କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ଘରେ ପୁଲିସ ଚଢ଼ଉ, ନଗଦ ୨୦ ଲକ୍ଷ ୫୦ ହଜାର ଜବତ 

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳୀ ଗ୍ରାମର ଅନ୍ତର୍ଦେଶୀୟ କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ତ ରଞ୍ଜନ ସାହୁ(୪୧) ଓରଫ ପିଣ୍ଟୁଙ୍କ ଘରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁଲିସ ଚଢ଼ାଉ କରିଛି। ଭୋର ୩ ଟାରୁ ତହସିଲଦାର ଡାନିଏଲ ଏକ୍କା ଉପସ୍ଥିତିରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା, ଆଇଆଇସି ଧିରେନ୍ଦ୍ର ବେହେରା ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ଉରେ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏହାବ୍ୟତୀତ ପରିବାର ଲୋକଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୨୦ ଟି ଜମାଖାତା ବହି, ୫୦ ଲକ୍ଷ ଟଙ୍କାର ଟେଣ୍ଟ ଓ ଲାଇଟ ସାମଗ୍ରୀ, ଧାନ କଳ, ଏକ ପିକଅପରେ ଏକ ଟ୍ରିପ ଶାଳ, ଶଗୁଆନ କାଠ ପଟା, ଏକ କାର, ଏକ ୪୦୭ ମିନିଟ୍ରକ ଓ ଘର ସହିତ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ ପିଣ୍ଟୁ ଦୀର୍ଘ ୧୦ ବର୍ଷ ଧରି ରାଜସ୍ଥାନ, ହରିଆନା, ଉତ୍ତରପ୍ରଦେଶରେ କୁଖ୍ୟାତ ଗଞ୍ଜେଇ ବ୍ୟବସାୟୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କାରବାରରେ ସମ୍ପୃକ୍ତ ଥିଲା। ଗଞ୍ଜେଇ କାରବାରରୁ ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିଲେ। ଗଞ୍ଜେଇ କାରବାରରେ ବହୁ ଲୋକଙ୍କ ଆକାଉଣ୍ଟରେ ନେଣଦେଣ ଚାଲିଟଥିଲା। ଗଞ୍ଜେଇ ଓ ବିଭିନ୍ନ ଆକାଉଣ୍ଟରେ ମାତ୍ରାଧିକ ଟଙ୍କା କାରବାର ଯୋଗୁଁ ହରିଆନା ଓ ଉତ୍ତରପ୍ରଦେଶର ପୁଲିସ ଧରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପିଣ୍ଟୁ ଧରା ପଡୁନଥିଲା। ଆଜି ଯୋଜନା ବଧ ଭାବେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ପିଣ୍ଟୁକୁ ଧରିବାରେ ପୋଲିସ ବିଫଳ ହୋଇଛି। ଚଢ଼ାଉ ସାରିନଥିବାରୁ ଚଢ଼ଉ ସମ୍ପର୍କରେ ଓ ଜବତ କରିଥିବା ସମ୍ପତ୍ତି ସମ୍ପର୍କରେ ପୁଲିସ ଠାରୁ କୌଣସି ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର