ମାଲକାନଗିରି : ମଣ୍ଡିରୁ ପ୍ରତିଦିନ ଧାନ ଉଠୁଛି। ମିଲର ମଧ୍ୟ ନେଉଛନ୍ତି। ତଥାପି ମଣ୍ଡି ଖାଲି ହେଉନି। ନିୟମିତ ଆସୁଛି ହଜାର ହଜାର କ୍ବିଣ୍ଟାଲ ଧାନ। ସ୍ଥିତି ଏମିତି ହୋଇଛି ଯେ, ମାଲକାନଗିରି ଜିଲ୍ଲାର ଅଧିକାଂଶ ମଣ୍ଡିରେ ଶହ ଶହ କ୍ବିଣ୍ଟାଲ ଧାନ ଗଚ୍ଛିତ ହୋଇ ରହିଛି। ଯାହାକି ପ୍ରଶାସନକୁ ଅକଳିଆ ପରିସ୍ଥିତିରେ ପକାଇ ଦେଇଥିଲା। ତେଣୁ ଆଜି ଏକାଧିକ ଟିମ୍ ଗଠନ କରି ଏକକାଳୀନ ଜିଲ୍ଲାର ୨୧ଟି ମିଲରେ ଚଢ଼ଉ କରାଯାଇଛି।
ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଜିଲ୍ଲାର ଚାଷୀ ବାରମ୍ବାର ରାସ୍ତାକୁ ଓହ୍ଲାଉଛନ୍ତି। ପ୍ରଶାସନକୁ ବାରମ୍ବାର ଘେରିବା ପରେ ଏଥର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଜିଲ୍ଲାର ସମସ୍ତ ମିଲରେ ଚଢ଼ଉ କରି ଷ୍ଟକ୍ ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଥିଲେ। ପ୍ରଶାସନ ଏହି ନିର୍ଦେଶ ପାଇବା ପରେ ଗତକାଲି ଗୁପ୍ତ ବୈଠକ କରିଥିଲା। ଏହି ବୈଠକ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗକୁ ମଧ୍ୟ କୌଣସି ସୂଚନା ଦିଆଯାଇ ନଥିଲା। ଅନ୍ୟପଟେ ଧାନ କିଣୁଥିବା ସଂସ୍ଥା ଏବଂ ମିଲର୍ ମଧ୍ୟ କୌଣସି ସୁରାକ ପାଇ ନଥିଲେ। ଆଉ ଆଜି ପ୍ରଶାସନ ପକ୍ଷରୁ ଗଠିତ ଏକାଧିକ ଟିମ୍ ଆତର୍କିତ ଭାବେ ଚଢ଼ଉ କରିଥିଲା। ଜିଲ୍ଲାର ସମସ୍ତ ୨୧ଟି ଯାକ ମିଲ୍ରେ ଚଢ଼ଉ କରି ଯାଞ୍ଚ କରାଯାଇଥିଲା। ଷ୍ଟକ୍ ଯାଞ୍ଚ ସହ ମଣ୍ଡିରୁ କେତେ ଧାନ ଉଠାଇଛନ୍ତି ତାହାର ତଥ୍ୟ ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ମିଲ୍ରେ କେତେ ପରିମାଣରେ ଚାଉଳ ଅଛି, ସେଥିରୁ ସରକାରଙ୍କୁ କେତେ ଚାଉଳ ମିଳିବ ତାହାର ତଥ୍ୟ ମାଗିଥିଲେ ଚଢ଼ଉରେ ସାମିଲ ଥିବା ଅଧିକାରୀ। ଏହାବ୍ୟତୀତ କେତେକ ମଣ୍ଡିରେ ବି ଚଢ଼ଉ ହୋଇ କେତେ ପରିମାଣରେ ଧାନ ଗଚ୍ଛିତ ରହିଛି ତାହାର ତଥ୍ୟ ସଂଗ୍ରହ କରାଯାଇଛି। ଏହି ଟିମ୍ ଗୁଡ଼ିକରେ ସହକାରୀ ଜିଲ୍ଲାପାଳ, ବ୍ଲକ୍ ଏବଂ ସହସିଲ ପ୍ରଶାସନ ସହ ବହୁ ଅଧିକାରୀଙ୍କୁ ସାମିଲ କରାଯାଇଛି।
ଏଭଳି ଅଚାନକ ଚଢ଼ଉ ପାଇଁ ସରକାର କାହିଁକି ନିର୍ଦେଶ ଦେଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କିନ୍ତୁ ପରୋକ୍ଷରେ ଧାନ ସଂଗ୍ରହରେ ଅନିୟମିତତା ହେଉଥିବା ନେଇ ଏହି ଚଢ଼ଉ ପ୍ରମାଣିତ କରୁଛି। ପ୍ରତିଦିନ ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡିକୁ ଆସୁଥିବାରୁ କେଉଁଠୁ ଏହି ଧାନ ଆସୁଛି ତାହାର ମୂଳରେ ପହଞ୍ଚିବାକୁ ଏହି ଚଢ଼ଉ କରାଯାଇଥିବା କୁହାଯାଇଛି। ଆଜି ସୁଦ୍ଧା ୧୧ହଜାର କ୍ବିଣ୍ଟାଲ ଧାନ କିଣାଯାଇ ସାରିଲାଣି। ଏହି ଧାନ ସବୁ ମିଲର ନେଇ ସାରିଥିଲେ ମଧ୍ୟ ଚାଷୀ ଧାନ ନେଇ ମଣ୍ଡିରେ ପହଞ୍ଚୁଛନ୍ତି। ଯାହାକି ଏବେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏନେଇ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କୁ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ବେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ମଣ୍ଡି ଆରମ୍ଭରୁ ଭିତ୍ତିଭୂମି ଏବଂ ଟୋକେନକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମିଲର ଏବଂ କ୍ରୟକାରୀ ସଂସ୍ଥା ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଠିକ୍ ରୂପେ ଧାନ ଉଠୁନଥିବା ନେଇ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ। ଏହିକ୍ରମରେ ଗତକାଲି ଶିଖପାଲୀ ଲ୍ୟାମ୍ପସର ପୂର୍ବତନ ଏମ୍ଡି ଶ୍ୟାମସୁନ୍ଦର ପଟ୍ଟନାୟକ ଗିରଫ ହୋଇଥିଲେ। ଏଥିରୁ ମଣ୍ଡିକୁ କିଭଳି ପରିଚାଳିତ ହେଉଛି ତାହାର ଗୋଟିଏ ବଡ଼ ପ୍ରମାଣ ମିଳିଥିଲା। ଏହାପରେ ଯୋଗାଣ ବିଭାଗର ଅଧିକାରୀଙ୍କୁ ନ ଜଣାଇ ଆଜିର ଚଢ଼ଉ ସନ୍ଦେହ ସୃଷ୍ଟି କରିଛି। ଯାହାକୁ ଚାଷୀ ସ୍ବାଗତ କରିବା ସହ ପୂର୍ବରୁ ଏମିତି ହୋଇଥିଲେ କୌଣସି ଚାଷୀ ସମସ୍ୟା ଭୋଗି ନଥାନ୍ତେ ବୋଲି କହିଛନ୍ତି।