ବିଜେପି କ୍ଷମତାକୁ ଫେରିବା ଅସମ୍ଭବ: ରାହୁଲ

ଭୁବନେଶ୍ବର : ଦୁଇଟି କ୍ଷେତ୍ରରେ ନିର୍ବାଚନ ଜିତିବା ଅସମ୍ଭବ େହାଇଥାଏ। େଗାଟିଏ କ୍ଷମତାରେ ଥିବା ଲୋକ ଜନତାଙ୍କ ମତକୁ ଗୁରୁତ୍ବ ଓ ସମ୍ମାନ ନ ଦେବା ଓ ଅନ୍ୟଟି େହଉଛି ବିପକ୍ଷ ଏକଜୁଟ ହେବା। ଦେଶରେ ଏବେ ବିପକ୍ଷ ଏକଜୁଟ େହାଇଛନ୍ତି। ଅତଏବ ବିଜେପି କ୍ଷମତାକୁ ଫେରିବା ଅସମ୍ଭବ।

‘ସମାଜ’ ଶତବାର୍ଷିକୀ ସମାରୋହ ଉପଲକ୍ଷେ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଏମିତି ପୂର୍ବାନୁମାନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୁଦ୍ଧିଜୀବୀଙ୍କ ମନ େନବା ପାଇଁ ରାହୁଲ ଏଠାରେ କୌଣସି ସୁେଯାଗ ହାତଛଡ଼ା କରିନଥିଲେ। ରାଜ୍ୟ କଂଗ୍ରେସକୁ ପୂର୍ଣ୍ଣ ସମର୍ଥନ କରି ଦଳ ଛା଼ଡିଥିବା ନେତାମାନଙ୍କୁ ଅତ୍ୟନ୍ତ ହାଲୁକା ଭାବେ େନଇଥିଲେ।

ଆଜି ଆଲୋଚନାର ବିଷୟବସ୍ତୁ ରହିଥିଲା, ‘ରି-ଇମାଜେନିଂ ଇଣ୍ଡିଆ, କ୍ୟାନ୍ ଓଡ଼ିଶା ସୋ ଦି ୱେ’। ଏଥିରେ ଯୋଗଦେଇ ଶ୍ରୀ ଗାନ୍ଧି କହିଲେ, ଏବେ ଅର୍ଥନୈତିକ ଅଭିବୃଦ୍ଧି କଥା ଆଲୋଚନା ହେଉଛି। ମାତ୍ର ଏହି ଅଭିବୃଦ୍ଧି ନିଯୁକ୍ତି ସୃଷ୍ଟି କରିପାରୁ ନାହିଁ। ସବୁ ରାଜ୍ୟରେ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା ପାଲଟିଛି। ଚୀନ୍‌ରେ ପ୍ରତି ୨୪ ଘଣ୍ଟାରେ ୫୦ହଜାର ନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଭାରତରେ ଏହା ୪୫୦। କୃଷି କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ରହିଛି। ହେଲେ ବୈଷୟିକ ଜ୍ଞାନକୌଶଳ ଯୋଗୁଁ ନିଯୁକ୍ତି ହ୍ରାସ ପାଇବ ବୋଲି ଯେଉଁ ଚର୍ଚା ହେଉଛି, ତାହା ଠିକ୍‌ ନୁହେଁ। ଆଜିର ପରିସ୍ଥିତିରେ ଦେଶରେ ୨/୩ଟି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବା ସହିତ ଏହା ଉପରେ କାର୍ଯ୍ୟ କରିବାର ସମୟ ଆସି ଯାଇଛି।

ରାହୁଲ କହିଥିଲେ, କୃଷି ପରେ ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିଥାଏ। ମାତ୍ର ବିମୁଦ୍ରୀକରଣ ଓ ଜିଏସ୍‌ଟି ଦେଶର ଅର୍ଥନୀତିକୁ ବିପଦକୁ ଠେଲି ଦେଇଛି। ସେମାନଙ୍କ ନିକଟରେ ନିରବ ମୋଦି, ମେହୁଲ ଚୋକ୍‌ସି ଭଳି ବ୍ୟାଙ୍କ ବିଶାରଦ ନାହାନ୍ତି। ଏହି ଅବସରରେ ସେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡିର ମଡେଲ ସମାନ େବାଲି କହିଥିଲେ। ଦର୍ଶାଇଥିଲେ, ଦୀର୍ଘବର୍ଷ ଧରି ଚୁପ୍ ରହିବା ପରେ ରାଜ୍ୟ ସରକାର କୃଷକଙ୍କ ପାଇଁ ଚେଇଁ ଉଠିଛନ୍ତି। ଛତିଶଗଡ଼ ସରକାର ଚାଷୀମାନଙ୍କ ପାଇଁ ଋଣ ଛାଡ଼ କରିବା ପରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯୋଜନା କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ଶ୍ରୀ ଗାନ୍ଧୀ କହିଥିଲେ, ମେକ୍ ଇନ ଇଣ୍ଡିଆ ବିଫଳ ହୋଇଛି। ଲୋକଙ୍କ ଚିକିତ୍ସା ପାଇଁ ଶହ ଶହ କି.ମି ଯିବାକୁ ପଡ଼ୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ ଜଣକୁ କାର୍ଡ ଧରାଇଦେଲେ ଯେ ଚିକିତ୍ସା ପାଇଯିବ, ତାହା ଚିନ୍ତା କରିବା ଭୁଲ୍। ହସ୍ପିଟାଲର ଭିତ୍ତିଭୂମିର ବିକାଶ ଓ ଏଥିପାଇଁ ଆବଶ୍ୟକ ଅର୍ଥ ବ୍ୟୟବରାଦ ନ କଲେ, ସ୍ବାସ୍ଥ୍ୟବୀମା ଯୋଜନା ସଫଳ ହୋଇପାରିବ ନାହିଁ। ମୋଦୀ ରାଫେଲରେ ଅନିଲ ଅମ୍ବାନିକୁ ୩୦ହଜାର କୋଟି ଟଙ୍କାର ଚୁକ୍ତି କରୁଥିବା ବେଳେ ଏହାର ୫ପ୍ରତିଶତ ଅର୍ଥ ଆୟୁଷ୍ମାନ ଭାରତ ପାଇଁ ଖର୍ଚ କରୁନାହାନ୍ତି। ନିଜ ନିର୍ବାଚନମଣ୍ଡଳୀର ଏକ ଅଞ୍ଚଳର ସଂପର୍କରେ ସୂଚନା ଦେଇ ସେ କହିଲେ ଯେ ସେହି ଅଞ୍ଚଳରେ ୧୨ହଜାର ଲୋକ ରହୁଥିବା ବେଳେ ମାତ୍ର ୩୫ଜଣଙ୍କୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ମିଳି ପାରିଛି। ଏଭଳି ପରିସ୍ଥିତିରେ ଏହାକୁ କିଭଳି ସାର୍ବଜନୀନ ସ୍ବାସ୍ଥ୍ୟସେବା ବୋଲି କୁହାଯିବ ବୋଲି ଶ୍ରୀ ଗାନ୍ଧୀ ପ୍ରଶ୍ନ କରିଥିଲେ।

