ଭୁବନେଶ୍ବର : ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ସୋମବାର ଦିନ ଓଡ଼ିଶା ବିଧାନସଭା ହୁଲସ୍ତୁଲ ହୋଇଛି। କଂଗ୍ରେସ ସଦସ୍ୟଙ୍କ ଭୀଷଣ ପ୍ରତିବାଦ ଯୋଗୁ ଦିନତମାମ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ତାହା ବିଫଳ ହୋଇଛି।
କଂଗ୍ରେସ ସଭ୍ୟମାନେ କଳା ପୋଷାକ ପିନ୍ଧି ସୋମବାର ଦିନ ବିଧାନସଭା ଗୃହକୁ ଆସିଥିଲେ। ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ମୁଣ୍ଡରେ କଳାଟି ପିନ୍ଧିଥିଲେ। ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇପଡ଼ିଲେ। ସଙ୍ଗେ ସଙ୍ଗେ କଂଗ୍ରେସର ସମସ୍ତ ସଭ୍ୟ ଓ ସିପିଆଇ(ଏମ୍) ସଭ୍ୟ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି ଅଭିଯୋଗ କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜିରେ ଗୃହ କମ୍ପିଥିଲା। ଗୃହରେ ଅସ୍ବାଭାବିକ ସ୍ଥିତ ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କଲେ। ଏହା ପରେ କଂଗ୍ରେସ ବିଧାୟକମାନେ ରାଜଭବନ ଯାଇ ଅନ୍ୟ ନେତାମାନଙ୍କ ସହ ମିଶି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।
କଳା ପୋଷାକ ପିନ୍ଧି ଆସିଲେ କଂଗ୍ରେସ ବିଧାୟକ
ଦିନତମାମ ହୋହଲ୍ଲା, କେନ୍ଦ୍ର ବିରୋଧରେ ନାରାବାଜି
ଗଣତନ୍ତ୍ର ପୁନଃପ୍ରତିଷ୍ଠା ନହେବା ଯାଏ ଲଢ଼େଇ ଚାଲିବ: ନରସିଂହ
ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟମାନେ ପୁଣି ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଏହା ଏକ ଦୁର୍ଭାଗ୍ୟ ଭାରତବର୍ଷରେ ଗଣତନ୍ତ୍ରକୁ ହତ୍ୟା, ପରମ୍ପରାକୁ ଧ୍ବଂସ ଓ ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି। ଝିମିଟି ଖେଳରୁ ମହାଭାରତ ହେବା ପରି ଏହି ଘଟଣା। ରାହୁଲ ଗାନ୍ଧୀ କଣ୍ଣାଟକରେ ମନ୍ତବ୍ୟ ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଗୁଜୁରାଟରେ ମାମଲା ହେଲା। ରାହୁଲ ଯେଉଁମାନଙ୍କ ବିରୋଧରେ କହିଥିଲେ ସେମାନେ ମାନହାନି କେସ କଲେ ନାହିଁ। କିନ୍ତୁ ଯାହା ବିରୋଧରେ କିଛି କୁହାଯାଇନଥିଲା ସେ କେସ ଫାଇଲ କଲେ। ରାହୁଲ କହିବାର ବହୁତ ଦିନ ପରେ କେସ୍ ହେଲା। ଯେଉଁ କୋର୍ଟରେ ମାମଲା ରୁଜୁ ହେଲା, ସେହି କୋର୍ଟଙ୍କ ସୀମା ପରିସରରେ ଏହା ଘଟିନାହିଁ। ଏହା ପରେ ଆବେଦନକାରୀ ଗୁଜୁରାଟ ହାଇକୋର୍ଟରୁ ରହିତାଦେଶ ଆଣିଲେ। ତଳ କୋର୍ଟରେ ବିଚାରପତି ବଦଳିଲା ପରେ ଫେବ୍ରୁଆରି ମାସରେ ପୁଣି ଶୁଣାଣି ପାଇଁ ଆବେଦନ କଲେ। ଏହାକୁ ଗ୍ରହଣ କରାଗଲା। ମାର୍ଚ୍ଚ ମାସରେ ରାହୁଳଙ୍କୁ ଦଣ୍ଡାଦେଶ ଶୁଣାଗଲା। ଯାହାର ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ଜ୍ଞାନ ଥିବ, ସେ ଜାଣିପାରିବ ଯେ ଏଠାରେ କିପରି ତରବରିଆ ଭାବେ ମାମଲା ଶୁଣାଯାଇଛି। ରାୟ ଆସିବାର ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଗଲା। କଟକ ମାମଲାରେ ପୁଣି ବିଧାୟକଙ୍କୁ ତ ସମୟ ଦିଆଯାଇଥିଲା। ଆମର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ସେ ସଦସ୍ୟତା ଫେରି ପାଇବେ। ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ପାଇଁ ବିଚଳିତ ନୁହନ୍ତି। ଗଣତନ୍ତ୍ର ଧ୍ବଂସ ପାଇଛି ବୋଲି ବିଚଳିତ। ୩୫୦ କିମି ଯାଏ ଭାରତ ଯୋଡ଼ ଯାତ୍ରା ସମୟରେ ତାଙ୍କୁ ବହୁତ ସମର୍ଥନ ମିଳିଲା। ତେଣୁ ଦେଶରେ ସରକାରୀ ଦଳ ଆତଙ୍କିତ। ସଂସଦରେ ଆଦାନୀ ପ୍ରସଙ୍ଗରେ ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି। ଆଦାନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ କ’ଣ? ଏ ପରିବାର ଦେଶ ପାଇଁ ବହୁତ କିଛି କରିଛନ୍ତି। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀ ତ୍ୟାଗ କରିଛନ୍ତି। ଲୋକେ ଏହାର ଠିକ୍ ଜବାବ ଦେବେ। ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ନ ହେବା ଯାଏ ଲଢେଇ ଜାରି ରଖିବୁ ବୋଲି ଶ୍ରୀ ମିଶ୍ର କହିଲେ।
ଏହି ସମୟରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ସେମାନେ ନିଜ ଆସନକୁ ଫେରି ନଥିଲେ। ହୋହଲ୍ଲା ଭିତରେ ନଗର ଉନ୍ନୟନ ମନ୍ତ୍ରୀ ଆପାର୍ଟମେଣ୍ଟ୍ ମାଲିକାନା ଓ ପରିଚାଳନା ବିଲ୍ ଆଗତ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୫ ମିନିଟ୍ ମୁଲତବୀ ରଖିଲେ। ବୈଠକ ଚାଲିଥିବାରୁ ବିଭିନ୍ନ ପର୍ଯ୍ୟାୟରେ ୬ଟା ଯାଏ ଗୃହ ମୁଲତବୀ ରଖାଯାଇଥିଲା। ତେବେ କୌଣସି ନିଷ୍କର୍ସ ବାହାରି ନପାରିବାରୁ ସନ୍ଧ୍ୟା ୬ଟାରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ। ହୋହଲ୍ଲା ଯୋଗୁ ଆଜି ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG_20230327_200928.jpg)