ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ରେ ରାଜନୈତିକ ପାଣିପାଗ ସେତିକି ଗରମ ହେଉଛି। ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡିରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଭାରତଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ରେ ହେବାକୁ ଯାଉଛି। ବହୁବର୍ଷ ପରେ ରାହୁଲ ଗାନ୍ଧୀଙ୍କ ଜିଲ୍ଲା ଆଗମନକୁ ନେଇ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। କଂଗ୍ରେସର ‘ଭାରତଯୋଡ଼ୋ ନ୍ୟାୟଯାତ୍ରା’କୁ ସୁନ୍ଦରଗଡ଼ରେ ସଫଳ କରିବାକୁ ଜିଲ୍ଲା କଂଗ୍ରେସ ପୂରା ଦମ୍ ଲଗାଇଦେଇଛି।
ଗୁରୁବାର ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ମିଳିତ ବୈଠକ ସେକ୍ଟର-୨୧ ପାର୍ଟି କାର୍ଯ୍ୟାଳୟରେ ବସିଥିଲା। ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଶ୍ମୀ ପାଢ଼ୀ, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କଂଗ୍ରେସର ପ୍ରମୁଖ ନେତାଙ୍କ ସହ ଯୁବ, ଛାତ୍ର ଓ ମହିଳାନେତ୍ରୀମାନେ ଉପସ୍ଥିତ ଥିଲେ। ଯେନତେନ ପ୍ରକାରେ ରାହୁଲଙ୍କ ରୋଡ୍ ସୋ’କୁ ରାଉରକେଲା ସମେତ ଜିଲ୍ଲାରେ ସଫଳ କରିବାକୁ ବିସ୍ତୃତ ଆଲୋଚନା ହୋଇଥିଲା। ରୋଡ ସୋ’ରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଜିଲ୍ଲାର ପ୍ରମୁଖ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ ରାହୁଲଙ୍କ ରୋଡ ସୋ’ର ରୁଟ୍ ଚାର୍ଟ ସ୍ଥିର କରାଯାଇଛି। ଆସନ୍ତାକାଲି (ଶୁକ୍ରବାର) ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ରାଉରକେଲା ଆସୁଛନ୍ତି।
ଆସନ୍ତା ୪ କିମ୍ବା ୫ ତାରିଖରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରମୁଖ ନେତା ଓ କିଛି ବିଧାୟକ ରାଉରକେଲା ଆସିବେ। ‘ଭାରତଯୋଡ ନ୍ୟାୟ ଯାତ୍ରା’ର ରୁଟ୍ଚାର୍ଟ ଅନୁଯାୟୀ ଆସନ୍ତା ୬ ତାରିଖ ସଂଧ୍ୟାରେ ରାହୁଲ ଗାନ୍ଧୀ ଓ ତାଙ୍କ ଟିମ୍ ଓଡ଼ିଶା-ଝାଡ଼ଖଣ୍ଡ ବୀରମିତ୍ରପୁର ସୀମାନ୍ତରେ ପହଞ୍ଚିବେ। କୁଆରମୁଣ୍ଡା ଦୁର୍ଗାପୂଜା ପଡ଼ିଆ କିମ୍ବା ବେଦବ୍ୟାସ ଖେଳପଡ଼ିଆରେ ନ୍ୟାୟ ଯାତ୍ରା ଗାଡ଼ିରେ ରାତ୍ରୀଯାପନ କରିବେ। ଦୁଇଟି ସ୍ଥାନ ମଧ୍ୟରୁ କେଉଁଠି ରାହୁଲ ରାତ୍ରୀଯାପନ କରିବେ ଠିକ୍ ହୋଇ ନାହିଁ। ରାହୁଲଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଟିମ୍ ଆଜି ଉଭୟ ସ୍ଥାନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲା। ପରଦିନ ଅର୍ଥାତ୍ ୭ ତାରିଖ ଦିନ ୧୧ଟାରେ ରାହୁଲଙ୍କ ରୋଡ୍ ସୋ’ ବିର୍ସା ମୁଣ୍ଡା ଛକରୁ ଆରମ୍ଭ ହେବ। ସେଠାରୁ ରାଉରକେଲା ମୁଖ୍ୟରାସ୍ତା ଦେଇ ପାନପୋଷ ଗାନ୍ଧିଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୭ କି.ମି. ପର୍ଯ୍ୟନ୍ତ ଯିବ। ଦିନ ୧ଟାରେ ପାନପୋଷ ଗାନ୍ଧୀ ଛକରେ ଆୟୋଜିତ ସଭାରେ ରାହୁଲ ଉଦ୍ବୋଧନ ଦେବେ। ପରେ ରାଜଗାଙ୍ଗପୁର, କୁତ୍ରା ଓ ବଡଗାଁରେ ରୋଡ ସୋ’ ଅନୁଷ୍ଠିତ ହେବ। ଅପରାହ୍ଣରେ ସୁନ୍ଦରଗଡ଼ରେ ଅନୁଷ୍ଠିତ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାହୁଲଙ୍କ ଭାରତଯୋଡ଼ୋ ନ୍ୟାୟ ଯାତ୍ରା ବାହାରି ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ ଦେଇ ଛତିଶଗଡରେ ପ୍ରବେଶ କରିବ। ଯେଉଁ ଯେଉଁ ସ୍ଥାନରେ ରାହୁଲ ଉପସ୍ଥିତ ଜନସଭାକୁ ଉଦ୍ବୋଧନ ଦେବେ, ସେଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।