ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାର ଉପରେ ଚଢାଉ । ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ । ବାରରେ ବେଆଇନ ଭାବେ ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ଚଢ଼ାଉ କରିଥିଲା ଫ୍ଲାଇଙ୍ଗ ସ୍କାର୍ଡ । ଚଢ଼ାଉ ସମୟରେ ଯୁବତୀଙ୍କ ସମେତ ୧୬ଜଣଙ୍କୁ ଧରିଛି ଚଢ଼ାଉ କରିଥିବା ଟିମ୍ । ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ସେମାନଙ୍କ ଉପରକୁ ଫିଙ୍ଗା ଯାଉଥିବା ପୁଳା ପୁଳା ନକଲି ନୋଟକୁ ମଧ୍ୟ ଜବତ କରାଯାଇଛି ।
ସୂଚନା ମୁତାବକ, ମଙ୍ଗଳବାର ଦିନ ଏକାଧିକ ଅବକାରୀ ଟିମ୍ ପ୍ରଥମେ କଟକ ରୋଡରେ ଥିବା ୫ଟି ବାର୍ରେ ଚଢ଼ାଉ କରିଥିଲେ। ଲିଭ୍ ଇଟ୍ ଅପ୍, ଏକାମ୍ର ଓ ନଶା ବାର୍ରେ ଚଢ଼ାଉ ବେଳେ ମ୍ୟୁଜିକ୍ର ତାଳେତାଳେ ଡ୍ୟାନ୍ସ ଚାଲିଥିବା ସାମ୍ନାକୁ ଆସିବାରୁ ଏହି ୩ଟି ବାରକୁ ସିଲ୍ କରି ଦିଆଯାଇଥିଲା । ଏହା ପରେ ଅଶୋକା ଓ ସେଲଫିରେ ମଧ୍ୟ ଚଢ଼ାଉ ସମୟରେ କୋଭିଡ୍ ଓ ଅବକାରୀ ଆଇନର ଉଲଂଘନ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏ ନେଇ ଦୁଇ ବାର୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେହିପରି ୟୁନିଟ୍-୮ ଅଞ୍ଚଳର ଅଜିତ୍ ବାର୍ ଓ ପଟିଆ ଏମ୍ବାସି ବାରରେ ମଧ୍ୟ ଚଢ଼ଉ କରାଯାଇଥିଲା । ରାତି ସାଢ଼େ ୯ଟାରେ ବାର ବନ୍ଦ ହେବାର ନିୟମ ଥିବା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ଚଢ଼ାଉ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।