ଯୋଡ଼ା: ଆୟକର ଅଧିକାରୀଙ୍କ ଏକ ୯ ଜଣିଆ ଟିମ୍ ଆଜି ସକାଳ ପ୍ରାୟ ୮ ଟା ସମୟରୁ କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଆରପି ସାଓଙ୍କ କାର୍ଯ୍ୟାଳୟ ପହଞ୍ଚି ଚଢଉ ଆରମ୍ଭ କରିଛନ୍ତି । ସମ୍ବଲପୁର ଆୟକର ବିଭାଗର ଅଧିକାରୀମାନେ ଏଥିରେ ସାମିଲ ଥିବା ସୂଚନା ମିଳିଛି । ଏଥିସହ କମ୍ପାନିର ଝାଡ଼ଖଣ୍ଡ, ଚାଇଁବାସା ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ୟ ରେଡ୍ ଚାଲିଥିବା ଖବର ଆମର ହସ୍ତଗତ ହୋଇଛି। ଜାମସେଦପୁର ଏବଂ ରାଞ୍ଚିର ଏକ ମିଳିତ ଦଳ ଏଠାରେ ଆୟକର ସମ୍ବନ୍ଧୀୟ ଅନୁସନ୍ଧାନ ଆରମ୍ଭ କରିଛନ୍ତି |
ଖଣିଜ ବ୍ୟବସାୟ ସହ ଜଡ଼ିତ ଟିପିଏସଏଲ (ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍) କମ୍ପାନିର ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ନୋଆମୁଣ୍ଡି ବ୍ଲକରେ ଅବସ୍ଥିତ ଲୁହାପଥର ଖଣି ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ବନ୍ଦ ରହିଛି। ସେହିପରି ଯୋଡା ଖଣି କ୍ଷେତ୍ର ଗୁଆଲି ଠାରେ ଥିବା ଆରପି ସାଓ (ରମେଶ ପ୍ରସାଦ ସାଓ)ଙ୍କ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଛି | ବର୍ତ୍ତମାନ ଓଡ଼ିଶାର ଝାରସୁଗୁଡ଼ା ଠାରେ କମ୍ପାନିର ଟିପିଏସଏଲ ଗୋଲ୍ଡ ନାମରେ ଏକ ଇସ୍ପାତ ଉତ୍ପଦନ କାରଖାନା ରହିଛି। କମ୍ପାନିର ଏକ ସ୍ପଞ୍ଜ କାରଖାନା ମଧ୍ୟ ରାଉରକେଲା ସେକ୍ଟରରେ ଥିବା ଜଣାପଡ଼ିଛି। ଆୟକର ବିଭାଗ ବିଭିନ୍ନ ବ୍ୟବସାୟିକ ତଥ୍ୟକୁ ଖୋଳତାଡ଼ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ୍ କାରବାର ଆଦିକୁ ଯାଞ୍ଚ କରୁଛନ୍ତି। ତେବେ ଚଢ଼ଉ ସମ୍ପର୍କରେ ଆୟକର ଅଧିକାରୀମାନେ କି ଛିବି ପ୍ରକାଶ କରିବାକୁ ମନା କରିଦେଇଛନ୍ତି ।