ଭୁବନେଶ୍ବର: ଜୁଲାଇ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନ ଥିଲେ ହେଁ ରାହୁଲ ସମ୍ଭବତଃ ଜୁଲାଇ ୯ରେ ଓଡ଼ିଶା ଆସିପାରନ୍ତି ବୋଲି ଆଲୋଚନା ହେଉଛି। ତାଙ୍କସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ୱରରେ ଏକ ବିଶାଳ ଜନସମାବେଶ ଆୟୋଜନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତଚରଣ ଦାସ କହିଲେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ। ଦଳ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ତାଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ନାରୀ ସାମାଜିକ ନ୍ୟାୟ ଉପରେ ଚଳଚ୍ଚିତ୍ର ‘ଫୁଲେ’କୁ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ନେତୃବୃନ୍ଦଙ୍କୁ ଦେଖାଯାଇଛି।

ଶ୍ରୀ ଦାସ କହିଥିଲେ ଯେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରାଜ୍ୟ ଶାସନର ସଫଳତା ପ୍ରଚାର ପାଇଁ ଆସୁଛନ୍ତି। ବାସ୍ତବରେ ରାଜ୍ୟରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ବଢ଼ି ଚାଲିଛି। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ୧୧ଟି ଜିଲ୍ଲାରେ ଡାଇରିଆ ବ୍ୟାପି ହାହାକାର ପରିସ୍ଥିତି ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଯଦି ଗୋପାଳପୁର ଓ କେନ୍ଦୁଝରର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଶିକାର ହୋଇଥିବା ପରିବାରକୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳାକୁ ସୁଧାରିବେ ତା’ ହେ‌େଲ ତାଙ୍କୁ ସ୍ବାଗତ କରାଯିବ। ଶହ ଶହ ଡାକ୍ତର ପଦବି ଖାଲି ପଡ଼ିଥିବା ବେଳେ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଡାଇରିଆକୁ ସରକାର ଯେଉଁଭଳି ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି। ପିସିସି ପକ୍ଷରୁ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଏକ ୧୨ ଜଣିଆ କମିଟି ବିଧାୟକ ସିଏସ୍‌ ରାଜନ ଏକ୍କାଙ୍କ ନେତୃତ୍ୱରେ ଯାଜପୁରଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ପିସିସି ପକ୍ଷରୁ ଏକ ଅନୁଧ୍ୟାନକାରୀ ଦଳ କେନ୍ଦୁଝର ଗସ୍ତ କରିବ। ଗୋପାଳପୁର ଘଟଣାର ଅନୁଧ୍ୟାନ କରିବାକୁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାରର ଗୋଟିଏ ଇଞ୍ଜିନ୍‌ ବିଫଳ ହୋଇଥିବା ବେଳେ କେଉଁ ସଫଳତାର ଡିଣ୍ଡିମ ପ୍ରଧାନମନ୍ତ୍ରୀ ପିଟିବେ? ପ୍ରଧାନମନ୍ତ୍ରୀ ଗୋପାଳପୁର, କେନ୍ଦୁଝର ଓ ଯାଜପୁରକୁ ଗସ୍ତ କରିବେ କି? କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଶାସନର ବିଫଳତା ବିରୋଧରେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଅନଶନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶାରେ ନାରୀ ଅସୁରକ୍ଷିତ ଥିଲା ବେଳେ ମହିଳା କମିସନ ବର୍ତ୍ତମାନ ସୁଦ୍ଧା ନିଯୁକ୍ତ ହୋଇନାହାନ୍ତି। ସେହିଭଳି ଏସ୍‌ଟି, ଏସସି, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସରକାର କମିସନ ନିଯୁକ୍ତି କରିନାହାନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟବାସୀଙ୍କୁ କିଭଳି ଶାସନର ସଫଳତା ଦେବେ? ଡବଲ୍‌ ଇଞ୍ଜିନ୍‌ ସରକାରର ଗୋଟିଏ ଇଞ୍ଜିନ୍‌ ଅଚଳ ହୋଇପଡ଼ିଥିବା ବେଳେ ଅହମଦାବାଦ ବିମାନ ଦୁର୍ଘଟଣା ଭଳି ଓଡ଼ିଶାରେ ଶାସନ ଦିଗହରା ହୋଇଛି। ଏଆଇସିସି ସମ୍ପାଦକ ଶରତ ରାଉତ କହିଥିଲେ, ବର୍ତ୍ତମାନ ରାଜ୍ୟରେ ଦୁଇଟି ମହାମାରୀ ବ୍ୟାପିଛି। ଗୋଟିଏ ନାରୀ ନିର୍ଯାତନା ଓ ଅନ୍ୟଟି ହଇଜା। ନାରୀ ନିର୍ଯାତନା ଓ ହଇଜା ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ଦାସ, ସିଦ୍ଧାର୍ଥ ସ୍ୱରୂପ ଦାଶ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ।