ମାଫିଆଙ୍କୁ ସାବାଡ଼ ପାଇଁ ଚଢ଼ଉ : ଗୋଟିଏ ଦିନରେ ୪୩ ଗାଡ଼ି ଜବତ

ଖାଦାନ, ବାଲିଘାଟ ମାଲିକ ଛାନିଆ

ଯାଜପୁର/ଟାଉନ/ଧର୍ମଶାଳା : ବେଧଡ଼କ ଖଣିଜ ସଂପଦ ଲୁଟ୍‌ ଘଟଣାରେ ଖୋଦ ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ମାଫିଆମାନଙ୍କୁ ସାବାଡ଼ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବେଆଇନ୍‌ ଖାଦାନ, ବାଲିଘାଟ ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୪୩ଟି ଗାଡ଼ି ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦର୍ପଣ ତହସିଲ ଅଧୀନରେ ୨୧ ଗୋଟି, ଧର୍ମଶାଳା ତହସିଲର ୪ ଗୋଟି ଓ ସୁକିନ୍ଦା ତହସିଲରୁ ୩ ଗୋଟି ଏହିଭଳି ସର୍ବମୋଟ ୪୩ ଗୋଟି ଗାଡି ଜବତ କରାଯାଇଥିଲା। ପ୍ରଥମେ ବୁଢା ନଦୀର ବୁଢାଘାଟ ଠାରେ ଚଢଉ କରାଯାଇ ୧୫ ଟି ବାଲି ବୋଝେଇ ଗାଡି ଜବତ କରାଯାଇଥିଲା । ଧର୍ମଶାଳା ଓ ଦର୍ପଣ ତହସିଲ ଅଧୀନରେ ଥିବା କଳାପଥର, ମୋରମ, ମାଙ୍କଡା, ବାଲି ଖାଦାନରୁ ବେଆଇନ ଭାବେ ଉତ୍ତୋଳନ କରି ପରିବହନ କରୁଥିବା ଗାଡିଗୁଡିକୁ ଶୁକ୍ରବାର ଦିନ ଭୋର ୪ଟାରୁ ସକାଳ ୮ଟା ଯାଏ ଯାଜପୁର ଜିଲ୍ଲାପାଳ, ଏସ୍‌.ପି ଓ ଆରଟିଓଙ୍କ ନେତୃତ୍ୱରେ ଗଠିତ ୩ଟି ସ୍କ୍ଵାଡ ଚଢାଉ କରି ୨୧ଟି ଟ୍ରକ୍‌ ଜବତ କରିଛନ୍ତି। ଯାଜପୁର ତହସିଲ ଅନ୍ତର୍ଗତ ବରୁଆଁ ଓ ବୁଢାକୂଳ ବ୍ରିଜ ରାସ୍ତା ମଧ୍ୟରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ଅଚାନକ ତହସିଲଦାର ସେଠାରେ ପହଞ୍ଚି ଚଢଉ କରି କଳାପଥର ଓ ମୋରମ୍‌ ବୋଝେଇ ହୋଇ ଯାଉଥିବା ୬ଟି ଟ୍ରକ୍‌କୁ ଜବତ କରି ଥାନାରେ ଜିମା ଦେଇଛନ୍ତି। ସେପଟେ ଚଢ଼ଉ ଖବର ପାଇ ଖାଦାନ, ବାଲିଘାଟ ମାଲିକ ଛାନିଅାଁ ହୋଇପଡ଼ିଛନ୍ତି। ସେପଟେ ଓଭରଲୋଡ଼ ଓ ବେଆଇନ୍‌ ଚାଲାଣ କରୁଥିବା କେତେକ ଗାଡ଼ିକୁ ପ୍ରଶାସନିକ ଅଧିକାରୀମାନେ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର