ବୌଦ୍ଧ/ସାହାଜପାଲ: ବୌଦ୍ଧ ଜିଲ୍ଲା ଡମ୍ବରୁଗଡ଼ ମହାନଦୀ ଘାଟରୁ ରବିବାର ସନ୍ଧ୍ୟାରେ ବାଲି ଚୋରି ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ. ସୋନାଲ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ବାଲିବୋଝେଇ ହୋଇଥିବା ୧୩ଟି ଟ୍ରାକ୍ଟରକୁ ଧରିଥିଲେ। ବାଉଁଶୁଣି ଥାନା ପୁଲିସ ଏସବୁ ଟ୍ରାକ୍ଟରକୁ ଥାନାକୁ ଆଣି ଅଟକ ରଖିଛି।

Advertisment

ସୂଚନା ଅନୁସାରେ, ସନ୍ଧ୍ୟା ୫ ଘଣ୍ଟା ସମୟରେ ବାଉଁଶୁଣି ରାଜସ୍ୱ ସର୍କଲ ଅନ୍ତର୍ଗତ ଡମ୍ବରୁଗଡ଼ ମହାନଦୀ ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ପରିବହନ ହେଉଥିଲା। ଏନେଇ ଖବର ପାଇ ଜିଲ୍ଲାପାଳ ଜେ. ସୋନାଲ ଓ ଏସ୍‌ପି ରାଜ ପ୍ରସାଦ ଅତର୍କିତ ଭାବେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀଶଯ୍ୟାରେ ୧୩ଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖିବା ପରେ ଜିଲ୍ଲାପାଳ ସମସ୍ତ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଉଁଶୁଣି ଥାନା ପୁଲିସ ସମସ୍ତ ଗାଡ଼ିକୁ ଥାନାକୁ ଆଣିଥିଲା। ଏହି ଚଢ଼ଉରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲଙ୍କ ସହ ବାଉଁଶୁଣି ଓ ବୌଦ୍ଧ ଥାନାର ପୁଲିସ ଟିମ୍, ଜିଲ୍ଲା ଖଣି ଅଧିକାରୀ ମନୋହର ମହନ୍ତ ସାମିଲ ଥିଲେ।