ଟିଟୋ ପେଟ୍ରୋଲ ପମ୍ପ୍‌ରେ ଚଢ଼ଉ

ସିଲ୍ ଭାଙ୍ଗି ସିବିଆଇର ଛାନ୍‌ଭିନ୍, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ୍‌ ଅଲ୍ଲୀର ପତ୍ନୀ ନାମରେ କେନ୍ଦ୍ରାପଡାରେ ଥିବା ସୟଦ୍‌ ବ୍ରଦର୍ସ ଫିଲିଂ ଷ୍ଟେସନ୍‌ରେ ଆଜି ସିବିଆଇ ଚଢ଼ଉ କରିଛି। ଭୁବନେଶ୍ବର ସିବିଆଇ ଶାଖାର ଏକ ୬ ଜଣିଆ ଟିମ୍‌ ଆଜି ଘଣ୍ଟାଏ କାଳ ପେଟ୍ରୋଲ ପମ୍ପ ଅଫିସ ଭିତରେ ରହି ରେକର୍ଡପତ୍ର ଯାଞ୍ଚ କରିବା ସହ ସେଠାରୁ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିଟୋ ସଂକ୍ରାନ୍ତରେ ତଦନ୍ତ କରୁଥିବା ବେଳେ ଏହି ପେଟ୍ରୋଲ ପମ୍ପକୁ ୨୦୧୮, ଅଗଷ୍ଟରେ ସିଲ କରି ରଖିଥିଲା। ମିଳିଥିବା ସୂଚନା ଅନୁସାରେ, ସ୍ବତନ୍ତ୍ର ଟାସ୍କ ଫୋର୍ସର ଡିଏସ୍‌ପି ତପନ କୁମାର ମହାନ୍ତି ଓ ରାମଚନ୍ଦ୍ର ଥମ୍ବଙ୍କ ଉପସ୍ଥିତିରେ ଆଜି ପେଟ୍ରୋଲ ପମ୍ପ୍‌ ସିଲ ଖୋଲା ଯାଇଥିଲା। ସିବିଆଇ ଇନ୍ସପେକ୍ଟର ସତ୍ୟନାରାୟଣ ଚିନ୍ମମ୍‌ ଓ ଇନ୍ସପେକ୍ଟର ସରୋଜ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏହି ଟିମ୍‌ ପେଟ୍ରୋଲ ପମ୍ପ୍‌ ଭିତରେ ଛାନ୍‌ଭିନ କରିଥିଲେ। ଗୋଟିଏ ପରେ ଗୋଟିଏ ୩ଟି କୋଠରୀ ଖୋଲି ଭିତରେ ରେକର୍ଡପତ୍ର ଘାଣ୍ଟି ଥିଲେ। ସେଠାରୁ ଜବତ କରାଯାଇଥିବା ଦସ୍ତାବିଜ୍‌ ସମ୍ପର୍କରେ ସିବିଆଇ ଅଧିକାରୀ କୌଣସି ସୂଚନା ଦେବାକୁ ମନା କରି ଦେଇଥିବା ବେଳେ ପମ୍ପ୍‌ ମାଲିକାନା ଓ କାରବାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଥିବା ସୂଚନା ମିଳିଛି। ଏହି ରେକର୍ଡ ପତ୍ରରେ ପେଟ୍ରୋଲ ପମ୍ପ୍‌ ଟିଟୋର ପତ୍ନୀ ବେନଜିର ବିବିଙ୍କ ନାମରେ ଥିବାରୁ ଗତ ୨୯ ତାରିଖରେ ସିବିଆଇ ଟିମ୍‌ ଟିଟୋର ଦିଲାରପୁରସ୍ଥିତ ବାସଭବନରେ ଚଢ଼ଉ କରି ପେଟ୍ରୋଲ ପମ୍ପ୍‌ ମାଲିକାନା ସମ୍ପର୍କିତ ଦସ୍ତାବିଜ୍‌ ସମ୍ପର୍କରେ ଖୋଳତାଡ଼ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଟିଟୋର ପରୋକ୍ଷ ମାଲିକାନାରେ ଥିବା କେନ୍ଦ୍ରାପଡ଼ାର ସୟଦ୍‌ ବ୍ରଦର୍ସ ଫିଲିଙ୍ଗ୍‌‌େଷ୍ଟସନ୍‌ ଓ ପାରାଦୀପର ‘ପୋକୋ’ ପେଟ୍ରୋଲ ପମ୍ପ୍‌କୁ ସେ କିପରି ହାତେଇଥିଲା ସେ ସଂପର୍କରେ ଆରମ୍ଭରୁ ତଦନ୍ତ ହୋଇଥିଲା। କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କଫୋର୍ସ ଏହାର ତଦନ୍ତ କରିଥିଲା ବେଳେ ଆଇଓସିଏଲ୍‌ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲା। ଏଥରକୁ ମିଶାଇ ସିବିଆଇ ଟିମ୍‌ କେନ୍ଦ୍ରାପଡ଼ାକୁ ୩ ଥର ଆସି ପେଟ୍ରୋଲ ପମ୍ପ୍‌ ହାତେଇଥିବା ସମ୍ପର୍କରେ ଛାନଭିନ କରିଛି। ବେନଜିର ବିବିଙ୍କ ନାମରେ ଦୁଇଟି ମାମଲା ବିଚାରାଧୀନ ଥିବା ବେଳେ ଏହି ପେଟ୍ରୋଲ ପମ୍ପ୍‌କୁ କେଉଁ ଅଧିକାରୀ ଏନ୍‌ଓସି ଦେଇଥିଲେ ଓ ଅନ୍ୟ କେଉଁ ରାଜନେତାଙ୍କ ହାତ ଥିଲା କି ନା ସେ ନେଇ ମଧୢ ତଥ୍ୟ ସ˚ଗ୍ରହ କରୁଛି ସିବିଆଇ। କେଉଁ ଆଧାରରେ ଟିଟୋକୁ ରାଜସ୍ବ ବିଭାଗ, ପୌର କର୍ତୃପକ୍ଷ, ଯୋଗାଣ ଓ ଅଗ୍ନିଶମ ବିଭାଗ ଏପରିକି ପୁଲିସ୍‌ ଉଚ୍ଚ କର୍ତୃପକ୍ଷ ପେଟ୍ରୋଲ ପମ୍ପ୍‌ ଖୋଲିବାକୁ ଅନୁମତି ଦେଇଥିଲେ ସେ ସମ୍ପର୍କରେ ପ୍ରମାଣପତ୍ର ଯୋଗାଡ଼ କରାଯାଉଛି। ଟିଟୋ ବିରୋଧରେ ଏସ୍‌ଟିଏଫ୍‌ ପକ୍ଷରୁ (କେସ୍‌ ନ˚ ୮) ଆଇପିସି ୧୨୦(ଖ), ୪୨୦, ୪୬୮, ୪୭୧, ଦୁନୀର୍ତି ନିବାରଣ ଆଇନ୍‌ ୧୯୮୮ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ସ୍ବତନ୍ତ୍ର ଟାସ୍କଫୋର୍ସ ମଧୢ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌, ଯୋଗାଣ ବିଭାଗ, ନିବନ୍ଧକଙ୍କ ଅଫିସ୍‌, ଅଗ୍ନିଶମ ବିଭାଗ ଓ ପୁଲିସ୍‌ କର୍ତୃପକ୍ଷଙ୍କ ଠାରୁ ଏ ବାବଦରେ ଦସ୍ତାବିଜ୍‌ ସ˚ଗ୍ରହ କରିବା ସହ ପେଟ୍ରୋଲ ପମ୍ପ୍‌ ସିଲ କରିଥିଲେ। ଆଜି ସିବିଆଇ ପେଟ୍ରୋଲ ପମ୍ପ ଭିତରେ ଛାନଭିନ କରି ସାରିବା ପରେ ଏସ୍‌ଟିଏଫ୍‌ର ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ପୁଣି ପେଟ୍ରୋଲ ପମ୍ପ୍‌କୁ ସିଲ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର