ଚୌଦ୍ୱାର ଜେଲରେ ଚଢ଼ଉ

ଚୌଦ୍ୱାର : ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ନେତୃତ୍ବରେ ଆଜି ଚୌଦ୍ୱାର ଜେଲରେ ଚଢଉ ହୋଇଛି। ଆଜି ଦିନ ସାଢ଼େ ୧୧ଟା ସମୟରେ ଚୌଦ୍ୱାର ସମେତ କଟକ ସହରର ସମସ୍ତ ଥାନାର ଅଧିକାରୀ, ୫ ପ୍ଲାଟୁନ୍ ଫୋର୍ସ ସହ ଏହି ଚଢ଼ଉ କରାଯାଇଥିଲା। ଚଢ଼ାଉରେ କଟକ ଡିସିପି ଅଖିଳେଶ୍ୱର ସିଂହ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୨ଘଣ୍ଟା କାଳ ଜେଲ ଭିତରେ ଛାନଭିନ ଚାଲିଥିଲା। ଜେଲର ପ୍ରତି ୱାର୍ଡ଼, ସେଲ ଓ ଡାକ୍ତରଖାନାରେ ତଲାସି କରାଯାଇଥିଲା। କିନ୍ତୁ କୌଣସି ଆପତ୍ତିଜନକ ସାମଗ୍ରୀ ଜେଲ ମଧ୍ୟରୁ ମିଳି ନଥିଲା ବୋଲି କମିଶନର ଶ୍ରୀ ମହାନ୍ତି କହିଛନ୍ତି। ନିର୍ବାଚନ ଆଚରଣବିଧି ଲାଗୁ ହେଲା ପରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଷେଧମୂଳକ ବ୍ୟବସ୍ଥା ଅନୁଯାୟୀ ଆଜି ଏହି ଚଢ଼ଉ କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି। ଚଢ଼ଉରେ ଜେଲ କର୍ତ୍ତୃପକ୍ଷ ବି ପୂର୍ଣ୍ଣ ସହଯୋଗ କରିଛନ୍ତି। ଅନ୍ୟପଟେ କଏଦୀ ଶୁଭ୍ରାଂଶୁ ଓରଫ ଟନି ମୃତ୍ୟୁ ଘଟଣାର ତଦନ୍ତ ଭାରର ତଦାରଖ ଜଣେ ଏସିପିଙ୍କୁ ଦିଆଯାଇଥିବା ଏବଂ ଆଗାମୀ ଦିନରେ ବି ଏହି ଚଢ଼ଉ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଚଢଉ ସମୟରେ ଜେଲ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ୱାଇଁ, ଜେଲର ହେମନ୍ତ ସେଠୀ, ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚୌଦ୍ୱାର ଜେଲରେ ବର୍ତ୍ତମାନ କୌଣସି ଜାମର କାମ କରୁନଥିବା ବେଳେ ସ୍କାନରର ବ୍ୟବହାର ହେଉନାହିଁ। ବିଭିନ୍ସ ସମୟରେ ଜେଲରେ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଉଥିବା ବେଳେ ମୋବାଇଲ ଜବତ ହେଉଛି। ଜେଲ୍‌ ଭିତର ଭିଡ଼ିଓ ଭାଇରାଲ ହେଉଛି। କଟକର ବହୁଚର୍ଚ୍ଚିତ କେଶିଆ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଟନିର ମୃତ୍ୟୁ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର