ଖୋର୍ଦ୍ଧା: ଖୋର୍ଦ୍ଧା ଜେଲରେ ଆଜି ସନ୍ଧ୍ୟାରେ ଚଢ଼ାଉ ହୋଇଛି। ଜେଲ ପରିସରରେ ବ୍ରାଉନସୁଗାର କାରବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଉପଜିଲ୍ଲାପାଳ, ଏସଡିପିଓ, ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏଥି ସହିତ ଏକ ପ୍ଲାଟୁନ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର, ସ୍ମାର୍ଟଫୋନରେ କଥାବାର୍ତ୍ତା ଓ ବାର୍ଥଡେ ପାର୍ଟି ନେଇ ୬ଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଶୁଣାଯାଉଛି ଯେ, ୩୦୦୦ ଟଙ୍କା ଦେବି, ପକୁନାକୁ କହିଦେବୁ ୧୦ ଗ୍ରାମ ପାଉ (ପାଉଡର ବା ବ୍ରାଉନ୍ସୁଗାରର ସଂକ୍ଷିପ୍ତ ଶବ୍ଦ) ପଠାଇଦେବ ଏଠାରେ ମୁଁ ସବୁ ସେଟିଂ କରିଛି, ଗେଟ୍ ପାଖରେ ଆସି ଦେଇଦେବୁ ଜେଲର କୃଷ୍ଣଚନ୍ଦ୍ର ରାଉତ ଆମ ଲୋକ ଛାଡ଼ିଦେବ। ଖୋର୍ଦ୍ଧା ଉପକାରଗାର ମଧ୍ୟରେ ୪-୫ଜଣ କଏଦୀ ବ୍ରାଉନ୍ସୁଗାର ଖାଇ କଥାବାର୍ତା ହେଉଥିବାବେଳେ ଗୋଟିଏ ନାହିଁ କି ଦୁଇଟି ୬ଟି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। କେବଳ ଏହାନୁହେଁ ଜେଲ୍ ସେଲ୍ ଭିତରେ ବାର୍ଥଡେ ପାର୍ଟି କରାଯାଉଥିବା ଓ ଏହି ବାର୍ଥଡେ ପାର୍ଟିରେ ଏଭଳି ନିଶା ଭୋଜନ ହେଉଥିବା କଥା ଭାଇରାଲ୍ ଭିଡ଼ିଓ ଜଳଜଳ ହୋଇ ଦେଖାଯାଉଛି ।
ଆଜି ଖୋର୍ଦ୍ଧା ସହରର ଅନେକଙ୍କ ହ୍ଵାଟସଅପ୍କୁ ଏଭଳି ଭିଡ଼ିଓ ଆସିଥିଲା । ଘଟଣାର ସତ୍ୟାସତ୍ୟ ଯାଂଚ କରିବା ପରେ ଜଣାଯାଇଛି ଯେ ସମସ୍ତ ୬ଟି ଭିଡ଼ିଓ କ୍ଲପିର ମୋଟ ସମୟ ୮ ମିନିଟ ଓ ସମସ୍ତ ଭିଡ଼ିଓ ରାତିରେ ଉଠାଯାଇଛି। ଜେଲ୍ର ଉପର ସେଲ୍ରୁ ରେକର୍ଡିଂ କରାଯାଇଥିବାରୁ ଜେଲ୍ର ସମସ୍ତ ଇଲାକା ସ୍ପଷ୍ଟ ଭାବେ ଦେଖାଯାଉଛି।
୩ଟି ଭିଡ଼ିଓରେ ୪-୫ଜଣ କଏଦୀ ଏକାଠୀ ବସି ବ୍ରାଉନ୍ସୁଗାରକୁ ଆଲୁମିନିୟମ ପେପରରେ ପୋଡ଼ି ସିଗାରେଟ୍ ଟାଣୁଥିବା ରେକର୍ଡିଂ ହୋଇଛି। ଅନ୍ୟ ଭିଡ଼ିଓରେ କଥାବାର୍ତା ପ୍ରାୟତଃ ଅସ୍ପଷ୍ଟ ରହିଥିଲେ ମଧ୍ୟ ଗୋଟିଏ ଭିଡ଼ିର ଜଣେ ନୀଳ ଜିନ୍ ପିନ୍ଧା କଏଦୀ ଫୋନ୍ରେ କଥା ହୋଇ କାହାରିକୁ କହୁଛି, ‘ପକୁନାକୁ କହିଦେବକୁ ମାଲ୍ଟା ଭଲ ହୋଇଛି। ୩ହଜାର ଟଙ୍କା ଦେବି, ପକୁନାକୁ କହିଦେବୁ ୧୦ ଗ୍ରାମ ପଠାଇଦେବ ଆଉ ଗଂଜେଇ କିଛି ଦେବ। ଏହା ସହ ସେହି ବ୍ୟକ୍ତିଜଣକ କହିଛି ମୁଁ ଏଠାରେ ସବୁ ସେଟିଂ କରିଦେଇଛି। ଏଠାରେ ଗଂଜେଇ, ପାଉ, ମଦ ସବୁ ଚାଲିଛି।
ଗେଟ୍ ପାଖରେ ଆସି ମାଲ୍ ଦେଇଦେବୁ ଜେଲ୍ର କୃଷ୍ଣଚନ୍ଦ୍ର ରାଉତ ରେଡି ଆମ ଲୋକ, ଆମ ଲୋକ କିଛି ଅସୁବିଧା ନାହିଁ। ମୋବାଇଲ୍ ରେକର୍ଡିଂ କରିଥିବା ବ୍ୟକ୍ତି (ସମ୍ଭବତଃ ଅନ୍ୟ ଜଣେ କଏଦୀ)। ପଚାରିଛି କଣ ଚାଲିଛି? ଏଠାରେ ସେହିଭଳି ଅନ୍ୟ ଏକ ୧ମିନିଟ ୪୦ ସେକଣ୍ଡ ଦୀର୍ଘ ଭିଡ଼ିଓରେ ଜଣେ କଏଦୀଙ୍କ ବାର୍ଥଡେ ପାର୍ଟି ହେଉଛି। ସେଠାରେ ମଧ୍ୟ ଏଭଳି ନିଶା ଖାଉଥିବା ଦେଖାଯାଉଛି ।
ଏହି ସମସ୍ତ ଭିଡ଼ିଓ ଖୋର୍ଦ୍ଧା ଜେଲ୍ରେ ଚାଲୁଥିବା ବେଆଇନ କାର୍ଯ୍ୟକୁ ଆପତତଃ ପ୍ରମାଣିତ କରିଛି ଏହା ସହ ଜେଲ୍ ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।