ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନୀପୁରସ୍ଥ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ ଏସଏଜି)ର ହକି ଆଷ୍ଟ୍ରୋଟର୍ଫ ୨୦୧୫ରୁ ଖରାପ ହୋଇପଡ଼ିଛି। ଏହା ସତ୍ତ୍ବେ ସେଠାରେ ନୂଆ ଟର୍ଫ ଲାଗି ନଥିବାରୁ ସୁନ୍ଦରଗଡ଼ ଖେଳାଳିଙ୍କ ହକି ଅଭ୍ୟାସ ବନ୍ଦ ହୋଇଯାଇଛି। ଏସ୍ଥିତିରେ ହକି ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଏ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ଟର୍ଫ ବଦଳାଇବାକୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଚିଠି ଲେଖିଛନ୍ତି। ଗତ ୭ ତାରିଖରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆସିଥିବା ରାହୁଲ ଝାରସୁଗୁଡ଼ା ଅମଲିପାଲିରେ ରାତ୍ରିଯାପନ କରିଥିଲେ। ଏହି ସମୟରେ ସାଇ କ୍ରୀଡ଼ା ଛାତ୍ରାବାସର କିଛି ଅନ୍ତେବାସୀ ତାଙ୍କୁ ଭେଟି ୮ ବର୍ଷ ଧରି ଖେଳିବା ଯୋଗ୍ୟ ହୋଇ ରହି ନଥିବା ଆଷ୍ଟ୍ରୋଟର୍ଫ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଶ୍ରୀ ଗାନ୍ଧୀ ଟର୍ଫ ବଦଳାଇ ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ ଖେଳିବା ସୁଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ଅନୁରୋଧ କରିଛନ୍ତି। ୨୦୦୨ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ପ୍ରତିଷ୍ଠିତ ‘ସାଇ’ ଛାତ୍ରାବାସରେ ହକି, ତୀରଚାଳନା ଓ ଆଥଲେଟିକ୍ ପ୍ରଶିକ୍ଷଣ ଦିଆଯାଉଥିଲା। ଏହା ମଧ୍ୟରେ ଆଥଲେଟିକକୁ ହଟାଇ ନିଆଯାଇଛି।

Advertisment

ଏଠାରୁ ବିକାଶ ଟପ୍ପୋ, ରୋଶନ ମିଞ୍ଜ, ଦୀନେଶ ଏକ୍କା, ବେଏସଜର ହରୋ, ମନଦୀପ କୁଲ୍ଲୁ, ଭାରତୀୟ ଦଳର ସୁମନ ବେକ୍ ଓ ଅଲିମ୍ପିଆନ ଦୀପଗ୍ରେସ ଏକ୍କା ପରି ହକିର ଅନେକ ସୁନାମଧନ୍ୟ ପ୍ରତିଭା ସୃଷ୍ଟି। କିନ୍ତୁ ‘ସାଇ’ ପ୍ରତିଷ୍ଠାର ୨୦ ବର୍ଷ ପରେ ଏଠାକାର କ୍ରୀଡ଼ା ଭିତ୍ତିଭୂମି କ୍ରମଶଃ ବିକାଶମୁଖୀ ହେବା ବଦଳରେ ଦୁର୍ବଳ ହୋଇଚାଲିଛି କହିଲେ ଭୁଲ୍ ହେବ ନାହିଁ। ୨୦୦୭ରେ ଏଠାରେ ହକି ପାଇଁ ତିଆରି ହୋଇଥିଲା ଆଷ୍ଟ୍ରୋଟର୍ଫ। ଯାହାର ଆୟୁଷ ମାତ୍ର ୭ ବର୍ଷ ଥିଲା। କିନ୍ତୁ ୧୬ ବର୍ଷ ଅତିକ୍ରମ କରିଯିବା ପରେ ବି ଟର୍ଫ ବଦଳା ଯାଇ ନାହିଁ। ୮ ବର୍ଷ ହେଲା ଟର୍ଫ ନଷ୍ଟ ହୋଇଗଲାଣି। ନୂଆ ଟର୍ଫ ଲଗାଇବା ନେଇ ସାଇ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁ ନଥିବାରୁ ଖେଳାଳିମାନଙ୍କ ଅଭ୍ୟାସ ବନ୍ଦ ହୋଇଯାଇଛି। ଭବାନୀପୁରସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସର ଅବସ୍ଥା ମଧ୍ୟ ତଦୃପ। ୧୯୯୭ରେ ସୁନ୍ଦରଗଡ଼ ଭବାନୀଶଙ୍କର ଉଚ୍ଚବିଦ୍ୟାଳୟରେ ପ୍ରତିଷ୍ଠିତ ହୋଇଥିଲା ରାଜ୍ୟ କ୍ରୀଡ଼ା ଛାତ୍ରାବାସ ୨୦୦୭ରେ ଭବାନୀପୁରକୁ ସ୍ଥାନାନ୍ତର ହୋଇଥିଲା।

୧୦୫ ଏକର ପରିମିତ ଜମିରେ ଗଢ଼ି ଉଠିଥିବା ଏହି ଛାତ୍ରାବାସରେ ଉଭୟ ବାଳିକ ଓ ବାଳିକା ବର୍ଗରେ ହକି, ଫୁଟବଲ, ଆଥଲେଟିକ୍ ଓ ତୀରଚାଳନା ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ଦେଢ଼ ବର୍ଷ ତଳେ ଏଠାରୁ ବାଳକ ବିଭାଗକୁ ପାନପୋଷ ଉଠାଇ ନିଆଯାଇଥିବା ବେଳେ ଆଥଲେଟିକ୍କୁ ଭୁବନେଶ୍ବର ସ୍ଥାନାନ୍ତର କରି ଦିଆଯାଇଛି। ସୁନ୍ଦରଗଡ଼ର ଖେଳାଳିମାନେ ସେଠାକୁ ଯାଇ ପ୍ରଶିକ୍ଷଣ ନେଉଛନ୍ତି। ଅନ୍ୟପଟେ ଫୁଟବଲ ପ୍ରଶିକ୍ଷଣ ପାଇଁ ଭଲ ପଡ଼ିଆଟେ ନାହିଁ। ଚାରିଆଡ଼େ ଗୋଡ଼ି ମୁରୁମ, ଉଠାପକା ଦଦରା ପଡ଼ିଆରେ ଖେଳାଳିମାନେ ତାଲିମ ନେଉଛନ୍ତି। ନିକଟରେ ବାଳିକା ଖେଳାଳିମାନଙ୍କ ପାଇଁ ଏକ ଆଷ୍ଟ୍ରୋଟର୍ଫ ତିଆରି ହୋଇଛି। ହକି ଓ ଅନ୍ୟ କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ର ଖେଳାଳି ଦେଶ ପାଇଁ ଇତିହାସ ରଚୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ପ୍ରଶ୍ନବାଚୀ ସୃଷ୍ଟି କରିଛି।