ଯୁଯୁମୁରା ବ୍ଲକ୍‌ର ୩ ପଥର ଖାଦାନରେ ଚଢ଼ଉ

ସମ୍ବଲପୁର/ଯୁଯୁମୁରା : ବୁଧବାର ରେଂଗାଲି ତହସିଲ ପରେ ଗୁରୁବାର ଯୁଯୁମୁରା ତହସିଲର ୩ଟି ପଥର କ୍ବାରିରେ ବେଆଇନ୍‌ ଖନନ ହୋଇଥିବା ଯାଞ୍ଚରୁ ଜଣା ପଡ଼ିଛି। ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ବରେ ଏକ ଅଧିକାରୀ ଦଳ ଗୁରୁବାର ଯୁଯୁମୁରା ତହସିଲର ବାର୍‌ଲେଇ-୪ ଓ ହାତୀବାରି ୩ ଓ ୪ ନମ୍ବର ପଥର କ୍ବାରିର ଯାଞ୍ଚ କରିଥିଲେ। ଏହି କ୍ବାରି ଗୁଡ଼ିକ ଯଥାକ୍ରମେ ରାଧିକା ଅଗ୍ରୱାଲ୍‌, ଅବିନାଶ ଜେନା ଓ ମୁନା ଅଗ୍ରୱାଲଙ୍କର ବୋଲି ଜଣା ପଡ଼ିଛି। ଯାଞ୍ଚ ବେଳେ ଉକ୍ତ ଖଣି ଗୁଡ଼ିକରେ ଧାର୍ଯ୍ୟ ଅନୁମତିଠାରୁ ଯଥେଷ୍ଟ ଅଧିକ ଗଭୀର ପର୍ଯ୍ୟନ୍ତ ପଥର ଖନନ କରା ଯାଇଥିବା ଜଣା ପଡ଼ିଥିଲା। ସେହିପରି ଖଣି ଖନନ ପାଇଁ ବେଆଇନ୍‌ ବିସ୍ଫୋରଣ ବି ହେଉଥିଲା। ମାଟି ତଳକୁ ୬ ମିଟର୍ ପର୍ଯ୍ୟନ୍ତ ଖୋଳିବାକୁ ଅନୁମତି ରହୁଥିଲାବେଳେ ୧୫ରୁ ୨୦ ମିଟର୍‌ ପର୍ଯ୍ୟନ୍ତ ବେଆଇନ୍ ଖନନ ଦେଖିବାକୁ ମିଳିଥିଲା। ତେଣୁ ଏହି ୩ଟି ଯାକ ଖଣି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଗତ ଫେବ୍ରୁଆରି ମାସରେ ବାର୍‌ଲୋଇ-୨ ନମ୍ବର ପଥର କ୍ବାରି (ଜୟଗୁରୁ ଷ୍ଟେନ୍‌ ୱାର୍କସ୍‌) ଉପରେ ଚଢ଼ଉ ହୋଇଥିଲା। ସେଠାରେ ମଧ୍ୟ ଅଧିକ ଗଭୀରତା ପର୍ଯ୍ୟନ୍ତ ଖଣି ଖନନ ଯୋଗୁଁ ୫୦ ଲକ୍ଷ ଟଙ୍କା ଜରିମାନା କରା ଯାଇଥିଲା। ଅପରପକ୍ଷରେ ଏହା ପୂର୍ବରୁ ଗତ ବୁଧବାର ରେଂଗାଲି ତହସିଲର ୪ଟି ବେଆଇନ୍‌ ପଥର କ୍ବାରିରେ ଚଢ଼ଉ କରାଯାଇ ବିଭିନ୍ନ ଯନ୍ତ୍ରପାତି ଜବତ କରା ଯାଇଥିଲା। ଉକ୍ତ ମାମଲାଗୁଡ଼ିକରେ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ରେଙ୍ଗାଲି ତଦସିଲଦାର ସୁନୀଲ ମେହେର ସୂଚନା ଦେଇଛନ୍ତି।

ଗୁରୁବାରର ଚଢ଼ଉରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଯୁମୁରା ତହସିଲଦାର ଅଭିଷେକ ସାହୁ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ବି ଜିଲ୍ଲାରେ ବେଆଇନ୍‌ ପଥର କ୍ବାରି ଉପରେ ଏଭଳି ଚଢ଼ଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର