ବାଲେଶ୍ବରରେ ବର୍ଷିଲେ ରାହୁଲ : ମୋଦୀ ସରକାରରେ ବେକାରି, ଦରଦାମ ଓ ଭ୍ରଷ୍ଟାଚାର ବଢ଼ିଛି

‘ନ୍ୟାୟ’ ଯୋଜନାର ଲାଭ ପାଇବେ ଓଡ଼ିଶାବାସୀ, ଓଡ଼ିଶାରେ ଧାନର ସର୍ବନିମ୍ନ ମୂଲ୍ୟ ୨୬ ଶହ ହେବ

ବାଲେଶ୍ବର/ରେମୁଣା : ମୋଦୀ ସରକାରରେ ଦେଶରେ ଏବେ ବେକାରି, ଚାଷୀ ଆତ୍ମହତ୍ୟା ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି। କୋଟିକୋଟି ଯୁବକ ଏବେ ବେରୋଜଗାର ଅଛନ୍ତି। ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ମିଳୁନାହିଁ। ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି। ବିଭିନ୍ନ ସାମଗ୍ରୀର ଦରଦାମ ହୁ ହୁ ହୋ‌ଇ ବଢ଼ୁଛି। ତେଣୁ କେନ୍ଦ୍ରରେ ଏଭଳି ଭ୍ରଷ୍ଟାଚାରୀ ସରକାରକୁ ହଟାଇବା ଜରୁରୀ ହୋଇ ପଡ଼ିଛି। ଆଜି ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ନରହରିପୁର ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ତଥା କେନ୍ଦ୍ର ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି।

ଶ୍ରୀ ଗାନ୍ଧୀ କହିଲେ ଯେ ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ମୋଦୀଙ୍କ ଭ୍ରଷ୍ଟାଚାର। ୫ ବର୍ଷ ପୂର୍ବେ ମୋଦୀ କହିଥିଲେ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ, ଚାଷୀଙ୍କୁ ଉଚିତ ମୂଲ୍ୟ ଦେବେ ଓ ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା ହେବ। କଳାଧନ ବିରୋଧରେ ଲଢ଼େଇ କରି ଭାରତବର୍ଷରୁ ଭ୍ରଷ୍ଟାଚାରକୁ ମୁକ୍ତି ଦେବେ। ଏବେ କିନ୍ତୁ ମୋଦୀ ଏ ସମ୍ପର୍କରେ କିଛି କହୁନାହାନ୍ତି। ଭ୍ରଷ୍ଟାଚାର କଥା ଛାଡ଼, ମୋଦୀ ଯେଉଁଠିକି ଯାଉଛନ୍ତି ଲୋକେ ସେଠି କହୁଛନ୍ତି ‘ଚୌକିଦାର ଚୋର ହେ’। ଏହା ବ୍ୟତୀତ ନୋଟବନ୍ଦୀ ଓ ଜିଏସ୍‌ଟି ଦ୍ବାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଯାହାଫଳରେ ବେରୋଜଗାର ବୃଦ୍ଧି ପାଇଛି ବୋଲି ଦର୍ଶାଇ ରାହୁଲ ଏଥିପାଇଁ ମୋଦୀଙ୍କୁ ଦାୟୀ କରିଥିଲେ।

ରାଜ୍ୟରେ ନବୀନ ସରକାରକୁ ସମାଲୋଚନା କରି ରାହୁଲ କହିଲେ, ପଡୋଶୀ ଛତିଶଗଡ଼ ରାଜ୍ୟରେ ଧାନର ସର୍ବନିମ୍ନ ମୂଲ୍ୟ ୨୫୦୦ ଟଙ୍କା ହୋଇଛି। କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଆପଣଙ୍କୁ ଦେଉଛନ୍ତି ମାତ୍ର ୧୨୦୦ ଟଙ୍କା। ସେଥିରେ ବି ତାଙ୍କୁ ଆପଣ ମୁଖ୍ୟମନ୍ତ୍ରୀ କରିଛନ୍ତି। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ କିଛି ବି ନିଯୁକ୍ତି ଦେଇନାହାନ୍ତି। ଆପଣମାନେ ନବୀନଙ୍କ ଭଳି ନିକମା ସରକାରଙ୍କ ବିଷୟରେ ସବୁ ଜାଣିଛନ୍ତି, ମୋତେ କିଛି କହିବାକୁ ପଡ଼ିବ ନାହିଁ।

କଂଗ୍ରେସର ‘ନ୍ୟାୟ’ ‌ଯୋଜନା ସଂପର୍କରେ ଉଲ୍ଲେଖ କରି ରାହୁଲ କହିଲେ ଯେ ମୋଦୀ ବ୍ୟାଙ୍କରେ ସମସ୍ତଙ୍କ ଖାତା ‌ଖୋଲିଲେ। କିନ୍ତୁ ସେଥିରେ ସେ ଟଙ୍କା ଦେଲେ ନାହିଁ। ଲୋକଙ୍କ ଟଙ୍କା ଅନିଲ ଆମ୍ବାନିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଇଦେଲେ। ମାତ୍ର କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ୧୨ ହଜାରରୁ କମ୍‌ ରୋଜଗାର ଥିବା ପରିବାରକୁ ମାସକୁ ୬ ହଜାର ଟଙ୍କା ଦିଆଯିବ ଏବଂ ଦେଶର ୫ କୋଟି ପରିବାରର ୨୫ କୋଟି ଲୋକ ବାର୍ଷିକ ୭୨ ହଜାର ଟଙ୍କା ପାଇବେ। ଏହା ପରିବାରର ମହିଳାମାନଙ୍କ ଆକାଉଣ୍ଟରେ ଜମାହେବ। ଏହି ଟଙ୍କା ବଳରେ ପୁଣି ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବ। ଏହି ଅର୍ଥ ପାଇଁ କୌଣସି ମଧ୍ୟବିତ୍ତ ପରିବାରଠାରୁ ଟଙ୍କାଟିଏ ନିଆଯିବ ନାହିଁ। ସବୁ ଅର୍ଥ କଳାଟଙ୍କାରୁ ଆସିବ ବୋଲି ଶ୍ରୀ ଗାନ୍ଧୀ କହିଥିଲେ। କଂଗ୍ରେସ ଶାସିତ ରାଜ୍ୟରେ ସରକାର ଗଠନର ୨ ଦିନ ମଧ୍ୟରେ ଚାଷୀମାନଙ୍କ ଋଣ ଛାଡ଼ କରାଯାଇଛି ବୋଲି ଉଲ୍ଲେଖ କରି ସେ କହିଲେ ଯେ ସେହିସବୁ ରାଜ୍ୟରେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପାଇଛି। ତେଣୁ କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାରେ ଧାନର ସର୍ବନିମ୍ନ ମୂଲ୍ୟ ୨୬ ଶହ ଟଙ୍କା ହେବ। କୌଣସି ଚାଷୀ ଋଣ ଟଙ୍କା ଶୁଝି ନପାରି ଜେଲ ଯିବେ ନାହିଁ। ଏଥିପାଇଁ ନୂଆ ଆଇନ ଅଣାଯିବ ବୋଲି ସେ କହିଥିଲେ।

ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶରତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ‌ଯୋଗଦେଇ କହିଥିଲେ ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ। ଏଠି ରାଜନୀତିରେ ଆଦର୍ଶ ନାହିଁ। ପୁଞ୍ଜିପତିମାନଙ୍କ ସ୍ବାର୍ଥରକ୍ଷା ପାଇଁ ରାଜନୀତି ଚାଲିଛି। ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପ୍ରତିଶ୍ରୁତି ପାଳନ କରିବାରେ ସଫଳ ହୋଇ ନାହାନ୍ତି। ବାଲେଶ୍ବରରେ ଶିଳ୍ପ ବନ୍ଦ, ଜଳସେଚନ ନାହିଁ, ପର୍ଯ୍ୟଟନର ବିକାଶ ହୋଇନାହିଁ। ତେଣୁ କଂଗ୍ରେସକୁ ଭୋଟ୍‌ ଦେଇ ଏକ ପରିବର୍ତ୍ତନ ଆଣିବାକୁ ସେ ଆହ୍ବାନ ଦେଇଥିଲେ।

ଏହି ସଭାରେ କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ଜଳେଶ୍ବର ପ୍ରାର୍ଥୀ ସୁଦର୍ଶନ ଦାସ, ବସ୍ତା ପ୍ରାର୍ଥୀ ବିଜନ ନାୟକ, ବାଲେଶ୍ବର ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ, ବଡ଼ସାହି ପ୍ରାର୍ଥୀ ଦେବଯାନୀ ବେହେରା, ରେମୁଣା ପ୍ରାର୍ଥୀ ପ୍ରତାପ କୁମାର ସେଠୀ, ନୀଳଗିରିର ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର