ଟିଟିଲାଗଡ଼: ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଥିବା ତୃଣନାଶକ ପାରାକ୍ବେଟ ତଦାରଖ କରିବାକୁ ସୋମବାର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକ୍ରେ ଥିବା ସାର ଦୋକାନଗୁଡ଼ିକରେ ପ୍ରବର୍ତ୍ତନ ଦଳ ଚଢ଼ଉ କରିଛି। ପୂର୍ବରୁ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଖଣ୍ଡର ସମସ୍ତ ତହସିଲଦାର, ସମ୍ପୃକ୍ତ ବ୍ଲକର ସହ କୃଷି ଅଧିକାରୀ ଏବଂ ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ପ୍ରବର୍ତ୍ତନ ଦଳ ଗଠନ କରାଯାଇଥିଲା।
ଏହିକ୍ରମରେ ସୋମବାର ଟିଟିଲାଗଡ଼ ବ୍ଲକର ୧୬ଟି ସାର ଦୋକାନ ମଧ୍ୟରୁ ୫ଟିରୁ ୧୦ ଲିଟର ଏବଂ ବଙ୍ଗୋମୁଣ୍ଡା ବ୍ଲକ୍ର ୩୧ଟି ସାର ଦୋକାନ ମଧ୍ୟରୁ ୩ଟିରୁ ୧ ଲିଟର ପାରାକ୍ବେଟ ଜବତ କରାଯାଇଥିଲା। ସେହିପରି ସଇନ୍ତଲା ବ୍ଲକର ୨୫ଟି ଦୋକାନରୁ ୫ଟି, ମୁରିବାହଲର ୬ଟି ଦୋକାନରୁ ୩ଟି, ତୁରେକେଲାର ୯ଟି ଦୋକାନରୁ ୫ଟି ସାର ଦୋକାନ ଓ ଗୋଦାମରେ ଚଢ଼ଉ କରାଯାଇ ବିକ୍ରୟ ବିବରଣୀ ଓ ଗଚ୍ଛିତ ଥିବା ସାରର କାଗଜପତ୍ର ଯାଞ୍ଚ କରାଯାଇଥିଲା। ଆଗମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।