ରାହୁଲ ଖେଳିଲେ ଆଦିବାସୀ କାର୍ଡ

କଂଗ୍ରେସର ‘ପରିବର୍ତ୍ତନ ସଂକଳ୍ପ ସମାବେଶ’

କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା
ଜମି, ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର
ଉନ୍ମୋଚନ ହେଲା ‘ଗ୍ୟାରେଣ୍ଟି କାର୍ଡ’

ଭବାନୀପାଟଣା/ ରାଉରକେଲା : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରି ‘ଆଦିବାସୀ କାର୍ଡ’ ଖେଳିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କଠାରୁ ସେମାନଙ୍କ ହକ୍‌ ଛଡ଼ାଇ‌ ନେଉଥିବାବେଳେ କେବଳ କଂଗ୍ରେସ ହିଁ ସେମାନଙ୍କ ହକ୍‌ ଫେରାଇବ ବୋଲି କହିଛନ୍ତି। ଗତ ଖୋର୍ଦ୍ଧା ସମାବେଶ ଭଳି ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ନିଜ ସ୍ବରକୁ ଶାଣିତ କରିଥିଲେ ମଧ୍ୟ ଆଦିବାସୀ ପ୍ରସଙ୍ଗ ଉଠାଇ ଭୋଟରଙ୍କ ହୃଦୟ ଜିିଣିବାକୁ ଉଦ୍ୟମ କରିଛନ୍ତି। ଏଥିସହିତ, ତାଙ୍କ ଦଳ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ହେବ ବୋଲି ଘୋଷଣା କରିଛନ୍ତି। ରାହୁଲ ଗାନ୍ଧୀ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ରାଉରକେଲାଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ପରିବର୍ତ୍ତନ ସଂକଳ୍ପ ସମାବେଶ’ରେ ଯୋଗଦେଇଥିଲେ। ପ୍ରଥମେ ଭବାନୀପାଟଣା ସମାବେଶରେ ଯୋଗଦେଇ ଆଦିବାସୀ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଏହି ପ୍ରସଙ୍ଗରେ ‌େସ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେବଳ ବଡ଼ ବଡ଼ ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି। ଗରିବ, ଆଦିବାସୀ ଓଚାଷୀଙ୍କ ହକ୍‌ ଛଡ଼ାଇ ନେଉଛନ୍ତି। ମନରେଗା ଓ କେବିକେ ଆଦି ଯୋଜନାରୁ ସହାୟତା କମାଉଛନ୍ତି।

ନିୟମଗିରି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ଆଦିବାସୀଙ୍କ ସହିତ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରି ନିୟମଗିରିର ସୁରକ୍ଷା ପାଇଁ ଛିଡ଼ା ହୋଇଥିଲି। ଆଜି ଜଣେ ରାଜନେତା ନୁହେଁ ଜଣେ ପରିବାରର ସଦସ୍ୟ ଭାବରେ ଏଠାକୁ ଆସିଛି। ଛତିଶଗଡ଼ରେ ଆଦିବାସୀଙ୍କ ଜମି ନେଇ ପାଞ୍ଚବର୍ଷ ପର୍ଯ୍ୟନ୍ତ ଟାଟା କମ୍ପାନି କାର୍ଯ୍ୟ ଆରମ୍ଭ କରି ନଥିବା ଯୋଗୁଁ କ୍ଷମତାକୁ ଆସିବା ପରେ କଂଗ୍ରେସ ସେମାନଙ୍କୁ ସେମାନଙ୍କ ଜମି ଫେରାଇ ଦେଇଛି। ଓଡ଼ିଶାରେ ମଧ୍ୟ ତାଙ୍କ ଦଳ କ୍ଷମତାକୁ ଆସିଲେ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି।

ତେବେ, ରାଉରକେଲା ଏୟାର୍‌ଷ୍ଟ୍ରିପ୍‌ ପଡ଼ିଆଠାରେ ଆୟୋଜିତ ସମାବେଶରେ ରାହୁଲ ଆଦିବାସୀଙ୍କ ଜଙ୍ଗଲ, ଜମି କଥା ଉଠାଇଥିଲେ। ସେ କହିଥିଲେ ଯେ, ଜଳ, ଜଙ୍ଗଲ, ଜମିର ପ୍ରକୃତ ମାଲିକ ହେଉଛନ୍ତି ଆଦିବାସୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ନିରୀହ ଆଦିବାସୀମାନେ ଏସବୁରୁ ବଞ୍ଚିତ ହେଉଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଜଙ୍ଗଲ ଜମି ଅଧିକାର ଆଇନ କଡ଼ାକଡ଼ି ଲାଗୁ କରାଯିବ। ବିସ୍ଥାପନ ସମସ୍ୟାର ସମାଧାନ କରାଯିବ। ଆହୁରି ମଧ୍ୟ କହିଥିଲେ, ଶିଳ୍ପ, କାରଖାନାର ଜମି ଅଧିଗ୍ରହଣବେଳେ ସ୍ଥାନୀୟ ଲୋକ ନିର୍ଯାତନାର ଶିକାର ହେଉଛନ୍ତି। ସେମାନଙ୍କୁ ଉଚିତ ପ୍ରାପ୍ୟ ମିଳୁନି କି ଥଇଥାନ ମଧ୍ୟ କରାଯାଉନି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ। ଶିଳ୍ପ ପାଇଁ ପ୍ରଥମେ ଲୋକଙ୍କ ସହମତି ନିଆଯିବ। ବଜାର ମୂଲ୍ୟଠାରୁ ୪ ଗୁଣ ଅଧିକ ଦରରେ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଜମି ନେବାର ୫ ବର୍ଷ ଭିତରେ ଯଦି କୌଣସି ସଂସ୍ଥା ପ୍ରକଳ୍ପ ଆରମ୍ଭ ନ କରେ; ତା’ହେଲେ ଉକ୍ତ ଜମିକୁ ପୁନଃ ହିତାଧିକାରୀଙ୍କୁ ବାଣ୍ଟି ଦିଆଯିବ ବୋଲି କହିଥିଲେ।

ଏଥିସହିତ, ରାହୁଲ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ କୃଷିଋଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ଦର ୨୬୦୦ ଟଙ୍କା ଧାର୍ଯ୍ୟ କରିବ ଘୋଷଣା କରିଥିଲେ। ଦେଶର ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ରୋଜଗାର ଯୋଗାଇ ଦେବାସହ ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ପୂର୍ବ ଦାବିକୁ ଦୋହରାଇଥିଲେ। ଏମିତିକି ଗରିବଙ୍କୁ ଏହି ସର୍ବନିମ୍ନ ରୋଜଗାର ରାଶି ଯୋଗାଇଦେବାରୁ କୌଣସି ଶକ୍ତି କଂଗ୍ରେସକୁ ଅଟକାଇ ପାରିବ ନାହିଁ ବୋଲି ଜୋର୍‌ ଦେଇ କହିଥିଲେ।

ଏହାବାଦ୍‌ ରାହୁଲ ରାଫେଲ ପ୍ରସଙ୍ଗ କେନ୍ଦ୍ର ସରକାର ଏବଂ ଚିଟ୍‌ଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ, ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ହୋଇଥିବା ବେଳେ ରାଫେଲ ଦୁର୍ନୀତି ନେଇ କେନ୍ଦ୍ର ସରକାରଙ୍କ ଅସଲ ମୁଖା ‌ଖୋଲିଛି। ନୋଟବନ୍ଦୀ ପରେ ମାତ୍ର ୧୫ ଜଣ ବଡ଼ ଶିଳ୍ପପତିଙ୍କ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ଛାଡ଼ କରାଯାଉଥିବା ବେଳେ ଚାଷୀମାନଙ୍କ ପାଇଁ ଋଣଛାଡ଼ କରିବାକୁ ରାଜ୍ୟ କି କେନ୍ଦ୍ର ସରକାର ଚାହୁନାହାନ୍ତି। ଚାଷୀଙ୍କୁ ଦୈନିକ ସାଢ଼େ ତିନି ଟଙ୍କା ପ୍ରଦାନ ହାସ୍ୟାସ୍ପଦ ଅଟେ। କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଜନସାଧାରଣଙ୍କୁ ମୌଳିକ ସେବାରୁ ବଞ୍ଚିତ କରିଛନ୍ତି ବୋଲି କହିଥିଲେ।

ଏଥିସହିତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ‘ଚୌକିଦାର ଚୋର ହୈ’ ଓ ରାଜ୍ୟ ସରକାର ‘ରିମୋଟ୍‌ କଣ୍ଟ୍ରୋଲ’ ବୋଲି ଆକ୍ଷେପ କରି କହିଥିଲେ। ନିର୍ବାଚନ ପୂର୍ବରୁ ମୋଦୀ ସରକାର ବାର୍ଷିକ ୨ କୋଟି ନିଯୁକ୍ତି, ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବା, ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ, ଆଇଜିଏଚ୍‌କୁ ସୁପରସ୍ପେଶାଲିଟି ହସ୍‌ପିଟାଲରେ ପରିବର୍ତ୍ତନ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଲୋକଙ୍କୁ ମିଛ କହି ଭୁଆଁ ବୁଲାଇବାରେ ମୋଦୀ ସରକାର ବେଶ୍‌ ପାରଙ୍ଗମ ବୋଲି ଅଭିଯୋଗ କରିଥିଲେ।

ଭବାନୀପାଟଣା ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲ ଯୋଗ ଦେଇଥିଲେ। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ ବିରୋଧୀ ଯୋଜନା, ଲୋକଙ୍କୁ ଭୁଆଁ ବୁଲାଇବା, ବିଦେଶରୁ କଳାଧନ ଆଣିବାର ବାହାସ୍ଫୋଟ ମାରିବା , କୃଷକ, ଆଦିବାସୀ ଓ ଶ୍ରମିକ ବିରୋଧୀ ନୀତି ଯୋଗୁଁ ଛତିଶଗଡ଼ରେ ବିଜେପି କ୍ଷମତାଚ୍ୟୁତ ହୋଇଛି ବୋଲି କହିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ତୀବ୍ର ସମା‌େଲାଚନା କରିଥିଲେ। ସେ କହିଥିଲେ ‌େଯ, ଓଡିଶାରେ ଫେବ୍ରୁଆରି ୨ ତାରିଖରୁ ଧାନ ମଣ୍ଡି ବନ୍ଦ କରାଯାଇଛି। ଏବେ ମଧ୍ୟ ହଜାର ହଜାର କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ପଡିରହିଛି। ସେହିଭଳି ୬୦ ଲକ୍ଷ ଓଡ଼ିଆ ଯୁବକ ବାହାରେ ଦାଦନ ଖଟୁଥିବା ବେଳେ ୮୫ଲକ୍ଷ ବେକାର ଯୁବକ କାମଧନ୍ଦା ପାଇଁ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ସରକାର ତୁରନ୍ତ ଧାନ କ୍ରୟ ନକଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

ଭବାନୀପାଟଣା ସମାବେଶରେ ନରସିଂହ ମିଶ୍ର, ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ଦକ୍ଷିଣାଞ୍ଚଳ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ସନ୍ତୋଷ ସିଂ ସାଲୁଜା ପ୍ରମୁ୍ଖ ଉଦ୍‌ବୋଧନ ଦେଇଥିଲେ। କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଅନିଲ ଚୌଧୁରୀଙ୍କ ସମେତ ମହିଳା ଓ ଯୁବ କଂ‌ଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ କଳାହାଣ୍ଡିର ପୂର୍ବ ସାଂସଦ ସୁବାସ ଚନ୍ଦ୍ର ନାୟକ ଦଳବଳ ସହ ବିଜେଡି ଛାଡ଼ି ପୁନର୍ବାର କଂଗ୍ରେସରେ ଯୋଗ ଦେଇଥିଲେ।

ତେବେ କଳାହାଣ୍ଡି ଜିଲ୍ଲାର ପୂର୍ବ ମନ୍ତ୍ରୀ ଓ ସାଂସଦ ରାସବିହାରୀ ବେହେରା, ପୂର୍ବ ବିଧାୟକ ଗୋବର୍ଦ୍ଧନ ଦାଶ, ଶିବାଜୀ ମାଝୀ ସମେତ ବହୁ ନେତା ମଞ୍ଚକୁ ଯିବାର ସୁଯୋଗ ପାଇ ନଥିଲେ। ଦଳୀୟ କର୍ମୀଙ୍କ ଆଲୋଚନା ବେଳେ ରାହୁଲଙ୍କୁ ଜିଲ୍ଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଏକଚ୍ଛତ୍ରବାଦ ଓ ଅଣଦେଖା ନେଇ ରାହୁଲ ଗାନ୍ଧୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ରାଉରକେଲାଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସଂପାଦକ ଶେଖ୍‌ ମସ୍ତାନ ଅଲ୍ଲୀ, ପୂର୍ବ ପିସିସି ସଭାପତି ଗଣେଶ୍ବର ବେହେରା, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ପିସିସି କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ, ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ସୁଶୀଳା ତିରିଆ, ତଲସରା ବିଧାୟକ ଡା. ପ୍ରଫୁଲ୍ଲ ମାଝୀ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ନିରଂଜନ ପଟ୍ଟନାୟକ ଆଦିବାସୀ ଦଳ ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ମୋଟ୍‌ ତିନିଜଣ, ଗୃହିଣୀ, ଚାଷୀ ଓ ବରୋଜଗାର ଯୁବକଙ୍କୁ ଗ୍ୟାରେଣ୍ଟି କାର୍ଡ ବାଣ୍ଟି ‘ଗ୍ୟାରେଣ୍ଟି କାର୍ଡ’ ଉନ୍ମୋଚିତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର