କ୍ରାଇମ ବ୍ରାଞ୍ଚ ସ୍କାନରରେ କଲ୍ ସେଣ୍ଟର : ମାଟ୍ରିମୋନି ସେଣ୍ଟରରେ ଚଢ଼ଉ

ଭୁବନେଶ୍ବର : କ୍ରାଇମ୍‌ ବ୍ରାଞ୍ଚର ସ୍କାନର୍‌ରେ ଏବେ କଲ ସେଣ୍ଟର। ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ ଥିବା କଲ ସେଣ୍ଟରରେ ବେଆଇନ ଭାବେ ସିମ୍‌ ବକ୍ସ ବ୍ୟବହାର ହେଉଛି। ଏହି ସିମ୍‌ ବକ୍ସ ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲଗୁଡ଼ିକୁ ଲୋକାଲ କଲରେ ପରିଣତ କରାଯାଇ କୋଟି କୋଟି ଟଙ୍କା ଠକେଇ କରାଯାଉଛି। କେବଳ ସେତିକି ନୁହେଁ, ଏହି ସିମ୍‌ ବକ୍ସକୁ ମଧ୍ୟ ଅନେକ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି। ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନ(ଡିଓଟି) ଏହା ଜାଣିବାକୁ ପାଇଛି। ଡିଓଟି ପକ୍ଷରୁ ଏ ନେଇ କ୍ରାଇମ ବ୍ରାଞ୍ଚର ଏସଟିଏଫରେ ଅଭିଯୋଗ ପରେ ଏସଟିଏଫ ପକ୍ଷରୁ ଆଜି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ଦୁଇଟି କଲ ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ କଟକ ରୋଡ୍‌ ରାଧିକା ଟାୱାରରେ ଥିବା ଏକ ମାଟ୍ରିମୋନି ସେଣ୍ଟରରେ ବେଆଇନ ଭାବେ ସିମବକ୍ସ ବ୍ୟବହାର ହେଉଥିବା ଘଟଣା ସାମନାକୁ ଆସିଛି। ଡିଓଟି ଏବଂ ଏସଟିଏଫ ପକ୍ଷରୁ ଉକ୍ତ ସଂସ୍ଥାକୁ ନୋଟିସ କରାଯାଇଛି। ଖୁବ୍‌ ଶୀଘ୍ର ସିମବକ୍ସ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଏଥିରେ ତ୍ରୁଟି ଥିବା ଜଣାପଡ଼ିଲେ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଟିଏଫ ଏସପି ରାହୁଲ ପିଆର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏସଟିଏଫ ଏସପି ରାହୁଲଙ୍କ ସୂଚନା ମୁତାବକ, କିଛି ଦିନ ହେବ ରାଜଧାନୀର କେତେକ ସ୍ଥାନକୁ ଦେଶ ବାହାରୁ ଫୋନ୍‌ କଲ ଆସୁଥିଲା। ଏହି ସୂଚନା ପାଇବା ପରେ ଡିଓଟି ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା। ଡିଓଟି ସୂଚନା ପାଇବା ପରେ ଏସ୍‌ଟିଏଫର ସହଯୋଗ ନେଇଥିଲା। କେବଳ ଉପରୋକ୍ତ ଦୁଇଟି ସ୍ଥାନ କାହିଁକି, ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଥିବା କଲ ସେଣ୍ଟରରେ ଏଭଳି ବେଆଇନ ସିମ୍‌ବକ୍ସର ବ୍ୟବହାର ହେଉଛି। ବିଶେଷକରି ବ୍ରହ୍ମପୁର, ପୁରୀ, ଆସ୍କା, ଭୁବନେଶ୍ବର, ଗୋପାଳପୁରରେ ଏଭଳି ବେଆଇନ ସିମ୍‌ ବକ୍ସ ବ୍ୟବହାର ହେଉଥିବା ନେଇ ଏସଟିଏଫ ଖବର ପାଇଛି। ଖୁବ୍ ଶୀଘ୍ର ସେଠାରେ ମଧ୍ୟ ଚଢ଼ଉ କରାଯିବ ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି, ୨୦୧୬ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମବକ୍ସ ଠାବ କରିଥିଲା ଗୋପାଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସିମବକ୍ସ ବ୍ୟବହାର କରି ବିଭିନ୍ନ ବ୍ୟବସାୟୀମାନଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ କଲ ଆସୁଥିବା କାରଣରୁ ପୁଲିସ ଅପରାଧୀମାନଙ୍କ ପାଖରେ ପହଞ୍ଚି ପାରିନଥିଲା। ଶେଷରେ ମହାରାଷ୍ଟ୍ର ପୁଲିସ ଏ ସମ୍ପର୍କରେ ଗଞ୍ଜାମ ପୁଲିସକୁ ଖବର ଦେବା ପରେ ପୁଲିସ ସିମବକ୍ସ ଜବତ କରିବା ସହ ଏକ ଗ୍ୟାଙ୍ଗ ଠାବ କରି ପାରିଥିଲା। ଦାଦାବଟି ବ୍ୟତୀତ ସିମବକ୍ସ ମାଧ୍ୟମରେ ବିଦେଶରୁ ବିଭିନ୍ନ ଆତଙ୍କବାଦୀ ଓ ମାଓ ସଂଗଠନ ନେତାମାନେ ଏଠାରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ଯୋଗାଯୋଗରେ ରହୁଛନ୍ତି ମଧ୍ୟ। ଏହା ଜଣାପଡ଼ିବା ପରେ ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମ ବ୍ରାଞ୍ଚ ଏସଟିଏଫ୍।

ସମ୍ବନ୍ଧିତ ଖବର