କେନ୍ଦ୍ରାପଡ଼ା, କଟକ, ପାରାଦୀପରେ ଏସ୍‌ଟିଏଫ୍‌ ଟିମ୍‌ : ଟିଟୋ ଆଡ଼ାରେ ଚଢ଼ଉ 

କେନ୍ଦ୍ରାପଡ଼ା/ଜଗତସିଂହପୁର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀର ଘର, ତା’ର ସମ୍ପର୍କୀୟ ୬ ଭାଇଙ୍କ ଘର, ଅଫିସ୍‌, ବାଇପାସ୍‌ ସ୍ଥିତ ସମ୍ବଲ୍‌ ଟ୍ରେଡର୍ସ, ପାରାଦୀପ ଓ କେନ୍ଦ୍ରାପଡାରେ ଚାଉଁରୀପୁର ସ୍ଥିତ ପେଟ୍ରୋଲ ପମ୍ପ୍‌, ପଟ୍ଟାମୁଣ୍ଡାଇରେ ଥିବା ବାଇକ୍‌ ସୋ’ ରୁମ୍‌, କଟକ ମହାନଦୀବିହାରରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର, ପାରାଦୀପରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍‌ ଲିମେଟେଡ, ବେନଜିର୍‌ ଷ୍ଟିଭେଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଅଫିସରେ ଆଜି କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଛି। ଏହି ଚଢଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଲାପ୍‌ଟପ୍‌, ଫାଇଲ୍‌, ବ୍ୟାଙ୍କ୍‌ ଚେକ୍‌ ବୁକ୍‌, ଓଡ଼ିଶା ଓ ରାଜ୍ୟ ବହାର ବ୍ୟାଙ୍କ ଶାଖାର ଥିବା ପ୍ରାୟ ୨୦ରୁ ଅଧିକ ଜମା ଖାତା, ୨୬ଟି ହାଇଓ୍ଵା ଓ ଅନ୍ୟ ଗାଡ଼ି ଜବତ କରାଯାଇଛି। ସ୍ୱତନ୍ତ୍ର ଟାସ୍କଫୋର୍ସ ଡିଆଜି ହିମାଂଶୁ ଲାଲ, ଏସ୍‌ପି (୧) ସତ୍ୟଜିତ ନାୟକ, ଡିଏସ୍‌ପି ରାମଚନ୍ଦ୍ର ଥମ୍ବ, କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର, ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍‌ ଆଇଆଇସି ତପନ ନାୟକ, ଡିଏସ୍‌ପି ଡିଆଇବି ରଂଜନ କୁମାର ଦେଙ୍କ ସମେତ ୧୨ ଜଣ ଇନ୍ସପେକ୍ଟର ଓ ସବ୍‌ଇନ୍ସପେକ୍ଟର ୧୦ ପ୍ଲାଟୁନ୍‌ ଫୋର୍ସ ସହ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ୍‌ ଭାବେ କେନ୍ଦ୍ରାପଡ଼ା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏସ୍‌ଟିଏଫ୍‌ର ଏକ ଟିମ୍‌ ପାରାଦୀପରେ ପହଞ୍ଚି ବନ୍ଦର ମଧ୍ୟରେ ଥିବା ଟିଟୋର ପେଟ୍ରୋଲ ପମ୍ପ ଓ ଷ୍ଟିଭେଡରିଂ ସଂସ୍ଥାରେ ପହଞ୍ଚି ଚଢଉ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପାରାଦୀପରେ ଟିଟୋ ସହ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଜେରା ଆରମ୍ଭ କରିଛି। ଟିଟୋର କାରବାର ବୁଝୁଥିବା ଦୁଇ ଜଣ ଯୁବକଙ୍କୁ ଏସ୍‌ଟିଏଫ୍‌ ଉଠାଇ ନେଇଛି। ସେମାନଙ୍କଠାରୁ ଟିଟୋର ବ୍ୟବସାୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ହାସଲ କରିବାକୁ ଟିମ୍‌ ଉଦ୍ୟମ କରୁଛି। ଟିଟୋ ନିଜ ପତ୍ନୀଙ୍କ ନାମରେ ବେନଜିର୍‌ ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ କନଷ୍ଟ୍ରକସନ୍‌ ସଂସ୍ଥା ମଧ୍ୟ ଖୋଲିଥିଲା। ସେଠାରେ ଆଜି ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚି ଖୋଳତାଡ଼ କରଛି। ଟିଟୋର ପେଟ୍ରୋଲ ପମ୍ପରେ ଚଢଉ କରାଯିବା ସହ କେତେ ପରିମାଣରେ ତେଲ ଆସୁଛି, ସେ ସବୁର ରସିଦ୍‌ ଯାଞ୍ଚ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଜେରା କରାଯାଇଛି।

ସମ୍ବନ୍ଧିତ ଖବର