ତମାଣ୍ଡୋରୁ ରାହୁଲଙ୍କ ପ୍ରଚଣ୍ଡ ଆକ୍ରମଣ : ନିଶାଣରେ ନବୀନ-ମୋଦୀ

ବିଜେଡି-ବିଜେପି ସଂପର୍କର ଗୁମର ଖୋଲିଲେ
ମୋଦୀଙ୍କ ହାତରେ ନବୀନଙ୍କ ରିମୋଟ୍‌ ବଟନ୍‌
ଚାଷୀ କାର୍ଡ, କ୍ଷମତାକୁ ଆସିଲେ ଋଣ ଛାଡ଼
ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ
ପିସିସି ପଛରେ ଛିଡ଼ାହେଲେ, ବଳ ଦେଲେ
ପଞ୍ଚାନନ, ସୁନୀଲ, ଜଗଦୀଶ ହାତ ଧରିଲେ

ଭୁବନେଶ୍ବର : ସରକାର ବିରୋଧୀ ହାଵାକୁ ହାତେଇବା ଲାଗି ଓଡ଼ିଶା ମାଟିରେ କଂଗ୍ରେସ ଆଜି ସବୁଠାରୁ ପ୍ରଭାବୀ େଗାଟିଚାଳନା କରିଛି। ରାଜ୍ୟର େଭାଟରଙ୍କ ମୁଡ୍କୁ ଧରି ସ୍ଥାନୀୟ ତମାଣ୍ଡୋ ମିନି ଷ୍ଟା଼ଡିୟମ ପଡିଆ ମଞ୍ଚରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏମିତି ତୀର ମାରିଛନ୍ତି େଯ ଉଭୟ ବିେଜଡି ଓ ବିେଜପି ଶିବିରରେ କମ୍ପନ ସୃଷ୍ଟି େହାଇଛି। ଶ୍ରୀ ଗାନ୍ଧୀ ସିଧା ସିଧା ବିେଜଡି-ବିେଜପିର ମଧୁଚନ୍ଦ୍ରିକାର ପର୍ଦାଫାସ କରିଛନ୍ତି। କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ସମାନ। ମୋଦୀଙ୍କ ହାତରେ ରିମୋଟ୍‌ କଣ୍ଟ୍ରୋଲ ବଟନ୍‌ ରହିଛି। ସେହି ବଟନ୍‌ ଚିପି ସେ ନବୀନଙ୍କୁ ଉଠବସ କରାଉଛନ୍ତି। ଦୁର୍ନୀତିଗ୍ରସ୍ତ ଏବଂ ଚିଟ୍‌ଫଣ୍ଡ ସ୍କାମ୍‌ରେ ଜଡ଼ିତ ଥିବାରୁ ମୋଦୀଙ୍କ ଇଙ୍ଗିତରେ ମୁଖ୍ୟମନ୍ତ୍ରୀ ସଂସଦରେ ବିମୁଦ୍ରାୟନ ହେଉ କିମ୍ବା ଜିଏସ୍‌ଟି ଆଦି ଯେ କୌଣସି ବିଲ୍‌ ଆସିଲେ ତାକୁ ସମର୍ଥନ କରୁଛନ୍ତି।

