ରାହାଡ଼ପୁର ପାହାଡ଼ରେ ଚଢ଼ଉ: ୩ କମ୍ପ୍ରେସର, ୧ ହାଇୱା ଜବତ, ୫ ଅଟକ

କବାଟବନ୍ଧ : କଟକଣା କାଟୁ କରୁନି। ପ୍ରଶାସନର ଅଙ୍କୁଶ ପଥର ମାଫିଆଙ୍କ ଉପରେ ପ୍ରଭାବ ପକାଇ ପାରୁନି। ସବୁ ନିୟମ କାନୁନ୍‌କୁ ଜଳାଞ୍ଜଳି ଦେଇ ଧର୍ମଶାଳା ଅଞ୍ଚଳରେ ଚାଲିଛି କଳାପଥର ଲୁଟ୍‌। ଯାହାକି ଆଜି ପୁଲିସର ଅଚାନକ ଚଢ଼ଉ ବେଳେ ପୁଣି ପ୍ରମାଣିତ ହୋଇଛି। ଜେନାପୁର ପୁଲିସ ଗୁରୁବାର ଭୋର୍‌ରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରେ ଚଢ଼ଉ କରି ୩ଟି କମ୍ପ୍ରେସର ଓ ଗୋଟିଏ କଳାପଥର ବୋଝେଇ ହାଇୱା ଜବତ କରିଛି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁକରି ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ମୁତାବକ, ଗୁରୁବାର ଭୋର ୬ଟା ବେଳେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁଙ୍କ ନେତୃତ୍ବରେ ଏସ୍‌ଆଇ ଫିରୋଜ କୁମାର ଏକ୍କା, ଏଏସ୍‌ଆଇ ମନୋରଂଜନ ସାମଲ ଓ ଅକ୍ଷୟ କୁମାର ବେହେରା ସଦଳବଳ ରାହାଡ଼ପୁର ପାହାଡ଼ରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରେ କେତେକ ବେଆଇନ ଖାଦାନରେ କମ୍ପ୍ରେସର ମରାଯାଉଥିଲା। ପୁଲିସ ୩ଟି କମ୍ପ୍ରେସର ଓ କଳାପଥର ପରିବହନ କରୁଥିବା ଗୋଟିଏ ହାଇୱା ଜବତ କରିଥିଲା। ଏହି ଘଟଣାରେ ସେଠାରେ ଥିବା ୫ ଜଣ ଲୋକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଥାନା କେସ୍‌ ନମ୍ବର ୧୫୩/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର