ମନ୍‌ କି ବାତ୍‌ରେ ପ୍ରଶଂସା ପାଇଲେ ରାହୁଲ୍‌

ଲୁଣା ଜଙ୍ଗଲ ସୁରକ୍ଷା ଓ ସ୍ବଚ୍ଛତା ଅଭିଯାନର ଫଳ

ବାଲିପାଟଣା: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲିପାଟଣାର ରାହୁଲ୍‌ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ଓଡ଼ିଶା ଉପକୂଳସ୍ଥ ଲୁଣା ଜଙ୍ଗଲର ସୁରକ୍ଷା ଓ ସ୍ବଚ୍ଛତା ଅଭିଯାନ ପାଇଁ ରାହୁଲ୍‌ଙ୍କୁ ଏହି ପ୍ରଶଂସା ମିଳିଛି। ଏବେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦିନେ ତାଙ୍କୁ ସମାଲୋଚନା କରୁଥିବା ଲୋକେ ଆଜି ପ୍ରଶଂସାରେ ପୋତି ପକାଉଛନ୍ତି।

ଦେଉଳିଧରପୁର ପଞ୍ଚାୟତ ଆମ୍ବଡିହ ଗ୍ରାମର କିଶୋର ମହାରଣା ଓ ଗୀତାଞ୍ଜଳି ମହାରଣାଙ୍କ ପୁଅ ହେଉଛନ୍ତି ରାହୁଲ୍‌। ନିମାପଡ଼ା କଲେଜରୁ କଳାରେ ଯୁକ୍ତ ୩ ପାସ୍‌ କରିବା ପରେ ଭୁବନେଶ୍ବରରେ ଏକ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଛନ୍ତି। ଯୁକ୍ତ ୨ପଢ଼ା ସମୟରୁ ସେ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ କାମ କରିବା ଆରମ୍ଭ କରିଥିଲେ। ୨୦୧୮ମସିହାରୁ ସେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଦେବୀ ନଦୀ ମୁହାଁଣକୁ ଯାଇ ସାପ୍ତାହିକ ସଫେଇ ଆରମ୍ଭ କରିଥିଲେ। ସେଠାରେ କଇଁଛ ଅଣ୍ଡା ସୁରକ୍ଷାରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଓ ବନ ବିଭାଗ ସହିତ ମିଶି କାମ କରିଥିଲେ।

ସବୁ ଶନିବାର ସେ ଅସ୍ତରଙ୍ଗ ଯାଆନ୍ତି ଓ ସେଠାରେ ରାତ୍ରି ଯାପନ କରି ରବିବାର ନଦୀ କୂଳକୁ ଯାଇ ସଫେଇ କରନ୍ତି। ଚଳିତ ବର୍ଷ ଜାନୁଆରି ୯ ରୁ ସେ ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ‘ସାପ୍ତାହିକ ଓଡ଼ିଶା ଲୁଣା ଜଙ୍ଗଲ ସ୍ୱଚ୍ଛତା ଅଭିଯାନ’ ଆରମ୍ଭ କରିଥିଲେ। ୧୧ ସପ୍ତାହ ଭିତରେ ସେ ପ୍ରାୟ ଦେଢ଼ ହଜାର କିଲୋ ପ୍ଲାଷ୍ଟିକ୍‌ ସଫେଇ କରିଛନ୍ତି। ମଝିରେ ମଝିରେ ସେ ଋଷିକୂଲ୍ୟା ମୁହାଁଣକୁ ଯାଇ ସେଠାରେ ମଧ୍ୟ ସଫେଇ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କ ମନବଳ ବୃଦ୍ଧି କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର