ତହସିଲଦାରଙ୍କୁ ବିଶ୍ୱା‌ସକୁ ନେଲେନି ଜିଲ୍ଲାପାଳ, ବାଲି ସୈରାତ ଉପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତର୍କିତ ଚଢ଼ଉ

ଜଳେଶ୍ବର: ବସ୍ତା ତହସିଲ ବେଣାପୁରା-୨ ବାଲି ସୈରାତ ଉପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତର୍କିତ ଚଢ଼ଉ କରାଯିବା ଓ ଚଢ଼ଉ ସମୟରେ ବସ୍ତା ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଅନ୍ଧାରରେ ରଖାଯିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବସ୍ତା ତହସିଲର କୌଣସି କର୍ମଚାରୀ ଏହି ଚଢ଼ଉ ସମ୍ପର୍କରେ ବିନ୍ଦୁବିସର୍ଗ ସୂଚନା ପାଇନଥିବାବେଳେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସଦର ଓ ରେମୁଣା ଅତିରିକ୍ତ ତହସିଲଦାରଙ୍କୁ ଭରସା କରି ଚଢ଼ଉ ଦାୟିତ୍ବ ଦେଇଥିଲେ ବୋଲି ସୂଚନା ମିଳିଛି।
ଚଢ଼ଉ ସମ୍ପର୍କରେ ଗତ ସପ୍ତାହରେ ନିଜେ ଜିଲ୍ଲାପାଳ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏପରିକି ଚଢ଼ଉ ସମୟରେ ଘଟଣାସ୍ଥଳର ତଥ୍ୟ ଏହି ଟିମ୍ ନିକଟରୁ ଜିଲ୍ଲାପାଳ ଫୋନରେ ବାରମ୍ବାର ପଚାରି ବୁଝୁଥିଲେ। ବେଣାପୁରା-୨ ବାଲି ସୈରାତରେ ବର୍ଷ ବର୍ଷ ଧରି ବେଆଇନ ବାଲି ଉତ୍ତୋଳନ ଚାଲିଥିଲେ ମଧ୍ୟ ବସ୍ତା ତହସିଲଦାରଙ୍କ କାର୍ଯ୍ୟାଳୟ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ବାଲି ସୈରାତରୁ ଦିନରାତି ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିଲା। ତେବେ ଗତ ସପ୍ତାହରେ କେହି ଜଣେ ରାତିରେ ବାଲି ଉତ୍ତୋଳନର ଚିତ୍ର ଜିପିଏସ୍‌ ମାଧ୍ୟମରେ ଉତ୍ତୋଳନ କରି ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲା। ଚିତ୍ର ଦେଖିବା ପରେ ବାଲି ଉତ୍ତୋଳନ ସଂପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲାପାଳ ଜଣେ ଅଧିକାରୀଙ୍କୁ ରାତିରେ ପଠାଇଥିଲେ। ସଂପୃକ୍ତ ଅଧିକାରୀ ଜଣକ ରାତିରେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ ହେଉଥିବା ଆଖିରେ ଦେଖି ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ପରେ ଜିଲ୍ଲାପାଳ ବାଲି ଖାଦାନରେ ଚଢ଼ଉ ପାଇଁ ଯୋଜନା କରିଥିବା କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରୁଥିବା ତହସିଲ ଅଫିସକୁ ଯଦି ନିଜେ ଜିଲ୍ଲାପାଳ ବିଶ୍ବାସକୁ ନେଉନାହାନ୍ତି ତେବେ ସାଧାରଣ ଲୋକେ ତହସିଲରୁ କିପରି ନ୍ୟାୟ ପାଉଥିବେ; ତାହା ସହଜରେ ଅନୁମେୟ।

ଲଘୁ ଖଣିଜ ଚୋରାଚାଲାଣରେ ଲିପ୍ତ ମାଫିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ତେବେ ଯେଉଁ ବାଲି ସୈରାତରୁ ଜେସିବି ଓ ଡମ୍ପର ଜବତ ହୋଇଛି, ସେହି ସ୍ଥାନରୁ କେତେ ପରିମାଣରେ ବାଲି ଉତ୍ତୋଳନ ହୋଇଛି ତାର ଆକଳନ କରାଯିବାକୁ ଦାବି ହୋଇଛି। ଯଦି ଅଧିକ ବାଲି ଉତ୍ତୋଳନ ହୋଇଥିବ ତେବେ ସେ ସଂକ୍ରାନ୍ତରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର