ପୁଣି ତିନବର୍ଷ ବ୍ୟବଧାନ ପରେ ବେଆଇନ କ୍ରସର ୟୁନିଟ୍ ଉପରେ ଚଢ଼ଉ

କ୍ରସର ୟୁନିଟର ସାଇଟ୍ ଅନୁମତିପତ୍ର ଆବେଦନ ୩ ବର୍ଷ ଧରି ଜିଲ୍ଲା ପ୍ରଶାସନ ନିକଟରେ ପଡ଼ିରହିଛି: କ୍ରସର ମାଲିକ ସଂଘ

ଖୋର୍ଦ୍ଧା: ତିନି ବର୍ଷ ବ୍ୟବଧାନ ପରେ ପୁଣିଥରେ ପ୍ରଶାସନ ପକ୍ଷରୁ ବେଆଇନ କ୍ରସର ୟୁନିଟ୍‌ଗୁଡ଼ିକ ଉପରେ ଚଢ଼ଉ ଆରମ୍ଭ କରାଯାଇଛି । ଦୁଇଦିନ ମଧ୍ୟରେ ୮ରୁ ଉର୍ଦ୍ଧ୍ବ କ୍ରସର ୟୁନିଟଗୁଡ଼ିକୁ ଉପଯୁକ୍ତ ପ୍ରମାଣପତ୍ର ଅଭାବରୁ ସିଲ କରିଦିଆଯାଇଥିବା ବେଳେ ଏହାର ପ୍ରତିବାଦରେ ଆଜି କ୍ରସର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରାଯାଇଛି । ତେବେ ଆଲୋଚନାରେ କୌଣସି ସୁଫଳ ମିଳିନଥିବା ଜଣାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଚଢ଼ଉ କରାଯାଇ, ଯେଉଁ କ୍ରସର ୟୁନିଟର ଅନୁମତି ପତ୍ର ନାହିଁ କିମ୍ବା ପ୍ରମାଣପତ୍ର ନବୀକରଣ ହୋଇନାହିଁ ସେଗୁଡ଼ିକୁ ସିଲ କରାଯାଇଛି । ଏହି କ୍ରମରେ, ଗତକାଲି କଦଳିବାଡ଼ିର ଦୁଇଟି, ଦଧିମାଛଗାଡ଼ିଆର ୩ଟି, ତାପଙ୍ଗର ଦୁଇଟି କ୍ରସର ୟୁନିଟ୍ ସିଲ କରିଥିବା ବେଳେ ଆଜି ତାପଙ୍ଗ ଛକ ନିକଟରେ ଥିବା ଆଉ ୩ଟି କ୍ରସର ୟୁନିଟ୍ ସିଲ କରାଯାଇଛି । ଏନେଇ ଆଜି ପୂର୍ବାହ୍ଣରେ ସ୍ଥାନୀୟ ବିଧାୟକ ଜ୍ୟେତିରୀନ୍ଦ୍ର ନାଥ ମିତ୍ର, ସଂଘର କାର୍ଯ୍ୟକାରୀ ସଭାପତି ତଥା ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସମ୍ପାଦକ କେଦାର ଚନ୍ଦ୍ର ନରେନ୍ଦ୍ର ଓ ଅନ୍ୟ କର୍ମକର୍ତାମାନେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟିଥିଲେ । ଜିଲ୍ଲା ପ୍ରଶାସନ ନିକଟରେ ଆବଶ୍ୟକ ଅନୁମତିପତ୍ର ପାଇଁ ୨୦୧୯ରୁ ଆବେଦନ କରାଯାଇଥିଲେ ମଧ୍ୟ ପ୍ରଶାସନ ସେଗୁଡ଼ିକୁ ବିଚାରକୁ ନେଇନଥିବାରୁ କ୍ରସର ୟୁନିଟଗୁଡ଼ିକୁ ସିଲ କରିବା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ତେବେ ଜିଲ୍ଲାପାଳ ସେମାନଙ୍କ କଥାକୁ ଗ୍ରହଣ ନକରି ବେଆଇନ କ୍ରସର ୟୁନିଟ୍‌ଗୁଡ଼ିକ ସିଲ କରିବା ଅଭିଯାନ ଜାରି ରହିବ ବୋଲି କହିଥିଲେ ।

ଏନେଇ ସଂଘର ସମ୍ପାଦକ କେଦାର ଚନ୍ଦ୍ର ନରେନ୍ଦ୍ର କହିଛନ୍ତି, ୨୦୧୯ରେ ଏସ୍ଟିଏଫ୍ର ଚଢ଼ଉ ପରେ ଜିଲ୍ଲା ପ୍ରଶାସନ ଓ କ୍ରସର ମାଲିକ ସଂଘର ଆଲୋଚନା ହୋଇଥିଲା । କ୍ରସରୟୁନିଟଗୁଡ଼ିକ ବନ୍ଦ ହେବାରୁ ଜିଲ୍ଲାରେ ପ୍ରାୟ ୪୦ହଜାର ଶ୍ରମିକ ରୋଜଗାର ହରାଇବା, ଉଭୟ ସରକାରୀ ଓ ବେସରକାରୀ ନିର୍ମାଣ ପାଇଁ ଗେଟି, ଚିପ୍ସ ଆଦି କଂଚାମାଲର ଅଭାବ ହେବା ଆଦିକୁ ଦୃଷ୍ଟିରେ କ୍ରସର ୟୁନିଟଗୁଡ଼ିକ ସାଇଟ୍ କ୍ଲିୟରାନ୍ସ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ପ୍ରଶାସନ କହିଥିଲେ । ପ୍ରଶାସନର ନିଦେ୍ର୍ଦଶ ପରେ କ୍ରସର ମାଲିକମାନେ ଏନେଇ ଆବେଦନ କରିଥିଲେ । ଏହା ମଧ୍ୟରେ ୩ ବର୍ଷ ବିତିଯାଇଛି କିନ୍ତୁ ସେମାନଙ୍କୁ ଏହି ପ୍ରମାଣପତ୍ର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇନାହିଁ । ଏହି ପ୍ରମାଣପତ୍ର ମିଳିବା ପରେ ଯାଇ ୱାଇଫର୍ମ, ପରିବେଶ ମଂଜୁରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରମାଣପତ୍ର ମିଳିବ । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ କ୍ରସର ୟୁନିଟ୍ଗୁଡ଼ିକୁ ସିଲ କରିବା ନିନ୍ଦନୀୟ ।

ସମ୍ବନ୍ଧିତ ଖବର