ରାହୁଲ ଆହୁରି କହିଥିଲେ ଯେ ଦିଲ୍ଲୀରେ ମୋଦୀ ଓ ଭୁବନେଶ୍ବରରେ ନବୀନ, ଉଭୟଙ୍କ ଚିନ୍ତାଧାରା ସମାନ ହୋଇଥିବାରୁ ନବୀନଙ୍କୁ େକନ୍ଦ୍ରର କନିଷ୍ଠ ଅଂଶୀଦାର େବାଲି କୁହାଯାଇପାରେ। ଉଭୟଙ୍କ ମଧ୍ୟ‌େର ଭାଗୀଦାରିରେ ଶାସନ ଚାଲିଛି। ଉଭୟ ନେତାଙ୍କ ଶାସନର ଶୈଳୀ ବି ଏକ। ୧୫/୨୦ଜଣ ଶିଳ୍ପପତିଙ୍କ ହାତରେ ରାଜ୍ୟ ହେଉ କିମ୍ବା ଦେଶର ସମସ୍ତ ସମ୍ବଳ ଧନ, ଖଣି, ପାଣି, ବିଜୁଳି ଟେକି ଦିଅ ଓ ଅମଲାଙ୍କ ଜରିଆରେ ଶାସନ ଚଳାଅ। ଏଣୁ, େକନ୍ଦ୍ର ହେଉ କି ଓଡ଼ିଶାରେ ମନ୍ତ୍ରୀଙ୍କ ହାତରେ କିଛି ବି କ୍ଷମତା ନାହିଁ। ହେଲେ କଂଗ୍ରେସ ଦଳର ନୀତି, ଆଦର୍ଶ ସ୍ବତନ୍ତ୍ର। ଏହା ଗଣତାନ୍ତ୍ରିକ ବିଚାରକୁ ନେଇ ଜନତାଙ୍କର ମତକୁ ସମ୍ମାନ ଦେଇ ଶାସନ ଉପରେ ଗୁରୁତ୍ବ ଦେଇଥାଏ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଉଛି, େଯଉଁ ସମୟରେ ଶ୍ରୀ ଗାନ୍ଧୀ ଉଭୟ ବିେଜଡି-ବିଜେପି ସଂପର୍କର ପର୍ଦାଫାଶ କରିଥିଲେ, ସେହି ସମୟରେ କଂଗ୍ରେସକୁ ବିଶ୍ବାସ ଭାଜନ କରିବା ଲାଗି ବଡ଼ ପ୍ରତିଶ୍ରୁତି ବି ଦେଇଥିଲେ। କହିଥିଲେ, ରାଜ୍ୟରେ କଂ‌ଗ୍ରେସ ଦଳ କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷି ଋଣଛାଡ଼ କରାଯିବ। ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଖୋଲାଯିବ। କଂ‌ଗ୍ରେସ ଦଳ ଯାହା କୁହେ, ତାହା କରି କି ଦେଖାଏ ଓ େଦଖାଇଛି।

ଆଜି ଦଳର ହଜାର ହଜାର କର୍ମୀଙ୍କୁ ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତ େହବା ଲାଗି ଆହ୍ବାନ ଜଣାଇଥିଲେ ରାହୁଲ ଗାନ୍ଧୀ। ରାଜ୍ୟ କଂଗ୍ରେସର ଟିମ୍ ଵାର୍କକୁ ପ୍ରଶଂସା କରିଥିଲେ। ପିସିସି ସଭାପତି ଓ ତାଙ୍କ ଟିମକୁ ଲଢିବା ଲାଗି ଯଥେଷ୍ଟ ବଳ ଦେଇ ରାହୁଲ କହିଥିଲେ, ଇତିହାସ ଅନୁସାରେ, ଏକଦା ଓଡ଼ିଶା ସମଗ୍ର ଦେଶ, ବିଶ୍ବକୁ ଅହିଂସାର ମାର୍ଗ ପ୍ରଦର୍ଶନ କରିଥିଲା। ଚଣ୍ଡା‌େଶାକ ଅଶୋକ ଏଠି ଧର୍ମାଶୋକରେ ପରିଣତ ହୋଇଥିଲେ। କିନ୍ତୁ ଆଜି ନାଗପୁର ଓ ଦିଲ୍ଲୀର ଇଙ୍ଗିତରେ ଓଡ଼ିଶାର ଶାସନ ପରିଚାଳିତ ହେଉଛି। ପରୋକ୍ଷରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ େମାଦୀଙ୍କ ଆଡକୁ ଆଙ୍ଗୁଠି ଉଠାଇଥିଲେ ରାହୁଲ। ଆହୁରି କହିଥିଲେ, ବିଜେପି-ଆରଏସ୍‌ଏସ୍‌ ଦେଶରେ ବିଦ୍ବେଷ ଭାବ ସୃଷ୍ଟି କରୁଛନ୍ତି। ଉତ୍ତର-ଦକ୍ଷିଣ ଭାରତ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ମହାରାଷ୍ଟ୍ରରେ ବିହାରୀ ବିରୋଧୀ, ଗୁଜୁରାଟ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଲୋକଙ୍କ ବିରୋଧରେ ଘୃଣାଭାବ ସୃଷ୍ଟି କରାଯାଉଛି।

ହେଲେ କୃଷି ଓ କୃଷକଙ୍କ ପ୍ରତି ଉଭୟ ନବୀନ କି ମୋଦୀ ସରକାରଙ୍କର କାହାର ଦରଦ ନାହିଁ। ଜଣେ ଚାଷୀ ଦିନକୁ ୧୮ ଘଣ୍ଟା କାମ କଲେ ବି ତାଙ୍କୁ ତା’ର ପରିଶ୍ରମର ମୂଲ୍ୟ ମିଳୁନାହିଁ। ଜଳସେଚନ ସୁବିଧା ନ ଦେଲେ ଚାଷୀ କେଉଁଠୁ ଚାଷ କରିବାରେ ସମର୍ଥ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ଶ୍ରୀ ଗାନ୍ଧୀ ଅତୀତର ସ୍ମରଣ କରାଇ କହିଥିଲେ, ଏକଦା ସବୁଜ ବିପ୍ଳବ କଂଗ୍ରେସ ହିଁ ଆଣିଥିଲା। ଫଳରେ ପଞ୍ଜାବ, ହରିୟାଣା ଭଳି ରାଜ୍ୟର ଚାଷୀମାନଙ୍କ ଜୀବନଧାରା ବଦଳି ଯାଇଥିଲା। ସେମାନେ ଆଜି ଦିନରେ ସମୃଦ୍ଧ ହୋଇପାରିଛନ୍ତିି। କିନ୍ତୁ ଓଡ଼ିଶ‌ାରେ ଗତ ୧୫ ବର୍ଷରେ କାହିଁକି ଗୋଟିଏ ବି ଜଳସେଚନ ପ୍ରକଳ୍ପ ହୋଇପାରିଲା ନାହିଁ?

ମୋଦୀଙ୍କ ଭଳି ସେ ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କାର କଳାଧନ ଜମା କରିବାର ପ୍ରତିଶ୍ରୁତି ଦେ‌ଇପାରିବେନି। କିନ୍ତୁ ଚାଷୀଙ୍କୁ ନ୍ୟାୟ ଓ ହକ୍‌ ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତିି େବାଲି ବଡ଼ େଜାରରେ କହିଥିଲେ। ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବାର ୧୦ ଦିନ ଭିତରେ କୃଷି ଋଣଛାଡ଼ କରିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା କରାଯିବ। ସେ ମୋଦୀ କି ନବୀନଙ୍କ ଭଳି ନୁହନ୍ତି।

ରାହୁଲ କହିଥିଲେ, ‘ମୁଁ ଯାହା କୁହେ, କରିଦେଖାଏ’। ଚାଷୀ ଯେଉଁଠି ଆଳୁ ହେଉ ବା ଟମାଟୋ ଚାଷ କରିବେ, ତା’ ନିକଟରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ କରାଯିବ। ପ୍ରତି ଜିଲ୍ଲାରେ ଏଭଳି ପ୍ଲାଣ୍ଟ ସ୍ଥାପନ କରାଯିବ। ସେହି ପ୍ଲାଣ୍ଟଗୁଡ଼ିକର ଚେନ୍‌ ଭୁବନେଶ୍ବରରୁ ଦିଲ୍ଲୀ ଏପରି କି ବିଦେଶ ସହିତ ସଂଯୋଗ ହେବ।

ବେରୋଜଗାର ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବି ବର୍ଷିଥିଲେ ରାହୁଲ। କହିଥିଲେ, ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ ବୋଲି କହୁଛନ୍ତିି। କିନ୍ତୁ ୧.୩୧ ଲକ୍ଷ ସରକାରୀ ପଦପଦବି ଖାଲି। ବିଶ୍ବବିଦ୍ୟାଳୟରେ ହଜାର ହଜାର ସଂଖ୍ୟକ ଅଧ୍ୟାପକ, ପ୍ରଫେସର ପଦ ଫାଙ୍କା। ରାଜ୍ୟରୁ ୬୦ ଲକ୍ଷ ବେକାର ଅନ୍ୟ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ ଓ ଦିଲ୍ଲୀରେ କାମ ଅନ୍ବେଷଣରେ ଯାଇଛନ୍ତିି। ଏ ଦିଗରେ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। ବରଂ ୧୫/୨୦ ଶିଳ୍ପପତିଙ୍କର ସ୍ବାର୍ଥର ସୁରକ୍ଷା କିପରି ହେବ, ସେଥିପାଇଁ ଚିନ୍ତିିତ। ଚିଟ୍‌ଫଣ୍ଡରେ ଜଡ଼ିତ ମନ୍ତ୍ରୀ, ନେତାମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି।

ଏହି ପ୍ରସଙ୍ଗ ଆଳରେ ସେ ରାଫେଲ୍‌ ଦୁର୍ନୀତି ପ୍ରସଙ୍ଗ ବି ଉଠାଇଥିଲେ। କହିଥିଲେ, ଓଡ଼ିଶାର ହାଲ୍‌ ଓ ବେଙ୍ଗୁଲୁରୁରେ ଯୁଦ୍ଧ ବିମାନ ନିର୍ମାଣ ହୋଇଥିଲେ, ରାଜ୍ୟ ତଥା ଦେଶର ଲକ୍ଷାଧିକ ଲୋକ ନିଯୁକ୍ତି ସୁଯୋଗ ପାଇଥାନ୍ତେ। ରାହୁଲ ତାଙ୍କ ଉଦ୍‌ବୋଧନ ‘ଜୟ ଜଗନ୍ନାଥ’ କହି ଆରମ୍ଭ କରିଥିଲେ।

