୧୫ରୁ ଊର୍ଦ୍ଧ୍ବ କ୍ରସର ୟୁନିଟ୍ ଉପରେ ଚଢ଼ଉ

ଖୋର୍ଦ୍ଧା: ଦୀର୍ଘ ଦଶନ୍ଧିର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧାର ବେଆଇନ କ୍ରସର ଓ ପଥର ଖଣି ଉପରେ ଚଡ଼ଉ କରାଯିବା ସହ ଖଣି ମାଫିଆ ଓ ଡ୍ରଗ୍‌ସ ମାଫିଆଙ୍କୁ ଧରିବା ପାଇଁ ଗତ ୨ ମାସ ହେବ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି କ୍ରରଇମବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ ପକ୍ଷରୁ ଖୋର୍ଦ୍ଧା, ନିରାକାରପୁର, ଟାଙ୍ଗୀ ଆଦି ଇଲାକାର ୧୫ରୁ ଉର୍ଦ୍ଧ୍ବ କ୍ରସର ୟୁନିଟ୍ ଉପରେ ଚଢ଼ଉ କରାଯିବା ସହ ସେମାନଙ୍କ ନଥିପତ୍ର ଯାଞ୍ଚ କରାଯାଇଛି।

ସୂଚନାନୁସାରେ, ଆଜି ପୂର୍ବାହ୍‌ଣ ୧୦ଟା ବେଳେ ଏସ୍‌ଟିଏଫ୍ ଏସ୍‌ପିଙ୍କ ନେତୃତ୍ବରେ ୩ଟି ଟିମ୍ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଥିବା କ୍ରସର ୟୁନିଟ୍‌ଗୁଡ଼ିକ ଉପରେ ଚଢ଼ଉ କରିଥିଲେ। ଅପରାହ୍ଣ ୪ଟା ଯାଏ ଏହି ଚଢ଼ଉ ଚାଲିଥିଲା। ଏସ୍‌ଟିଏଫ୍‌ ଟିମ୍‌ ବିଭିନ୍ନ କ୍ରସର ୟୁନିଟ୍‌କୁ ଯାଇ ମାଲିକଙ୍କୁ କ୍ରସରର ପରିବେଶ ମଞ୍ଜୁରୀ, ପରିବହନ ପାଇଁ ଅନୁମତିପତ୍ର, ୱାଇ ଫର୍ମ, ଆୟବ୍ୟୟର ହିସାବ, କେଉଁଠାରୁ ପଥର ଆଣୁଛନ୍ତି, କେତେ ଶ୍ରମିକ ଓ କର୍ମଚାରୀ ନିୟୋଜିତ ଅଛନ୍ତି ଆଦି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଏ ନେଇ ଖୋର୍ଦ୍ଧା କ୍ରସର ମାଲିକ ସଂଘର କୋଷାଧ୍ୟକ୍ଷ ସୁଶାନ୍ତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏସ୍‌ଟିଏଫ୍ ବହୁ କ୍ରସର ୟୁନିଟ୍ ଉପରେ ଚଢ଼ଉ କରିଛନ୍ତି। ତେବେ କେତେକ ଛୋଟ ଓ ବନ୍ଦ ପଡ଼ିଥିବା କ୍ରସର ୟୁନିଟ୍‌କୁ ସିଲ୍ କରି ମାଲିକଙ୍କୁ ଆବଶ୍ୟକ ନଥିପତ୍ର ସହ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର