ବାଲେଶ୍ବର: ଏଫ୍‌ଏମ୍‌ କଲେଜ ମୃତ ଛାତ୍ରୀଙ୍କ ବାପାଙ୍କ ସହ ଟେଲିଫୋନ୍‌ରେ ଆଜି କଥା ହୋଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲ ଏ ନେଇ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ରାହୁଲ ଲେଖିଛନ୍ତି, ‘ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ବାପାଙ୍କ ସହ କଥା ହେଲି। ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି। ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ।

Advertisment

ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ। ପୀଡ଼ିତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ କିଭଳି ମିଳିବ ଆମେ ନିଶ୍ଚିତ କରିବୁ।’ ଆଜି ସକାଳେ ରାହୁଲ ଗାନ୍ଧୀ ଫୋନ୍‌ ଯୋଗେ ତାଙ୍କ ସହ କଥା ହୋଇଥିବା ଏବଂ ଝିଅକୁ ନ୍ୟାୟ ଦେବା ଲାଗି ପ୍ରତିଶ୍ରୁତି ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ପ୍ରକାଶଥାଉକି, ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଜାତୀୟସ୍ତରରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।