ଭୁବନେଶ୍ବର : ସ୍ବାଧୀନତା ପରଠାରୁ କଂଗ୍ରେସ ଦଳ ସବୁବେଳେ ସମାଜର ତଳସ୍ତରରେ ଥିବା ଦଳିତ ଓ ନିଷ୍ପେସିତ ଜନସାଧାରଣଙ୍କ ଉନ୍ନତି ପାଇଁ ସବୁବେଳେ ତତ୍ପରତା ପ୍ରକାଶ କରିଆସିଛି। ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚରଣଜିତ ସିଂ ଚନିଙ୍କ ନାଁକୁ ଘୋଷଣା କରି ଦଳିତବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ବାଗତ କରାଯାଇଛି।

Advertisment

ଶନିବାର ଦିନ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ୧୫ତାରିଖରେ ନବରଙ୍ଗପୁରରେ ପ୍ରଦେଶ କଂଗ୍ରେସର ଏକ ସମାବେଶ ଅନୁଷ୍ଠିତ ହେବ। ପିସିସି ଅନୁସୂଚିତ ଜାତି ସେଲ୍‌ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜନଜାତି ସେଲ୍‌ର ଅଧ୍ୟକ୍ଷ ଭୁଜବଳ ମାଝୀ, ପଛୁଆବର୍ଗ ସେଲ୍‌ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ସଂଖ୍ୟାଲଘୁ ‌ସେଲ୍‌ର ଅଧ୍ୟକ୍ଷ ଜିଆ ଉଲ୍ ହକଙ୍କ ତତ୍ତ୍ବାବଧାନରେ ଏହି ସମାବେଶ ଅନୁଷ୍ଠିତ ହେବ।

ଦଳ ପକ୍ଷରୁ କୁହାଯାଇଛି ଯେ ବିଜେପି ଓ ବିଜେଡି ଶାସନରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ଓ ସୁରକ୍ଷାକୁ ଉପେକ୍ଷା କରାଯାଉଛି। ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଏହି ବର୍ଗର ଜନସାଧାରଣଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ସେ ସଂପର୍କରେ କୌଣସି ବାଛବିଚାର ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବାଙ୍କନିଧି ବେହେରା, ଜ୍ଞା‌ନଦେବ ବେଉରା, ଚିନ୍ମୟ ସୁନ୍ଦର ଦାସ, ଅମିୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।