ଖୋର୍ଦ୍ଧା : ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ବ ବିଭାଗ ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଆଜି ବିଭିନ୍ନ ବେଆଇନ ଖଣ୍ଡୋଲାଇଟ୍ ପଥର ଖଣି ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ପଥର କାରଖାନା ଭଙ୍ଗାଯିବା ସହ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି।

Advertisment

ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ବନ୍ଦୋବସ୍ତ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ, ତହସିଲଦାର ଶୁଭେନ୍ଦୁ କୁମାର ସାମଲ, ଡିଏସ୍‌ପି ସତୀଶ ପାଢ଼ୀ, ଅତିରିକ୍ତ ତହସିଲଦାର ସ୍ମୃତିପ୍ରଜ୍ଞା, ଜଙ୍କିଆ ଥାନା ଅଧିକାରୀ ୧ ପ୍ଲାଟୁନ୍ ଫୋର୍ସ ସହ ନରଣଗଡ଼ ପଞ୍ଚାୟତର ବଉଳମାଳା ପାହାଡ଼ରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ଉ କରିଥିଲେ।ଏହି ଚଢ଼ଉରେ ୬ଟି ପଥର ଖଣି ଓ ଖଣ୍ଡୋଲାଇଟ୍ ମୂର୍ତ୍ତି ତିଆରି କାରଖାନାକୁ ଡ୍ରୋଜର ଓ କ୍ରେନ୍ ସାହାଯ୍ୟରେ ଭଙ୍ଗାଯିବା ସହ ୬ଟି ପଥର କାଟିବା ଯନ୍ତ୍ର ସହ ଲକ୍ଷାଧିକ ଟଙ୍କାର ଜେନେରେଟର୍‌, ପାଣିପମ୍ପ, ମୂର୍ତ୍ତି ତିଆରି ସରଞ୍ଜାମ ଜବତ କରାଯାଇଥିଲା। ଏନେଇ ତହସିଲଦାର ଶୁଭେନ୍ଦୁ ସାମଲ କହିଛନ୍ତି, ଆଜିର ଚଢ଼ଉ ପରେ ଏନେଇ ଏତଲା ଦିଆଯିବ। ତଦନ୍ତ ପରେ ସମ୍ପୃକ୍ତ ବେଆଇନ କାରଖାନା ଚଲାଉଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିବାକୁ ପଦକ୍ଷେପ ନିଆଯିବ।

ସେହିଭଳି ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ବନ୍ଦୋବସ୍ତ ଅଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଏହି ସମସ୍ତ ବେଆଇନ ଖଣି ଓ କାରଖାନା ସବୁ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ବେଆଇନ ଭାବେ ଚାଲିଥିଲା। ଏହି ଅଞ୍ଚଳରେ ଜଗନ୍ନାଥଙ୍କ ଜମି ଉପରେ ବେଆଇନ ଦଖଲ ନେଇ ତଥ୍ୟ ରହିଛି। ତଥ୍ୟ ଆଧାରରେ ଆଗକୁ ଏଭଳି ଚଢ଼ଉ ଜାରି ରହିବ। ଡିଏସ୍‌ପି ସତୀଶ ପାଢ଼ୀ କହିଛନ୍ତି ଯେ ଏହି ଅଞ୍ଚଳରେ ମୂଲ୍ୟବାନ ବଉଳକୁଣ୍ତା ପଥରକୁ କାଟି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିଲା। ଏନେଇ ପୁଲିସ୍‌ ରାଜସ୍ବ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲା। ଆମ ପାଖରେ ଥିବା ସୂଚନାନୁସାରେ, ଏହି ଅଞ୍ଚଳରେ ଏଭଳି ବେଆଇନ ଖଣି ଓ ପଥର ସ୍ଲାବ୍ ପ୍ରସ୍ତୁତ କାରଖାନା ୯ଟି ଥିବା ସୂଚନା ରହିଛି। ଆଜି ୬ଟିକୁ ଧରାଯାଇଛି। ଆଗାମୀ ଦିନରେ ବଳକା ବେଆଇନ ଖଣି ଉପରେ ଚଢ଼ଉ କରାଯିବ।