ବାରିପଦା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଳମ୍ବିତ ସନ୍ଧ୍ୟାରେ ଶ୍ୟାମାଖୁଣ୍ଟା ତହସିଲ ଅଧିନରେ ଥିବା ଏକ ବେଆଇନ କ୍ରସରରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସ୍କ୍ବାର୍ଡ ଚଢ଼ଉ କରିଥିଲା। ଏଡିଏମ(ରାଜସ୍ୱ) ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉ ସମୟରେ କ୍ରସର ପକ୍ଷରୁ ଲାଇସେନ୍ସ୍ ଦେଖେଇପାରିନଥିଲେ। ସ୍କ୍ବାର୍ଡ ପ୍ରାୟ ଦେଢ଼ଘଣ୍ଟାରୁ ଊର୍ଧ୍ବ ସମୟ ଅପେକ୍ଷା କଲାପରେ ମଧ୍ୟ ଲାଇସେନ୍ସ୍ ନଦେଖେଇବାରୁ ଉକ୍ତ କ୍ରସରର ୨ଟି ଗାଡି ସମେତ ସେଠାରେ ଗଚ୍ଛିତ ଥିବା ଲଘୁ ଖଣିଜକୁ ଜବତ କରାଯାଇଥିବା ଜଣାପଡ଼ିଛି। ତେବେ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ କ୍ରସରର ୩ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/09/ଜବତ-ଗାଡି-300x145.jpg)
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜବତ ସୂଚୀ ଲେଖା ଚାଲିଥିବାରୁ ଜରିମାନା ରାଶି ସମ୍ପର୍କରେ କୁହାଯାଇପାରିନାହିଁ। ତେବେ ଲକ୍ଷାଧିକ ଟଙ୍କାର ଲଘୁ ଖଣିଜ ଜବତ କରାଯାଇଥିବା ଜଣାପଡ଼ିଛି। ସେହିପରି ଜବତ ଗାଡିଗୁଡ଼ିକଠାରୁ ମଧ୍ୟ ୨୦ହଜାରରୁ ଊର୍ଧ୍ବ ଜରିମାନା ଆଦାୟ କରାଯାଇଛି। ଆସନ୍ତାକାଲି ଉକ୍ତ କ୍ରସର ମାଲିକଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଛି। ନଚେତ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। କ୍ରସରର ମାଲିକ ସର୍ବେଶ୍ବର ଖଣ୍ଡା ବୋଲି ଜଣାପଡ଼ିଛି। ଏଡିଏମ ଶ୍ରୀ ସାହୁଙ୍କ ନେତୃତ୍ବରେ ବିଭିନ୍ନ ତହସିଲରୁ ଦକ୍ଷ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ଜିଲ୍ଲାରେ ବେଆଇନ ଭାବେ ଲଘୁ ଖଣିଜ ଚୋରାଚାଲଣ ବ୍ୟାପକ ଭାବେ ହେଉଥିବା ପ୍ରମାଣିତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/crusher-seize.jpg)