ଏହି ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜିର ଏହି ପରିବର୍ତନ ସଂକଳ୍ପ ସମାବେଶରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତି ଓଡ଼ିଶା ସମେତ ସମଗ୍ର ଦେଶରେ ଶାସନ ପରିବର୍ତନର ବାର୍ତା ଦେଉଛି। ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବିଜେପି ଯେପରି କଂଗ୍ରେସ-ମୁକ୍ତ ଭାରତ ଚାହୁଁଛି, କଂଗ୍ରେସ ବିଜେପି-ମୁକ୍ତ ଭାରତ ଭଳି ଅଗଣତାନ୍ତ୍ରିକ ଚିନ୍ତାଧାରାରେ ବିଶ୍ବାସ କରେନାହିଁ। ଦେଶର ଆତ୍ମାକୁ କଂଗ୍ରେସ ଏବଂ ଏହାର ନେତା ରାହୁଲ ଭଲ ଭାବେ ଚିହ୍ନିଛନ୍ତି। ନବୀନ ସରକାର ଜଗନ୍ନାଥଙ୍କ ଜମି ହଡ଼ପ, ବ୍ରହ୍ମବିଭ୍ରାଟ, ଚାବି ହଜିବା ଭଳି ବେନିୟମ କାର୍ଯ୍ୟରେ ଜଡ଼ିତ। ୨୦୦୪ ମସିହାରୁ ଏ ସରକାରଙ୍କ ନିରବତା ପାଇଁ ମହାନଦୀ ଉପରେ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଷୀଙ୍କୁ ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଓ ପ୍ରାଇସ୍‌ ଦେବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ। କଂଗ୍ରେସ ଦଳ ୩ଟି ରାଜ୍ୟରେ ଚାଷୀଙ୍କ ପାଇଁ କୃଷି ଋଣଛାଡ଼, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଣୟନ କରି ପୁରୀରେ ଆଜି ଟଙ୍କା ବାଣ୍ଟୁଛନ୍ତି। ତାଙ୍କୁ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଜଣା ନାହିଁ। ଅଫିସର ଲେଖିଦେଲେ, ସେ ପଢ଼ୁଛନ୍ତି। ପ୍ରକୃତରେ କାଳିଆ ‌ନୁହେଁ, ବଳିଆ ବା ବଳଭଦ୍ର କୃଷି ସହିତ ଜଡ଼ିତ ବୋଲି ପିସିସି ସଭାପତି ଆକ୍ଷେପ କରିଥିଲେ।

ନିର୍ଧାରିତ ସମୟର ପାଖାପାଖି ଘଣ୍ଟାକ ପରେ ରାହୁଲ ସଭାସ୍ଥଳରେ ପହଞ୍ଚିଥିଲେ। ଏହା ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ହେମାନନ୍ଦ ବିଶ୍ବାଳ, ତାରାପ୍ରସାଦ ବାହିନୀପତି, ସୁଶୀଲା ତିରିଆ, ଅନନ୍ତ ସେଠୀ, ବିଜୟଲକ୍ଷ୍ମୀ ସାହୁ, ଭୁଜବଳ ମାଝୀ, ଅଂଶୁମାନ ମହାନ୍ତି, ଡା, ପ୍ରଫୁଲ୍ଲ ମାଝୀ, ଦେବେନ୍ଦ୍ର ଶର୍ମା, ଭକ୍ତଚରଣ ଦାସ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ରାହୁଲଙ୍କ ଉପସ୍ଥିତିରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, କଳାହାଣ୍ଡିର ବିଜେପି ନେତା ସୁନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜଗଦୀଶ ମହାନ୍ତି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଖୋର୍ଧା ଜିଲ୍ଲା ସଭାପତି ସୁର ରାଉତରାୟ ଓ ଭୁବନେଶ୍ବର ଜିଲ୍ଲା ସଭାପତି ମାନସ ଚୌଧୁରୀ ଜାତୀୟ ସଭାପତିଙ୍କୁ ଉପହାର ଭେଟି ଦେବା ସହିତ ମାଲ୍ୟାର୍ପଣ କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ଓ ପିସିସି କର୍ମକର୍ତାମାନେ ମଞ୍ଚାସୀନ ହୋଇଥିଲେ। ଜାତୀୟ ସଭାପତି ହେବା ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ।

ସମ୍ବନ୍ଧିତ ଖବର