ଦେଶରେ ଶିକ୍ଷା ଉପରେ ମତ ରଖି ସେ କହିଥିଲେ, ୧୯୫୦ ଦଶକରେ ଦେଶରେ ଆଇଆଇଟି ଭଳି ଅନୁଷ୍ଠାନର ପ୍ରତିଷ୍ଠା ହୋଇଥିଲା। ଏହା ବହୁତ ପୁରୁଣା ହୋଇଗଲାଣି। ଏହାର ପରିବର୍ତନ ଆବଶ୍ୟକ। ଆଜିର ସମୟରେ ଦେଶରେ ଜଣେ ବ୍ୟକ୍ତି ନିଜ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ତାହାକୁ ହଟାଇ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଜୋର୍‌ ଦେବାକୁ ହେବ।

ମଧ୍ୟବିତ୍ତଙ୍କୁ କୌଣସି ସରକାରରେ ଗୁରୁତ୍ବ ଦିଆଯାଉ ନ ଥିବା ପ୍ରସଙ୍ଗରେ ଶ୍ରୀ ଗାନ୍ଧୀ କହିଥିଲେ, ସୂଚନା ଅଧିକାର ଆଇନ ସେମାନଙ୍କ ପାଇଁ ଏକ ପ୍ରମୁଖ ଅସ୍ତ୍ର। ୧୯୯୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ ମଧ୍ୟବିତ୍ତଙ୍କ ପାଇଁ ବହୁ ଯୋଜନା କରାଯାଇଛି। ମନରେଗା ଯୋଜନାକୁ ମୋଦୀ ବୁଝିପାରୁ ନାହାନ୍ତି। ଏହାକୁ ନଷ୍ଟ କରିଦେବାକୁ ଯୋଜନା କରୁଛନ୍ତି। ନିଜର ରୋଲ ମଡେଲ ସଂପର୍କରେ ମତ ରଖି ସେ କହିଥିଲେ ଯେ ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବା ନେଇ ଗୁରୁତ୍ବ ଦେଇ ଆସିଛି। ମୋଦୀ ମୋର ରୋଲ ମଡେଲ ନୁ‌ହନ୍ତି, କିନ୍ତୁ ତାଙ୍କର କିଛି ଗୁଣ ଭଲ ଲା‌ଗେ। ପରିଣତ ବୟସରେ ଆଡଭାନୀ ନିଜକୁ ଫିଟ୍ ରଖିବା ଓ ସ୍ବର୍ଗତଃ ବାଜପେୟୀ ଜଣେ ଭଲ ବକ୍ତା ବୋଲି ସ୍ବୀକାର କରିବାକୁ ପଡ଼ିବ। ଆରଏସ୍‌ଏସ୍‌ ଓ ବିଜେପି ମତେ ଜୀବନରେ ବହୁ ଶିକ୍ଷା ଦେଇଛନ୍ତି। ମୁଁ ମୋଦୀଙ୍କୁ ଘୃଣା କରେ ନାହିଁ, ବରଂ ଲଢ଼େଇ କରେ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଦଳ ଛାଡ଼ିବା ସଂପର୍କରେ ସେ କହିଥିଲେ, ତାଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଦେଉଛି। ତ‌ାଙ୍କୁ କଂଗ୍ରେସ ଭଲ ନ ଲାଗିବାରୁ ସେ ଦଳ ଛାଡ଼ିଦେଲେ।

ଏହି ଆଲୋଚନାଚକ୍ରରେ ‘ସମାଜ’ର ସଂପାଦକ ବାମାପଦ ତ୍ରିପାଠୀ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗ ‌ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର