ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିଲା ନକଲି ମଦ, ଠାବ କଲା ଅବକାରୀ ବିଭାଗ

ବିପୁଳ ପରିମାଣର ନକଲି ବିଦେଶୀ ମଦ, ଜଣେ ଗିରଫ

ଭଞ୍ଜନଗର: ଜଙ୍ଗଲ ଭିତରେ ଅପହଞ୍ଚ ଇଲାକାରେ ଏକ ପରିତ୍ୟକ୍ତ କୋଠାରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି। ଅବିକଳ ବିଦେଶୀ ମଦ ବୋତଲ ଭିତରେ ଭରା ହେଉଥିଲା ନକଲି ପ୍ରସ୍ତୁତ ମଦ। ଆଉ ବୋତଲ ଉପରେ ଲଗାଯାଉଥିଲା ବିଦେଶୀ ମଦର ବିଭିନ୍ନ ବ୍ରାଣ୍ଡ ର ଲେବୁଲ୍। ଖବର ପାଇ ଚଢ଼ଉ କରିଛି ଭଞ୍ଜନଗର ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ। ଅବକାରୀ ଟିମ୍ ଚଢାଉ କରି ବିପୁଳ ନକଲି ବିଦେଶୀ ମଦ ସହ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହା ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ଅଛନ୍ତି ।

ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା ଅଧୀନ ବିରିପଦର୍ ନିକଟ ରାଇପଲ୍ଲୀ ଜଙ୍ଗଲରେ ନକଲି ବିଦେଶୀ ମଦ କାରଖାନା ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ ।  ଅବକାରୀ ବିଭାଗର ଏକ ଟିମ ରାଇପଲ୍ଲୀ ଜଙ୍ଗଲରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ମଦ ପ୍ରସ୍ତୁତି ସରଞ୍ଜାମ ସହିତ ବିଭିନ୍ନ ବ୍ରାଣ୍ଡର ୧୮୦ମିଲି ନକଲି ବିଦେଶୀ ମଦ, ୧୨୮୯ ବୋତଲ, ୫୦୦ମିଲି ହୋମିଓପାଥିକ ସ୍ପିରିଟର ୪୪ ଟି ବୋତଲ ଏବଂ ବିଭିନ୍ନ କମ୍ପାନିର ଷ୍ଟ୍ରିକର ସହିତ ଖାଲି ବୋତଲ ଜବତ କରିଛି । ଏହା ସହିତ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଦୋମୁହାଁଣୀ ନିକଟ ଗରୁଡ଼ ଗ୍ରାମର ଟୁବୁଲ ନାୟକ ଓରଫ୍ ଆକାଶ । ସେଠାରେ ଥିବା ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ନକଲି ମଦ ପ୍ରସ୍ତୁତ ଓ ବ୍ୟବସାୟର ମାଷ୍ଟରମାଇଣ୍ଡକୁ କାବୁ କରିବାକୁ ତଦନ୍ତ ଜୋରଦାର କରାଯାଇଥିବା ଏସାଇ ରମ୍ଭା ବାଗ୍ କହିଛନ୍ତି। ଗିରଫ ଅଭିଯୁକ୍ତ ଟୁବୁଲକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଥାନା ଅଧିକାରୀ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର