ଜୟପୁରରେ ରାହୁଲଙ୍କ ମହିଳା କାର୍ଡ : କଂଗ୍ରେସ ସରକାରରେ ସୁରକ୍ଷିତ ରହିବେ ମହିଳା, ବିଧବା ଭତ୍ତାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ, ରାଫେଲ ପ୍ରସଙ୍ଗରେ ମ‌ୋଦୀଙ୍କୁ କଡ଼ା ସମାେଲାଚନା

କୋରାପୁଟ/ଜୟପୁର : ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ଜୟପୁରରେ କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ସରକାରରେ ମହିଳା ସୁରକ୍ଷିତ ବୋଲି କହିଛନ୍ତି। ଏହା ସହ କଂଗ୍ରେସ କ୍ଷମତାକୁ ଫେରିଲେ ମହିଳାମାନଙ୍କ ପାଇଁ ଅନେକ ଯୋଜନା ହାତକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାଳିକାଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଗରିବ ଯୁବତୀଙ୍କ ନିମନ୍ତେ ବିବାହ ସହାୟତା ପ୍ରଦାନ କରାଯିବ। ଏହି କ୍ରମରେ ଆଜି ପୁଣି ରାହୁଲ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଗର୍ଜିଥିଲେ।

କୋରାପୁଟ ଜିଲ୍ଲା ଜୟପୁର ଏକମ୍ବା ପଡିଆରେ ଆଜି କଂଗ୍ରେସ ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧୀ ଆରମ୍ଭରୁ କେନ୍ଦ୍ରର ବିଜେପି ସରକାରକୁ କଡ଼ା ଭାଷାରେ ସମାେଲାଚନା କରିଥିଲେ। କହିଥିଲେ, ବାୟୁସେନା ପାଇଁ ହାଲରେ ବିମାନ ତିଆରି ହେଉଥିଲା। ଦେଶର ସୁରକ୍ଷା ପାଇଁ ହାଲ ସହ ଓଡ଼ିଶାବାସୀଙ୍କ ଅବଦାନ ରହିଥିଲା। କିନ୍ତୁ ମୋଦୀ ସରକାର ତାଙ୍କ ବନ୍ଧୁ ଅନୀଲ ଅମ୍ବାନୀଙ୍କୁ ଏବେ ବିମାନ ତିଆରି କରିବାକୁ ଦେଇଛନ୍ତି। ଏଥିରୁ ମୋଦୀଙ୍କ ଦେଶଭକ୍ତି ଧରାପଡ଼ି ଯାଇଛି। ରାଫେଲ ଦୁର୍ନୀତି ମୋଦୀ ସରକାରଙ୍କ ଅସଲ ପରିଚୟ। କେନ୍ଦ୍ର ସରକାର ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି।

ଜମି ଅଧିଗ୍ରହଣ ବିଲ ସଂପର୍କରେ ସମାବେଶରେ ସୂଚାଇ ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ଆଦିବାସୀ ଲୋକଙ୍କୁ ନ ପଚାରି ସେମାନଙ୍କ ଜମି ନିଆଯାଇପାରିବ ନାହିଁ ବୋଲି କଂଗ୍ରେସ କହି ଆସୁଛି। ଯଦି ବି ନିଆଯିବ ଆଦିବାସୀମାନଙ୍କୁ ଏହାର ୪ଗୁଣା ମୂଲ୍ୟ ଓ କ୍ଷତିପୂରଣ ଦିଆଯିବ। ଆଦିବାସୀଙ୍କ ଜମି ଯେମିତି ଦେଶର ୧୫/୨୦ ଜଣ ଶିଳ୍ପପତିଙ୍କ ହାତକୁ ନ ଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ମୋଦୀ ସରକାର ଏହି ବିଲକୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଲୋକଙ୍କୁ ନ ପଚାରି ସେମାନଙ୍କ ଜମି କଳ କାରଖାନା ପାଇଁ କଂପାନିମାନଙ୍କୁ ଟେକି ଦିଆଯାଉଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୋଦୀଙ୍କୁ ସହଯୋଗ କରୁଛନ୍ତି। ଓଡ଼ିଶାରେ ଏବେ ଲୋକଙ୍କ ଜମି ଶାଗମାଛ ଦରରେ କିଣି କଂପାନିମାନଙ୍କୁ ଦିଆ ହେଉଛି। ଛତିଶଗଡରେ ଟାଟା କଂପାନି ଜମି ନେଇଥିଲା। କିନ୍ତୁ ୫ ବର୍ଷ ଭିତରେ କଂପାନି ପ୍ରତିଷ୍ଠା ନ ହେବାରୁ ଲୋକଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯାଇଛି। କଂଗ୍ରେସ ସରକାରର ଏହା ଏକ ବଡ଼ ସଫଳତା।

କୃଷି ଋଣ ଛାଡ଼ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। କହିଥିଲେ, କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବେ ବୋଲି କହି ଉପହାସ କରିଛନ୍ତି। ସେ ଚିନ୍ତା କରି ନାହାନ୍ତି, ଏହି ଟଙ୍କାରେ ଚାଷୀ କେମିତି ଚଳିବ। କଂଗ୍ରେସ ସରକାର ଆସିବା ମାତ୍ରେ ଚାଷୀଙ୍କୁ ସମସ୍ତ ଋଣ ଛାଡ଼ କରାଯିବ। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରି ଦିଆଯିବ। ମୋଦୀ ସରକାର ବଡ଼ ବଡ଼ ଶିଳ୍ପପତିଙ୍କର ସା‌ଢ଼େ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରି ଦେଉଛନ୍ତି। କିନ୍ତୁ ଚାଷୀଙ୍କ ଋଣ ଛାଡ଼ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ଏଥିରୁ ମୋଦୀଙ୍କ ଚାଷୀଙ୍କ ପ୍ରତି ଦରଦ କେତେ ତାର ପ୍ରମାଣ ମିଳିଛି।

ଗରିବ ଲୋକଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଦେଇଥିଲେ ରାହୁଲ। ଆଜି ଆନ୍ତର୍ଜାତିକ ମହିଳା ଦିବସରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କଂଗ୍ରେସ ସମୟରେ ମହିଳାମାନେ ସୁରକ୍ଷିତ ଥିବା ଦର୍ଶାଇଥିଲେ। ସେ କହିଥିଲେ, କଂଗ୍ରେସ ଶାସନକୁ ଆସିଲେ ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଗରିବ ଯୁବତୀଙ୍କ ବିବାହରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ବିଧବା ଭତ୍ତାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରିବ କଂଗ୍ରେସ। ମହିଳା ଉଦ୍ୟୋଗୀଙ୍କ ପାଇଁ ଅର୍ଥନୈତିକ କର୍ପୋରେସନ କରି ସେମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତି ପଞ୍ଚାୟତରେ ଜ‌ଣେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାହୁଲ କହିଥିଲେ।

ଆରମ୍ଭରୁ ମୋଦୀଙ୍କୁ ଆକ୍ରମଣ କରିଥିବା ରାହୁଲ ଶେଷ ଆଡକୁ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ। କହିଥିଲେ, ଓଡ଼ିଶାରେ ଏବ ଅଜବ ଶାସନ ଚାଲିଛି। ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟ ‌ଅଧିକ ଗରିବ ହୋଇଛି। ୪/୫ ଜଣ ଅଫିସର ଏଠାରେ ରାଜ୍ୟକୁ ଚଳାଉଛନ୍ତି। ଏଠାରେ ନବୀନ ବାବୁଙ୍କ କିଛି ବନ୍ଧୁ ସବୁ ଫାଇଦା ପାଉଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ଯିଏ ଜଗନ୍ନାଥଙ୍କ କଥା ବୁଝି ପାରୁନି ସେ ରାଜ୍ୟବାସୀଙ୍କ କଥ‌ା କ’ଣ ବୁଝିବ। କଂଗ୍ରେସ ଆସିଲେ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ହେବ। ଓଡ଼ିଶା ବିକାଶ ପଥରେ ଆଗେଇବ। ଚାଷୀଙ୍କ ଋଣ ଛାଡ଼ କରାଯିବା ସହ ସୋଲାର ପମ୍ପ ଯୋଗାଇ ଦିଆଯିବ। କୃଷିର ବିକାଶ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ବ ଦିଆଯିବ ବୋଲି ନିରଞ୍ଜନ କହିଥିଲେ। ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ସହ ପ୍ରତି ପରିବାରରୁ ଅତି କମରେ ଜଣଙ୍କୁ ଚାକିରୀ ଦେବ କଂଗ୍ରେସ। ରାଜ୍ୟରେ ଯେମିତି ଜଣେ ହେଲେ ବି ଭୂମିହୀନ ରହିବେ ନାହିଁ ତାହା କଂଗ୍ରେସର ପ୍ରାଥମିକତା ରହିବ ବୋଲି ନିରଞ୍ଜନ କହିଥିଲେ। ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ, ଛତିଶଗଡ଼ର ସ୍ବାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଡିସିସି ସଭାପତି ମିନାକ୍ଷୀ ବାହିନୀପତି, ମହିଳା କଂଗ୍ରେସ ସାଧାରଣ ସଂପାଦିକା ସନ୍ଧ୍ୟା ସାୱଲକେ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ବରିଷ୍ଠ ନେତା ଭକ୍ତ ଚରଣ ଦାଶ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର