ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପଛପଟେ ତଥା ଖୋର୍ଦ୍ଧା-ନୟାଗଡ଼ ମୁଖ୍ୟ ସଡ଼କର ପୁରୁଣା ବସ୍ଷ୍ଟାଣ୍ଡ ଠାରେ ଥିବା ଏକ ଷ୍ଟେସନାରୀ ଦୋକାନରେ ଶୁକ୍ରବାର କଟକ ସ୍ବତନ୍ତ୍ର ଗୁଇନ୍ଦା ସ୍କ୍ବାଡ୍ ଦ୍ବାରା ଚଢ଼ଉ କରାଯାଇଛି। ଚଢ଼ଉରେ ପ୍ରାୟ ୫ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଛି। ଜବତ ହୋଇଥିବା ମଦରେ ଉଭୟ ନକଲି ଓ ଅସଲି ମଦ ଥିବା ଜଣାଯାଇଛି। କଟକ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ କୁମାର ପ୍ରହରାଜ ଚଢ଼ଉ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗତ କିଛି ଦିନ ଧରି ଖୋର୍ଦ୍ଧାରେ ବେଆଇନ ବିଦେଶୀ ମଦ ଓ ନକଲି ବିଦେଶୀ ମଦ କାରବାର ସମ୍ପର୍କରେ ସତର୍କ ଦୃଷ୍ଟି ରଖାଯାଇଥିଲା। ନିର୍ଦ୍ଧାରିତ ଦୋକାନରେ ଚଢ଼ଉ କରାଯାଇଥିଲା। ଏଥିରେ ୩୨ଲିଟର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ, ୫୦ ଲିଟର ବିୟର, ୭୦ ଲିଟର ବିଦେଶୀ ମଦ ମୋଟ ୯୫୮ଟି ବୋତଲ ଜବତ କରାଯାଇଛି।
୨୦୧୯-୨୦୨୧, ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ ଖୋର୍ଦ୍ଧା-ନୟାଗଡ଼ ମୁଖ୍ୟ ସଡ଼କର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ମା’ ବାସେଳୀ ଷ୍ଟେସନାରୀ ଦୋକାନ ସମେତ, ଏକାଧିକ ପାନ ଦୋକାନରେ କ୍ରମାଗତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଦେଶୀ-ବିଦେଶୀ ମଦ, ଗଂଜେଇ ଆଦି ଜବତ କରିଥିଲା। ଫଳରେ ଖୋର୍ଦ୍ଧା ଟାଉନ ଥାନା ପଛ ପଟରେ ଚାଲିଥିବା ବେଧଡ଼କ ବେଆଇନ ନିଶା କାରବାର କିଛି ମାତ୍ରାରେ ନିୟନ୍ତ୍ରଣ ହୋଇଥିଲା। ବର୍ତମାନ ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୁଲିସର ନିରବତାର ସୁଯୋଗରେ ପୁଣି ଥରେ ଏହି କାରବାର ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଓ ସହରର ବୁଦ୍ଧିଜୀବୀ ଅନେକ ଥର ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା। ଆଜି ସକାଳେ କଟକ ଅବକାରୀ ମୁଖ୍ୟାଳୟର ଏକ ସ୍ବତନ୍ତ୍ର ଗୁଇନ୍ଦା ସ୍କ୍ବାଡ୍ ପକ୍ଷରୁ ଚଢ଼ଉ କରାଯାଇ ମା’ ବାସେଳୀ ଷ୍ଟେସନାରୀ ଷ୍ଟୋରରୁ ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି।