ମଳ ତିଥିରେ ମହାପ୍ରଭୁଙ୍କ ରାହୁରେଖା ନୀତି

ଗଣକଙ୍କ ଦୃଢ଼ ବିରୋଧ, ଅଶୁଭ ଫଳ ଦେବ, ‘ଶ୍ରୀମନ୍ଦିର ଅନୁସାରେ ପାଞ୍ଜି, ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ନୁହେଁ’

ପୁରୀ : ଶ୍ରୀମନ୍ଦିରରେ ଆଜି ମଳ ତିଥିରେ ରାହୁରେଖା ନୀତିକୁ ନେଇ ପାଞ୍ଜିକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ପାଞ୍ଜିକାରମାନେ ଦୃଢ଼ ବିରୋଧ କରିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ଠିକ୍ ବୋଲି ଦର୍ଶାଇଛି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି ପାଳିତ ହୋଇଛି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ସ୍ନାନପୂର୍ଣ୍ଣିମାଠାରୁ ଓଲାଗି ହୋଇ ରହିଥିବା ରାହୁରେଖାକୁ ଆଜି ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି କରାଯାଇଛି। ଅପରାହ୍ଣ ଗୋଟାଏରେ ଭୋଗମଣ୍ଡପ ନୀତି ଶେଷ ପରେ ଅପରାହ୍ଣ ୨ଟାରୁ ରାହୁରେଖା ନୀତି ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ୨୫ରେ ନୀତି ଶେଷ ପରେ ମହାସ୍ନାନ ଆରମ୍ଭ ହୋଇଥିଲା। ମହାସ୍ନାନ ନୀତି ଶେଷ ପରେ ସଂଧ୍ୟା ପ୍ରାୟ ୬ଟା୫ରୁ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରାୟ ୪ ଘଣ୍ଟା ଦର୍ଶନ ବନ୍ଦ ରହିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।

ତେବେ ଶ୍ରୀମନ୍ଦିରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଗଣକମାନେ। କହିଛନ୍ତି ପାଞ୍ଜିକୁ ଅମାନ୍ୟ କରି ଆଜି ଶ୍ରୀମନ୍ଦିରରେ ରାହୁରେଖା ନୀତି ପାଳିତ ହୋଇଛି। ଏହା ବିପରୀତ ଫଳ ଦେବ। ଅଶୁଭ ଫଳ ସହ ଅନେକ ଅନିଷ୍ଟ ଘଟିବ। ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଗଣକମାନଙ୍କ ଏହି ଗଣନାକୁ ଭୁଲ୍ ବୋଲି କହିଛି। ସାମନ୍ତ ଚନ୍ଦ୍ରଶେଖର ପାଞ୍ଜିକାର ବରିଷ୍ଠ ପାଞ୍ଜିକାର ବୈକୁଣ୍ଠ ନାୟକ କହିଛନ୍ତି, ଆଜି ରାହୁରେଖା ନୀତି ପାଳନ ଶାସ୍ତ୍ର ଅନୁମୋଦିତ ନୁହେଁ। ଆସନ୍ତାକାଲି ହିଁ ରାହୁରେଖା ଲାଗି ନୀତି ଥିଲା। ଆଜି କେବଳ ମଳ ତିଥି ଥିଲା। ମଳ ତିଥିରେ କୌଣସି ନୀତି ପାଳନ ହୁଏନି। ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟିକୁ ଲୁଚାଇବା ଠିକ୍ ନୁହେଁ। ଅନ୍ୟପଟେ ବରିଷ୍ଠ ପାଞ୍ଜିକାର ଦେବଦର୍ଶୀ ଖଡ଼ୀରତ୍ନ କହିଛନ୍ତି, ଆସନ୍ତାକାଲି ଦିନତମାମ୍ ରାହୁରେଖା ନୀତି ଥିଲା। ଆଜି କେବଳ ଦୁଇ ତିନି ମିନିଟ୍ ପାଇଁ ଏହି ନୀତି ରହିଥିଲା। ମଳ ତିଥିରେ କୌଣସି ଶୁଭ କାମ କରାଯାଏନାହିଁ। ତଥାପି ଶ୍ରୀମନ୍ଦିର ପ୍ରଶାସନ କେଉଁ ଶାସ୍ତ୍ର ଅନୁସାରେ ଏହି ନୀତି ପାଳନ କଲେ ତାହା ଦେଖିଲେ ଯାଇ ଯାହା କହିହେବ।

ଅପରପକ୍ଷେ, ଏ ସଂପର୍କରେ ଶ୍ରୀମନ୍ଦିର ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ପାଞ୍ଜିକାରମାନେ ବାରମ୍ବାର ପାଞ୍ଜିରେ ତିଥି, ନକ୍ଷତ୍ର ଆଦି ଭୁଲ୍ କରୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ପାଞ୍ଜି ଅନୁମୋଦନ ସ୍ବୀକୃତି ପ୍ରଦାନ କରିନି। ନିକଟରେ ଏପ୍ରିଲ ୧୪ ରାମ ନବମୀକୁ ଉଦାହରଣ ଭାବେ ନିଆଯାଇପାରେ। ଅଶୋକାଷ୍ଟମୀ, ବାହୁଡ଼ା ଓ ସୁନାବେଶରେ ବି ସମାନ କଥା ଦେଖିବାକୁ ମିଳିଥିଲା। ଗଣନା ଭୁଲ୍ ଯୋଗୁ ବାହୁଡ଼ା ଦିନ ସୁନାବେଶ ପଡ଼ିଥିଲା। ତିଥି ଦେଖିବାକୁ ଗଲେ ଦୁଇ ଅଲଗା ଅଲଗା ତିଥି ପାଳନ ହୋଇଥାଏ। ଉଦୟକାଳୀନ ତିଥି ଓ ରାତ୍ରକାଳୀନ ତିଥି। କେଉଁ ନୀତି କେଉଁ ଦିନ ପଡ଼ିବ, ସେହି ଅନୁସାରେ ଗଣନା କରଯାଇଥାଏ। କିନ୍ତୁ ଗଣକମାନଙ୍କ ଗଣନା ଭୁଲ୍ ଯୋଗୁ ଗତକାଲି ରାହୁରେଖା ଲାଗି ନୀତି ପାଞ୍ଜିରେ ଉଲ୍ଲେଖ ରହିଛି। ଯେଉଁମାନେ ବି ପାଞ୍ଜିରେ ଏହି ନୀତି ସଂପର୍କରେ ଉଲ୍ଲେଖ କରିଥିଲେ ସେମାନେ ମଧ୍ୟ ଶ୍ରୀମନ୍ଦିର ନୀତି ଚୂଡ଼ାନ୍ତ ସମୟରେ ଉପସ୍ଥିତ ଥିଲେ। ତଥାପି ଏଭଳି କହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର