ଏଥର ନକଲି ଖାଇବା ତେଲ ଫ୍ୟାକ୍ଟ୍ରିରେ ଚଢ଼ଉ

ଗୋପାଳପୁର : ବ୍ରହ୍ମପୁରରେ ନକଲି ସାମଗ୍ରୀ ସାମ୍ରାଜ୍ୟ ଉପରେ ନିରନ୍ତର ଚଢ଼ଉ ଜାରି ରହିଛି। ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ପାଣି ବୋତଲ, ସସ୍‌ ଫ୍ୟାକ୍ଟ୍ରି ପରେ ଆଜି ଗୋପାଳପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମରେ ଏକ ନକଲି ଖାଇବା ତେଲ ପ୍ରସ୍ତୁତ କାରଖାନାରେ ପୁଲିସ ଚଢ଼ଉ କରିଛି। ସେଠାରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ତେଲ ପ୍ୟାକେଟ୍‌ ପ୍ରସ୍ତୁତ କରା ଯାଉଥିଲା। ବଡ଼ ବଡ଼ ତେଲ ଟିଣ ଡବା ଆଣି ତାକୁ ଛୋଟ ପ୍ୟାକେଟ୍‌ କରି ବଜାରକୁ ଛଡ଼ା ଯାଉଥିଲା। ତାହାର ମାନ ଯାଞ୍ଚ କରିବା ପାଇଁ ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ତାହା ଅପମିଶ୍ରିତ କି ନୁହେଁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

ରାମଚନ୍ଦ୍ରପୁରର ଏକ ଘରେ ତେଲ ପ୍ୟାକେଜିଂ ୟୁନିଟ୍‌ ଚାଲିଥିବା ନେଇ ଖବର ମିଳିଥିଲା। ସେ ନେଇ ଗୋପାଳପୁର ପୁଲିସ ଓ ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍‌ ଗାଁ ଭିତରେ ଥିବା ସେହି ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ୨ଶହ ଲିଟର୍‌ ତେଲ ଏକ ଡ୍ରମ୍‌ରେ ରହିଥିବାବେଳେ ଆହୁରି ବିପୁଳ ମାତ୍ରାର ତେଲ ପ୍ୟାକେଟ୍‌ ମଧ୍ୟ ଜବତ ହୋଇଥିଲା। ଅନ୍ୟ ସ୍ଥାନରୁ ଖୋଲା ତେଲ ଆଣି ତାହା ଏଠାରେ ପ୍ୟାକିଂ କରି ପୁଣି ବିକ୍ରି ପାଇଁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ସେଠାରେ ପ୍ୟାକିଂ ମେସିନ୍‌ ମଧ୍ୟ ରହିଛି। ସମସ୍ତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କମ୍ପାନି ମାଲିକ କାଳୀଚରଣ ସାହୁ ସୂଚନା ଦେଇଛନ୍ତି। ଏ ସମସ୍ତ ଘଟଣା ଉପରେ ଗଞ୍ଜାମ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀ କହିଛନ୍ତି, ଏଠାରେ ତେଲ ପ୍ୟାକେଟ୍‌ ପ୍ରସ୍ତୁତ ହେଉଥିବା ବେଳେ ଏହାର ଶୁଦ୍ଧତା ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି। କମ୍ପାନି ସମ୍ପୂର୍ଣ୍ଣ ପରିତ୍ୟକ୍ତ ସ୍ଥାନରେ ଚାଲିଛି। ତେଲ ଟାଙ୍କିରେ କଳଙ୍କି ଲାଗିଥିବା ବେଳେ ପୋକ ମଧ୍ୟ ପଡ଼ିଛନ୍ତି। ବର୍ତ୍ତମାନ ଏହି ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ଏହି ଫ୍ୟାକ୍ଟ୍ରିକୁ ପାରାଦୀପର ଆଦାନୀ ନାମକ ଏକ କମ୍ପାନିରୁ ତେଲ ଅଣା ଯାଉଥିଲା। ଏହା ପରେ ତାକୁ ପ୍ୟାକିଂ କରି ପିଓର ଗୋଲ୍ଡ ଓ ଫାଷ୍ଟ ଡ୍ରପ୍‌ ନାମରେ ବିକ୍ରି କରା ଯାଉଥିଲା ବୋଲି ଜଣାପଡ଼ିଛି। କମ୍ପାନି ମାଲିକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର