ଟ୍ରେନ୍‌ ଇ-ଟିକେଟ ବେଆଇନ ବ୍ୟବସାୟୀଙ୍କ ଉପରେ ଚଢ଼ଉ : ଧରା ହେଲେ ୧୯ ଦଲାଲ୍‌

୧୫ ଲକ୍ଷ ଟଙ୍କାର ୭୨୮ଟି ଇ-ଟିକେଟ୍‌ ଜବତ, ୫ ଲକ୍ଷ ଟଙ୍କାର ମୋଡେମ୍‌, କମ୍ପ୍ୟୁଟର ଜବତ

ଭୁବନେଶ୍ବର : ଟ୍ରେନ୍‌ ଇ-ଟିକେଟ୍‌ ବେଆଇନ ବ୍ୟବସାୟ ବିରୋଧରେ ‌ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୂଆଦିଲ୍ଲୀସ୍ଥିତ ରେଳ ସୁରକ୍ଷା ବଳ(ଆର‌୍‌ପିଏଫ୍‌)ର ମହାନିର୍ଦେଶକଙ୍କ ନିର୍ଦେଶାନୁସାରେ ଗତକାଲି ପୂର୍ବତଟ ରେଳପଥ ଅଧୀନରେ ୨୦ରୁ ଅଧିକ ସ୍ଥାନରେ ଅଚାନକ ଚଢ଼ଉ ହୋଇଛି। ପୂର୍ବତଟ ରେଳପଥର ଆରପିଏଫ୍‌ ଆଇଜି ଏଣ୍ତ ପ୍ରିନ୍ସିପାଲ ଚିଫ୍‌ ସିକ୍ୟୁରିଟି କମିସନର/ଆରପିଏଫ୍‌ ରାଜାରାମଙ୍କ ନେତୃତ୍ବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ୨୦ରୁ ଅଧିକ ସ୍ଥାନରେ ଚଢ଼ଉ ହୋଇଥିଲା। ଏଥିରେ ୧୯ଟି ବେଆଇନ ଇ-ଟିକେଟି˚ ଏଜେନ୍ସି/ଦଲାଲମାନଙ୍କ ବିରୋଧରେ ୧୯ଟି ଅଭିଯୋଗ ପଞ୍ଜୀକୃତ କରାଯାଇ ରେଳପଥ ଆଇନର ୧୪୩ ଧାରା ଆଧାରରେ ଗିରଫ କରାଯାଇଛି।

କାର୍ଯ୍ୟାନୁଷ୍ଠାନ ସମୟରେ ରେଲୱେ ଭିଜିଲାନ୍ସ ୱିଙ୍ଗ୍‌ ସହାୟତାରେ ପାଖାପାଖି ୧୫ଲକ୍ଷ ୨୧ହଜାର ୬୭୦ଟଙ୍କା ମୂଲ୍ୟର ପ୍ରାୟ ୭୨୮ଟି ରେଳପଥ ଇ-ଟିକେଟ୍‌ ଜବତ କରାଯାଇଥିଲା। ଏଥିସହ ଆନୁମାନିକ ୫ଲକ୍ଷରୁ ଅଧିକ ଟଙ୍କା, ମୋଡେମ୍‌, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ଜବତ ହୋଇଛି। ଓଡ଼ିଶାର ଭୁବନେଶ୍ବର, ପୁରୀ, କଟକ, ଭଦ୍ରକ, ବ୍ରହ୍ମପୁର, କଟାବାଞ୍ଝି, ରାୟଗଡ଼ା ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ ଓ ଛତିଶଗଡ଼ର ମହସାମୁଣ୍ତ ଆଦି ସ୍ଥାନରେ ଚଢ଼ଉ ହୋଇଥିଲା। ରେଳପଥରେ ଗ୍ରୀଷ୍ମ ଅବକାଶକାଳୀନ ଭିଡ଼ ଜନିତ ବେଆଇନ ଇ-ଟିକେଟି˚ ବ୍ୟବସାୟକୁ ଯାଞ୍ଚ କରିବାକୁ ଏହି ଏକକାଳୀନ ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସାବଧାନତାପୂର୍ଣ୍ଣ ଯୋଜନା, ଆଇଆର‌୍‌ସିଟିସି ଓ ଅନ୍ୟ ସ˚ସ୍ଥା ସହ ଘନିଷ୍ଠ ସହଯୋଗରେ ଏହି ଅପରେସନ୍‌ ସଫଳତାର ସହ ଶେଷ ହୋଇଛି। ଭାରତୀୟ ରେଳପଥ ସହ ସୁରକ୍ଷିତ ଓ ଅସୁବିଧାରହିତ ଅନୁଭବକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭବିଷ୍ୟତରେ ମଧ୍ୟ ରେଳପଥ ଦଲାଲମାନଙ୍କ ଉପରେ ଦୃଢ଼ ଓ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରେଳ ସୁରକ୍ଷା ବଳ ବଦ୍ଧପରିକର ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର