କୋଭିଡ୍‌ ଉପକରଣ କଳାବଜାରି ଧରପଗଡ଼

ଭୁବନେଶ୍ବର : କୋଭିଡ୍ ଔଷଧ ଏବଂ ଚିକିତ୍ସା ଉପକରଣର କଳାବଜାରି ବିରୋଧରେ ଗଠିତ ସ୍କ୍ବାଡ୍‌ ଆଜି ଠାରୁ କାମ ଆରମ୍ଭ କରିଛି। ଏ ନେଇ ଭୁବନେଶ୍ବର ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ସ୍କ୍ବାଡ୍‌ ମୁଖିଆମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଡିଜି ଯଶୋବନ୍ତ ଜେଠଓ୍ବାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଚଢ଼ଉ ପାଇଁ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ପ୍ଲାନ୍‌ ଅନୂଯାୟୀ ଔଷଧ ଓ ଇଂଜେକ୍‌ସନ୍ ପ୍ରସ୍ତୁତକାରୀ କମ୍ପାନି ଠାରୁ ଆରମ୍ଭ କରି ଔଷଧ ଦୋକାନ, ବିତରକ, ଯୋଗାଣକାରୀ ସଂସ୍ଥା ଉପରେ ଚଢ଼ଉ କରାଯିବ। ଔଷଧ ଛଡ଼ା ମାସ୍କ ଓ ସାନିଟାଇଜର ସମେତ କରୋନା ସମ୍ପର୍କିତ ଯେ କୌଣସି ଜିନିଷର କଳାବଜାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟରେ ସମୁଦାୟ ୨୨ଟି ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ ଭୁବନେଶ୍ବର ଓ କଟକରେ ୭ଟି ଫ୍ଲାଇଂ ସ୍କ୍ବାଡ୍‌ ଗଠନ କରାଯାଇଛି। ଏସବୁକୁ ସମୀକ୍ଷା କରିବା ପାଇଁ ଏକ କେନ୍ଦ୍ରୀୟ କମିଟି ରହିଛି। ଏଥିରେ ଡ୍ରଗ୍‌ସ୍‌ ଇନ୍‌ସ୍‌ପେକ୍ଟର, କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ, ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଓ ପୁଲିସ ରହିଛନ୍ତି। କଳାବଜାରୀକୁ ନେଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁଠୁ ଖବର ଆସିବ ସେଠାରୁ ତୁରନ୍ତ ଚଢ଼ଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତା ଛଡ଼ା ଜନସାଧାରଣ ମଧ୍ୟ ଏଭଳି କଳାବଜାରି ନେଇ ସୂଚନା ଦେଇ ପାରିବେ ବୋଲି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ କଳାବଜାର କରିବା ଆଶଙ୍କା ରହିଛି। ବରଗଡ଼‌ରେ ଏଭଳି କଳାବଜାରି ନେଇ ପ୍ରମାଣ ମଧ୍ୟ ମିଳିବା ସହ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଣୁ ଜନସାଧାରଣ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ଶ୍ରୀ ଜେଠ୍‌ୱାଙ୍କ ସମେତ ଏସ୍‌ଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ, ଡ୍ରଗ୍ସ କଂଟ୍ରୋଲର୍‌ ଅନ୍ନଦା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର