ଶେଷରେ ଚେତିଲା ଆର୍‌ଏସ୍‌ପି: ଫାଷ୍ଟ୍‌ଫୁଡ୍‌ ଷ୍ଟଲ, ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ

ରାଉରକେଲା: ସହରର ପ୍ରମୁଖ ଅଞ୍ଚଳଠାରୁ ଆରମ୍ଭକରି ବସ୍ତି ପର୍ଯ୍ୟନ୍ତ; ସବୁ ରାସ୍ତା କଡ଼ରେ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ ଖୋଲିଲାଣି। ତେବେ ଅଧିକାଂଶ ଖାଦ୍ୟପେୟ ଷ୍ଟଲ୍‌ରେ ଖାଦ୍ୟ ନିରାପତ୍ତା ନିୟମର ଅନୁପାଳନ କରାଯାଉନି। ଫଳରେ ବିଭିନ୍ନ ଷ୍ଟଲ୍‌ରେ ବାସୀ ଖାଦ୍ୟ, ରଙ୍ଗମିଶା ଖାଦ୍ୟ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଭଳି ଫାଷ୍ଟ୍‌ଫୁଡ୍‌ ଦୋକାନରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ଉ କରିବାକୁ ଦାବି ହେଉଥିଲା। ବିଳମ୍ବ ହେଉ ପଛେ, ଏବେ ବିଭାଗର ଚେତା ପଶିଛି। ପାର୍ବଣ ଋତୁକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ମାର୍କେଟ ଅଞ୍ଚଳରେ ଚଢ଼ଉ କରାଯାଉଛି।
ବିଭାଗ ପକ୍ଷରୁ ଅକ୍ଟୋବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୪ ଥର ଅତର୍କିତ ଚଢ଼ଉ କରାଯାଇଛି। ଗତ ବୁଧବାର ଦିନ ସେକ୍ଟର-୨ ମାର୍କେଟ୍‌ ଅଞ୍ଚଳରେ ବିଭାଗ ପକ୍ଷରୁ ଛାନ୍‌ଭିନ କରାଯାଇଥିଲା। ଏଠାରେ ଥିବା ୩୪ଟି ଦୋକାନ, ଷ୍ଟଲ୍‌ର ଖାଦ୍ୟର ମାନ ଯାଞ୍ଚ କରିଥିଲେ ବିଭାଗୀୟ କର୍ମଚାରୀ। ଖାଦ୍ୟର ନମୁନା ସଂଗ୍ରହ କରାଯିବା ସହ ଖାଦ୍ୟରେ ରଙ୍ଗର ମିଶ୍ରଣ, ବାସୀ ଖାଦ୍ୟ ନା ନୁହେଁ ତାହା ତଦାରଖ କରିଥିଲେ। ଏଥଦ୍‌ବ୍ୟତୀତ ଦୋକାନି ଲାଇସେନ୍ସଯୁକ୍ତ ନା ନୁହେଁ, ତାହା ଯାଞ୍ଚ କରିଥିଲେ। ନିୟମ ଉଲ୍ଲଂଘନକରି ବେପାର କରୁଥିବା ଅଭିଭଯୋଗରେ ଦୋକାନିମାନଙ୍କଠାରୁ ୧୦ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହାସହ ବିନା ଲାଇସେନ୍ସଧାରୀ ବେପାରିଙ୍କୁ ନୋଟିସ୍‌ ଜାରି କରାଯିବା ସହ ଯଥାଶୀଘ୍ର ଆର୍‌ଏମ୍‌ସିରୁ ଲାଇସେନ୍ସ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଳେଖଯୋଗ୍ୟ, ଗତ ୧୭ ତାରିଖରେ ବିଭାଗ ପକ୍ଷରୁ ବିର୍ସା ରୋଡ୍‌, କୋ,ଲନଗର ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ନିୟମ ଉଲ୍ଲଂଘନକାରୀ ଦୋକାନିଙ୍କଠାରୁ ମୋଟ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ଗତ ୧୧ ତାରିଖରେ ଛେଣ୍ଡ୍‌ ଅଞ୍ଚଳରେଥିବା ୨୭ଟି ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରକାଯାଇଥିଲା। ନିୟମ ଙ୍ଗକାରୀ କୋଦାନିଙ୍କଠାରୁ ୩୩୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଗତ ୬ ତାରିଖରେ ସେକ୍ଟର-୧୬ ଓ ସେକ୍ଟର-୧୮ରେ ଥିବା ବିଭିନ୍ନ ମାର୍କେଟରେ ଥିବା ୨୭ଟି ଫାଷ୍ଟ୍‌ଫୁଡ୍‌ ଷ୍ଟଲରେ ଯାଞ୍ଚ କରିଥିଲେ। ତେବେ ଏକାଧିକ ଦୋକାନି ସରକାରୀ ନିୟମର ଖୋଲା ଉଲ୍ଲଂଘନକରି ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ଏଣୁ ସେମାନଙ୍କଠାରୁ ଜରିମାନା ବାବଦକୁ ୭୩୦୦ ଟଙ୍କା ଆଦାୟ କରାଯାଇଥିଲା।
ସମ୍ବନ୍ଧିତ ଖବର