ଭୁବନେଶ୍ବର : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସିନଥିଲେ ବି ଏହି ଗସ୍ତ ପାଇଁ ପ୍ରଚାର ଅଭିଯାନ ଜୋରଦାର କରିଛି ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାହୁଲଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ସମସ୍ତ କର୍ମକର୍ତା ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଭାରୀ ଶ୍ରୀ ସିଂହ ଏଠାରେ ପହଞ୍ଚିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତିି, ଏଣିକି ରାହୁଲ ପ୍ରତିମାସରେ ଥରେ ଓଡ଼ିଶା ଗସ୍ତ କରିବେ। ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ସଭାପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାବାସୀଙ୍କ ସହିତ ରାହୁଲଙ୍କ ଦୀର୍ଘଦିନର ନିବିଡ଼ ସଂପର୍କ ରହିଛି। ବିଶେଷ କରି ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛି ରାଜ୍ୟର ଗରିବ ଆଦିବାସୀ। ସାଧାରଣ ସଭାରେ ଉଦ୍ବୋଧନ ଦେଇ ରାହୁଲ ଉଭୟ ବିଜେଡି ଓ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ। ରାଜ୍ୟରୁ ନବୀନ ଓ କେନ୍ଦ୍ରରୁ ମୋଦୀ ଉଭୟ ବିଦା ହେବା ଉଚିତ ବୋଲି ସେ କହିଥିଲେ।
ଦଳୀୟ ଟିକେଟ୍ ପ୍ରସଙ୍ଗରେ ଜିତେନ୍ଦ୍ର କହିଲେ, ଆସନ୍ତା ଫେବ୍ରୁଆରି ମାସରୁ କଂଗ୍ରେସ ଦଳ ଟିକେଟ୍ ବଣ୍ଟନ ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୫୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ। ଏହି ପ୍ରାର୍ଥୀମାନଙ୍କ ତାଲିକା ପୂର୍ବରୁ କେନ୍ଦ୍ରୀୟ କମିଟିକୁ ପ୍ରଦାନ କରାଯାଇଛି। ଏହା ସହିତ ଅବଶିଷ୍ଟ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ।
ଦଳୀୟ ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିତେନ୍ଦ୍ର କହିଥିଲେ। ଦଳରୁ ବହିଷ୍କୃତ ଶ୍ରୀକାନ୍ତ ରାହୁଲଙ୍କ ସଂପର୍କରେ କ’ଣ କହିବେ(ପୋଲ୍ ଖୋଲିବେ), କଂଗ୍ରେସ ତାଙ୍କର ପୋଲ୍ ଖୋଲିବ ବୋଲି ସେ ପାଲଟା ଜବାବ ଦେଇଥିଲେ। ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କ ପ୍ରସଙ୍ଗରେ ସେ କହିଲେ, ଆୟାରାମ୍ ଗୟାରାମ୍ ପାଇଁ ଚିନ୍ତା ନାହିଁ। ସେମାନେ କ’ଣ ପାଇଁ ଦଳ ଛାଡ଼ିଛନ୍ତି, ତାହା ସମସ୍ତଙ୍କୁ ଜଣା। ନିଜ ସ୍ବାର୍ଥ ପାଇଁ ସେମାନେ ଦଳ ଛାଡ଼ିଥିବା ଜିତେନ୍ଦ୍ର କହିଥିଲେ।
ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ପ୍ରଚାରକୁ ଜୋରଦାର କରିଛି ପିସିସି। ଆଜି ସକାଳୁ କଂଗ୍ରେସ ଭବନରୁ ୧୦ଟି ପ୍ରଚାର ଗାଡ଼ି ବାହାରି ଭୁବନେଶ୍ବର ମହାନଗର, ଉପକଣ୍ଠ, ଖୋର୍ଧା, ନହରକଣ୍ଟା ଆଦି ଅଞ୍ଚଳରେ ପ୍ରଚାର ଆରମ୍ଭ କରିଛି। ତମାଣ୍ଡେ ମିନି ଷ୍ଟାଡିୟମରେ ରାହୁଲଙ୍କ ସାଧାରଣ ସଭା ହେଉଥିବାରୁ ଆଜି କମିସନରେଟ୍ ପୁଲିସ ସଭାସ୍ଥଳ ଅନୁଧ୍ୟାନ କରିଛି। ଆସନ୍ତାକାଲି ସ୍ବତନ୍ତ୍ର ପ୍ରୋଟେକ୍ସନ୍ ଗ୍ରୁପ୍(ଏସ୍ପିଜି) ଉଭୟ ତମାଣ୍ଡୋ ପଡ଼ିଆ ଓ କଂଗ୍ରେସ ଭବନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ।