ରାଉରକେଲା/ବୀରମିତ୍ରପୁର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥି ପାଇଁ ପଶ୍ଚିମ ଓଡ଼ିଶାରେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡ଼ି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟଯାତ୍ରା’ ଜରିଆରେ ପଶ୍ଚିମଓଡ଼ିଶାରେ ନିର୍ବାଚନୀ ଗୋଟି ଚଳାଇବା ଆରମ୍ଭ କରିଛି କଂଗ୍ରେସ। ରାଉର‌କେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ନ୍ୟାୟଯାତ୍ରା ଜରିଆରେ ପଶ୍ଚିମ ଓଡ଼ିଶାରେ ପୁଣିଥରେ ନିଜର ରାଜନୈତିକ ଦବଦବା ଜାହିର କରିବାକୁ ଦମ୍‌ ଲଗାଇ ଦେଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୬ ତାରିଖ ସଂଧ୍ୟା ୫ଟା ସୁଦ୍ଧା ରାହୁଲ ଗାନ୍ଧୀ ଓଡ଼ିଶା-ଝାଡ଼ଖଣ୍ଡ ବୀରମିତ୍ରପୁର ସୀମାନ୍ତ ଗେଟ୍‌ରେ ପହଞ୍ଚିବେ। ସେଦିନ ସଂଧ୍ୟାରେ ବୀରମିତ୍ରପୁଠାରେ ଆୟୋଜିତ ଜନସଭାକୁ ସମ୍ବୋଦିତ କରିବେ। ରାତିରେ କୁଆରମୁଣ୍ଡା ରାପମାଲ ଛକସ୍ଥ ପଡ଼ିଆରେ ରାତ୍ରିଯାପନ କରିବେ। ଏଥି ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ପରଦିନ ଅର୍ଥାତ୍‌ ୭ ତାରିଖ ସକାଳ ୯ଟାରେ ୧୪୩ ନଂ ଜାତୀୟ ରାଜପଥ ପାନପୋଷ ରୁପୁଟୋଲା ଛକରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ସ୍ବାଗତ କରାଯିବ। ସେଠାରୁ ରାହୁଲ ଓ ତାଙ୍କ ଟିମ୍‌କୁ ହକିଛକ ବାଇପାସ୍‌ ରୋଡ୍‌ ଦେଇ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଅଣାଯିବ। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ବିଶାଳ ‌ରୋଡ ସୋ’ ଆମ୍ବେଦକର ଛକରୁ ଉଦିତନଗର, ଏସ୍‌ଟିଆଇ, ଆଇଟିଆଇ ଛକ ଦେଇ ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ପାନପୋଷ ଗାନ୍ଧୀଛକରେ ପହଞ୍ଚିବ। ସେଠାରେ ରାହୁଲ ଉପସ୍ଥିତ ଜନତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ସେଠାରୁ ବାହାରି ଦିନ ୧ଟାରେ କାଂଶବାହାଲରେ ଜନସଭାରେ ଯୋଗଦେବେ। ପରେ ରାଜଗାଙ୍ଗପୁର, କୁତ୍ରା, ବଡଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ। ସୁନ୍ଦରଡ଼ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ। ରାତିରେ ଝାରସୁଗୁଡା ଯାଇ ରାତ୍ରିଯାପନ କରିବେ। ୮ ତାରିଖ ସକାଳେ ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼ ଓ କନକପୁରା ଦେଇ ନ୍ୟାୟ ଯାତ୍ରା ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ଗାନ୍ଧୀଙ୍କ ସହ କହ୍ନେୟା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ଓ ଅନେକ କେନ୍ଦ୍ରୀୟ ନେତା ଆସୁଛନ୍ତି।

publive-image

ଏହାର ପ୍ରସ୍ତୁତି ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟସ୍ତରୀୟ ନେତା ଏଠାରେ ଡେରା ପକାଇଛନ୍ତି। ନ୍ୟାୟ ଯାତ୍ରାକୁ ସଫଳ କରିବାକୁ ଆଜି ବୀରମିତ୍ରପୁର, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମିତ୍ରପୁର ବିଏସ୍‌ଏଲ୍‌ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଏଆଇଇସିସି ସମ୍ପାଦକ ସାହା ସେହନାଜ ଚୌଧୁରୀ, କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ରାମକୃଷ୍ଣ ଓଝା, ପୂର୍ବତନ ବିଧାୟକ ରେମିସ୍‌ କେର୍କେଟା ସାମିଲ ହୋଇଥିଲେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବୀରମିତ୍ରପୁର ଗେଟ୍‌ରେ ରାହୁଲ ଓ ତାଙ୍କ ଟିମ୍‌କୁ ଭବ୍ୟ ସ୍ବାଗତ ଦେବାକୁ ଆଲୋଚନା ହୋଇଥିଲା। ପରେ ପିସିସି ସଭାପତି, ଏଆଇସିସି ସମ୍ପାଦକ ଓ ଅନ୍ୟ ତୁଙ୍ଗନେତା ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡ ବାଂଶଜୋରରେ ନିର୍ମାଣ ହେଉଥିବା ସ୍ବାଗତ ମଞ୍ଚକୁ ଯାଞ୍ଚ କରିଥିଲେ। ବୀରମିତ୍ରପୁର ବିର୍ସା ମୁଣ୍ଡା ବସ୍‌ଷ୍ଟାଣ୍ଡ ସମେତ ନ୍ୟାୟ ଯାତ୍ରା ପାଇଁ ସ୍ଥିର ହୋଇଥିବା ରୁଟ୍‌ ବୁଲି ଦେଖିଥିଲେ। ଏହା ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନାଜ‌ ଚୌଧୁରୀ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମେତ ବହୁ ବିଧାୟକ ଓ ତୁଙ୍ଗ ନେତା ବୀରମିତ୍ରପୁରରୁ ରାଉରକେଲା ପର୍ଯ୍ୟନ୍ତ ରୁଟ୍‌କୁ ଅନୁଧ୍ୟାନ କରିବା ସହ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ସେମିତି ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟ୍‌ ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ସମେତ କଂଗ୍ରେସର ବହୁ ତୁଙ୍ଗନେତା ରାଉରକେଲା ପହଞ୍ଚିସାରିଲେଣି। ଆସନ୍ତା ୫ ତାରିଖ ସୁଦ୍ଧା ରାଜ୍ୟର ପ୍ରମୁଖ ନେତା ରାଉରକେଲାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।