ନକଲି ପୂଜା ସାମଗ୍ରୀ ଫ୍ୟାକ୍ଟ୍ରିରେ ଚଢ଼ଉ : କେନାଲ ପାଣିରୁ ଗଙ୍ଗାଜଳ

ମାଲିକ ଚଣ୍ଡୀ ରାଓ ଗିରଫ; ପୁରୀ ଯାଏ ଲମ୍ବିଛି ଚେର

କଟକ : ରାଣୀହାଟ କେନାଲ ପାଣିରୁ ପ୍ରସ୍ତୁତ ହେଉଛି ଗଙ୍ଗାଜଳ, ପଞ୍ଚତୀର୍ଥ ଜଳ। ପିଏଚଡି ପାଇପ୍ ପାଣିରୁ ପ୍ରସ୍ତୁତ ହେଉଛି ଗୋଲାପ ଜଳ। ଚିନିରେ ଏସେନ୍ସ ମିଶାଇ ପ୍ରସ୍ତୁତ ହେଉଛି ମହୁ। ଗଲା ୫ ବର୍ଷ ହେବ ସହରର ବିଭିନ୍ନ ପୂଜା ସାମଗ୍ରୀ ଦୋକାନକୁ ଏହି ନକଲି ଭେଜାଲ ପୂଜା ସାମଗ୍ରୀ ଚାଲାଣ ହୋଇ ଆସୁଛି। ରାଣୀହାଟ କେନାଲ ରୋଡ ଚମଡ଼ା ଗୋଦାମ ଗଳିରେ ଚାଲି ଆସୁଥିବା ଏହି ନକଲି ପୂଜା ସାମଗ୍ରୀ ଫ୍ୟାକ୍ଟ୍ରି ଉପରେ ମାଲଗୋଦାମ ଥାନା ପୁଲିସ ଚଢ଼ଉ ପରେ ଏଭଳି ଏକ କେଳେଙ୍କାରୀ ଧରାପଡ଼ିଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ ଆକଳନ କରୁଛି। ଏହି ମାମଲାରେ ପୁଲିସ ଫ୍ୟାକ୍ଟ୍ରି ମାଲିକ ଚଣ୍ଡି ରାଓ(୩୭)କୁ ଗିରଫ କରିଛି। ଏବେ କଟକ ସହରରେ ପ୍ରାୟ ୨୦ଟି ପୂଜା ସାମଗ୍ରୀ ଦୋକାନକୁ ଏଭଳି ନକଲି ସାମଗ୍ରୀ ଚାଲାଣ କରୁଥିବା ସମ୍ପର୍କରେ ସେ ପୁଲିସକୁ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ରାଣୀହାଟ କେନାଲ ରୋଡ ଅନ୍ତର୍ଗତ ଚମଡ଼ା ଗୋଦାମ ଗଳିରେ ଚଣ୍ଡି ନକଲି ମହୁ ଏବଂ ସମସ୍ତ ପ୍ରକାର ପୂଜା ସାମଗ୍ରୀ ଜିନିଷ ପ୍ରସ୍ତୁତ କରୁଥିଲା। ୧୧ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ମାଲଗୋଦାମ ଥାନା ପୁଲିସ ଏ ସଂପର୍କରେ ଖବର ପାଇଥିଲା। ଥାନା ଆଇଆଇସି ରବିନାରାୟଣ ଭଞ୍ଜଙ୍କ ନେତୃତ୍ବରେ ଏସଆଇ ସୁନିଲ ଯାଦବ ଏବଂ ଟିମ୍ ଚଢ଼ଉ କରିଥିଲେ। ଚଢ଼ଉରେ ୧୮୦ ବୋତଲ ଗଙ୍ଗା ଜଳ, ୩ ହଜାର ୪୫୬ ବୋତଲ ଗୁଲାବ ଜଳ, ୧୫ଶହ ୩ ବୋତଲ ଅଗୁରୁ ଜଳ, ୨ହଜାର ୧୯ଟି ଖାଲି ବୋତଲ, ଦୁଇଟି ଜାର୍, ହଣ୍ଡା ଏବଂ ଗ୍ୟାସ୍ ଚୁଲା ଜବତ କରାଯାଇଛି। ଚଣ୍ଡିକୁ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ତା’ର ସ୍ତ୍ରୀ ସହଯୋଗ କରୁଥିଲା। ସେହିପରି ୫ ଜଣ ଶ୍ରମିକ ବି ନିୟୋଜିତ ହୋଇଥିଲେ। ପୁଲିସ ଚଣ୍ଡିକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଚଣ୍ଡି ନକଲି ପୂଜା ସାମଗ୍ରୀଗୁଡ଼ିକ କଟକର ବିଭିନ୍ନ ଦୋକାନ ସମେତ ଭୁବନେଶ୍ବର ଓ ପୁରୀ ଜିଲ୍ଲାକୁ ବି ଚାଲାଣ କରି ଆସୁଥିଲା। ଚିନିକୁ ପାଗ କରିବା ପରେ ସେଥିରେ ଏସେନ୍ସ ମିଶାଇ ଅବିକଳ ମହୁ ପରି କରି ଦେଉଥିଲା। ଅଗୁରୁ ପାଇଁ ବି ଏକ ପ୍ରକାର ସ୍ପିରିଟ୍ ଓ ଏସେନ୍ସ ବ୍ୟବହାର କରାଯାଉଥିଲା। ଏହିସବୁ ପୂଜା ସାମଗ୍ରୀ ଭର୍ତ୍ତି କରିବା ପାଇଁ ନନ୍ଦୀ ସାହି ଓ ଚୌଧୁରୀ ବଜାର ଅଞ୍ଚଳରୁ ପ୍ଲାଷ୍ଟିକ ସିସି କିଣୁଥିଲା ଚଣ୍ଡି। ଏଥିରେ ଭର୍ତ୍ତି କରି ଷ୍ଟିକର୍ ମାରିବା ପରେ ବଜାରକୁ ବିକ୍ରି ପାଇଁ ଛାଡ଼ୁଥିଲା। ଡବାଗୁଡ଼ିକ ସିଲ୍ କରିବା ପାଇଁ ଏକ ମେସିନ୍ ବି ବ୍ୟବହାର କରାଯାଉଥିଲା। ବଜାରରେ ଗଙ୍ଗାଜଳ ଓ ପଞ୍ଚତୀର୍ଥ ଜଳ ବୋତଲ ପିଛା ୧୦ ଟଙ୍କାରେ ବିକ୍ରି କରାଯାଉଥିଲା। ସେହିପରି ଗୋଲାପ ଜଳ ଓ ଅଗୁରୁ ୨୦ ଟଙ୍କାରେ ଏବଂ ମହୁ ୫୦ରୁ ୧୦୦ ଟଙ୍କା ବିକ୍ରି କରୁଥିଲା ଚଣ୍ଡି।

ସମ୍ବନ୍ଧିତ ଖବର