ ଜଙ୍ଗଲ, ଜମି ଓ ଜଳକୁ ଛଡ଼ାଇ ନେଇ ଆଦାନୀ, ଅମ୍ବାନି ସମେତ କେତେକ ପୁଞ୍ଜିପତିଙ୍କର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣି ରାହୁଲ କହିଛନ୍ତି, ଓଡ଼ିଶାରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ। କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି। ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି। ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତ। କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ହେଲେ ଫସଲ ବୀମା ମିଳୁନି। 
Advertisment
ରଥଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସନ୍ତି। କିନ୍ତୁ ଆଦାନୀ ପରିବାର ପାଇଁ ରଥ ଅଟକିଗଲା। ଏଥିରୁ ଓଡ଼ିଶା ସରକାର ବିଷୟରେ ଜାଣି ପାରୁଥିବେ। ଓଡ଼ିଶାରେ ଆଦାନୀର ସରକାର ଚାଲିଛି। ଆଦାନୀ ବି ମୋଦୀଙ୍କୁ ଚଳାଉଛି। ରାହୁଲ କହିଥିଲେ, ଓଡ଼ିଶା‌ରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। କେଉଁଠି ଅଛନ୍ତି କିଛି ଜଣାପଡ଼ୁନି। ଓଡ଼ିଶାରେ ପ୍ରତି ଦିନ ୧୫ ଜଣ ମହିଳାଙ୍କର ବଳାତ୍କାର ହେଉଛି। ମହିଳାଙ୍କୁ ନ୍ୟାୟ ମିଳିବା ଦରକାର। ଓଡ଼ିଶାରେ ଜାତି ଜନଗଣନା ହେଲେ ‌ହିଁ ଓଡ଼ିଶାର ବିକାଶ ହେବ। ଲେଙ୍ଗାନାରେ ଆମେ ଜାତି ଜନଗଣନା କରିଛୁ। ସେଠାରେ ଜଣାପଡ଼ିଲା କେଉଁ ବର୍ଗର କେତେ ଲୋକଙ୍କ ପାଖରେ କେତେ ସମ୍ପତ୍ତି ଅଛି, କାହାର ସ୍ଥିତି କ’ଣ। ଓଡ଼ିଶାରେ ଜାତି ଜନଗଣନା ହେଲେ ଜଣାପଡ଼ିବ ଓଡ଼ିଶାର ଅବହେଳିତ ବର୍ଗର ସ୍ଥିତି କ’ଣ? ଆମେ ଚାହୁଛୁ ଗରିବଙ୍କୁ ସେମାନଙ୍କ ଅଧିକାର ମିଳୁ। ଓଡ଼ିଶାରେ କିପରି ଜାତି ଜନଗଣନା ହେବ, ସେଥିପାଇଁ ମୁଁ ଭକ୍ତ ଦାସ, ଲଲ୍ଲୁଜୀଙ୍କୁ ପୂରା ଦମ୍ ଲଗାଇବାକୁ କହିଛି।
ସେହିପରି ସମ୍ବିଧାନ ବଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ, ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଗଲା। ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ମଧ୍ୟରେ ୧କୋଟି ମତଦାତା ବଢ଼ିଗଲେ। ନିର୍ବାଚନ କମିସନଙ୍କୁ ଭୋଟର ତାଲିକା, ମତଦାନର ଭିଡିଓ ଫୁଟେଜ୍ ମାଗିଥିଲେ ବି ଆମକୁ ଦିଆଯାଉନି। ଏବେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ହେଲେ ଆମେ ଏହାକୁ କରିବାକୁ ଦେବୁନି। ନିର୍ବାଚନ କମିସନ ଏବେ ନିଜ କାମ ନକରି ବିଜେପି କାମ କରୁଛନ୍ତି। ଏହା ସମ୍ବିଧାନ ପାଇଁ ବଡ଼ ବିପଦ। 
ଗରିବ, ଆଦିବାସୀଙ୍କ କଥା ନୁହେଁ, ସରକାର 
ଆଦାନୀ-ଅମ୍ବାନି କଥା ଚିନ୍ତା କରୁଛି
ଆଦାନୀ ପରିବାର ପାଇଁ ରଥ ଅଟକିଥିଲା
ଜଳ-ଜଙ୍ଗଲ-ଜମି ପାଇଁ ଜାରି ରହିବ ଲଢ଼େଇ
ଜାତି ଜନଗଣନା ହେଲେ ଓଡ଼ିଶାର ବିକାଶ ହେବ
ମୋଦୀ ସରକାରର ଇଡି, ସିବିଆଇ ଧମକକୁ ଡରନି: ଖଡ୍‌ଗେ
ଆଜିଠୁ ଲଢ଼େଇ, ବର୍ଷକରେ ୧୦ଟି ସମାବେଶ ହେବ: ଭକ୍ତ
ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରି ରାହୁଲ କହିଥିଲେ, ବିଜେପି ସରକାର ଡ୍ରାଇଭର ସଂଘ ଉପରେ ଚାପ ପକାଇ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଡ୍ରାଇଭର ସଂଘର ସମସ୍ତ ଦାବି ପୂରଣ ହେବା ଉଚିତ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ, ମୋଦୀ ସରକାର ବିରୋଧରେ ଯିଏ ସ୍ବର ଉଠାଉଛି ତାକୁ ଇଡି, ସିବିଆଇ, ଆଇଟି ରେଡ୍‌ ଧମକ ଦିଆଯାଉଛି। ଆପଣମାନେ ଡରନ୍ତୁନି, ସ୍ବର ଉତ୍ତୋଳନ କରନ୍ତୁ। ଏ ଲଢ଼େଇ ଜାରି ରହିବା ଦରକାର। ଶୋଇଥିବା ସରକାରକୁ ଉଠାଇବାକୁ ପଡ଼ିବ। ଏହାସହ ସେ କହିଥିଲେ ରାଜ୍ୟରେ ସରକାର ବାଲି, ଜଙ୍ଗଲ ବିକି କମିସନ ଖାଉଛନ୍ତି। ବିଜେପି ସରକାର ଏବେ ସବୁଥିରେ କମିସନ ଖାଉଛି। ଧନୀ ଲୋକଙ୍କ ପାଇଁ ରଥ ଅଟକି ଯାଉଛି। ଭଗବାନ କ’ଣ କେବଳ ଧନୀଙ୍କ ପାଇଁ? ଆପଣମାନେ ଲଢ଼ନ୍ତୁ। ଆପଣମାନେ ଲଢ଼ିଲେ ଜେଲ୍‌ରେ ପୂରାଇ ଦେବେ ତ, ପୂରାନ୍ତୁ। ଲଢ଼ିବା ମାନେ ମରାମରି ନୁହେଁ, ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ପନ୍ଥାକୁ ଆପଣାନ୍ତୁ। ସବୁ ଦୁର୍ନୀତିର ପର୍ଦ୍ଦାଫାସ କରନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି କଂଗ୍ରେସକୁ ସଶକ୍ତ କରିବା, ଦେଶରୁ ବିଜେପି ସରକାରକୁ ହଟାଇବା। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ଯେତେ ପ୍ରକାରର ହଇରାଣ କରିବା କଥା କରିଛନ୍ତି। କିନ୍ତୁ ସେ ଶକ୍ତିମାନ ହୋଇ ଏଥିରୁ ବାହାରିଛନ୍ତି। ଆଜି ଯେଉଁ ଲଢ଼େଇ ଆରମ୍ଭ ହୋଇଛି, ତାହା ଆରମ୍ଭ ମାତ୍ର। ଆସନ୍ତା ୧ବର୍ଷରେ ରାଜ୍ୟରେ ଏହିଭଳି ୧୦ଟି ବଡ଼ ସମାବେଶ ହେବ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାରେ କଂଗ୍ରେସ ଆଜି ବିପ୍ଲବ ସୃଷ୍ଟି କରିଛି। ବିଧାନସଭା ଭିତରେ ଓ ବାହାରେ ଆଦିବାସୀ, ମହିଳା ଓ ଝିଅଙ୍କ ଉପରେ ନିର୍ଯାତନାକୁ ନେଇ ଲଢ଼େଇ ଜାରି ରହିବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଧନ୍ୟବାଦ ଦେବା ବେଳେ କହିଥିଲେ, କେବଳ ମହାରାଷ୍ଟ୍ର, ହରିୟାଣାରେ ନିର୍ବାଚନ ଚୋରି ହୋଇନି, ଓଡ଼ିଶାରେ ବି ନିର୍ବାଚନ ଚୋରି ହୋଇଛି। ଏହାର ଉଦାହରଣ ହେଉଛି ମୁଖ୍ୟମନ୍ତ୍ରୀ ଯେଉଁଠିକୁ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେଠାରେ ୫ହଜାର ଲୋକ ବି ହେଉନାହାନ୍ତି। ପୂର୍ବରୁ ଜଣେ ସରକାରୀ ଅଧିକାରୀ ସରକାର ଚଳାଉଥିଲେ, କିନ୍ତୁ ଏବେ କିଏ ଗୁଜରାଟରେ ବସି ସରକାର ଚଳାଉଛି, ତାହା କେହି ଜାଣୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବଦଳି କରିବାର କ୍ଷମତା ନାହିଁ। ଏହି ସଭାକୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ମଞ୍ଚରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ସମସ୍ତ ବିଧାୟକ, ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।