ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ାଉ କରୁଛି। ଯେଉଁମାନଙ୍କ ଘରେ ଏହି ଚଢ଼ାଉ ଚାଲିଛି, ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏମାନେ ସମସ୍ତେ ପ୍ରତିଷ୍ଠିତ ବ୍ୟବସାୟୀ ଓ ଶାସକ ଦଳର ସମର୍ଥକ ବୋଲି ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ମହମ୍ମଦ ସାଜିଦ ଦିବଙ୍ଗତ ବିଧାୟକ ବିଜୟସିଂ ବରିହାଙ୍କ ଘନିଷ୍ଠ ସହଯୋଗୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ।
/sambad/media/post_attachments/wp-content/uploads/2022/11/441fc739-1ea8-4938-a11c-c25524c22bbc.jpg)
ଏଣେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମସୀମାରେ ପହଂଚିଛି। ରବିବାର ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ଗସ୍ତକୁ ନେଇ ନିର୍ବାଚନମଣ୍ଡଳୀ ସରଗରମ ରହିଥିଲା। ତେବେ ମନ୍ତ୍ରୀଦ୍ବୟଙ୍କ ସହ ସାଂସଦ ଏବଂ ତୁଙ୍ଗନେତାମାନେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଏହାର ଗୁଇନ୍ଦାଗିରି ଚାଲିଥିବା ବିଜେପି ଅଭିଯୋଗ କରି ଥାନା ଦ୍ବାରସ୍ଥ ହୋଇଛି। ଏନେଇ ଯୁବନେତା ପ୍ରୀତେଶ ବହିଦାର ଥାନାରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।
ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ମନ୍ତ୍ରୀଦ୍ବୟଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପଦ୍ମପୁରର ପୁରୁଷୋତ୍ତମପୁର ନିବାସୀ ଅମିତ ଗର୍ଗଙ୍କ ଘରେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏତିକି ବେଳେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଂଚି ମୋବାଇଲ୍ରେ ସବୁ ଦୃଶ୍ୟ ରେକର୍ଡିଂ କରି ଚାଲିଥିଲା। କେନ୍ଦ୍ରମନ୍ତ୍ରୀମାନଙ୍କ ସୁରକ୍ଷାକର୍ମୀ ସଂପ୍ତୃକ୍ତ ଯୁବକକୁ ଏଥିରୁ ବାରଣ ବରିବା ସହିତ ପରିଚୟ ମାଗିଥିଲେ। ଏହାପରେ ବ୍ୟକ୍ତିଜଣକ ନିଜକୁ ଜିଲ୍ଲା ଗୁଇନ୍ଦା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାକୁ ସେଠାରେ ପଚରାଉଚରା ଆରମ୍ଭ ହେବା ପରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ସେଠାରେ ତା’ର ମୋବାଇଲ୍ ଏବଂ ପରିଚୟପତ୍ର ପଡ଼ିଥିଲା। ତନାଘନା ପରେ ସେ ଜଣେ ଜାଲ୍ ଗୁଇନ୍ଦା ଅଧିକାରୀ ବୋଲି ସନ୍ଦେହ ହେବା ପରେ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ded6356b-6767-48e9-97ca-fcfef94ebb77.jpg)