ଚିଲ୍ଲିଗୁଡା ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଟାଉନ ଥାନାର ଦ୍ଵାରସ୍ଥ ହେଲେ ରେଞ୍ଜର 

ଜୟପୁର: ଚିଲ୍ଲିଗୁଡା ବେଆଇନ କାଠ ଓ ବେଆଇନ ମଦ ତିଆରିର ମୁଖ୍ୟ ଅଭିଯୁକ୍ତ ଖସି ପଳାଇବା ଘଟଣାକୁ ୨୪ ଘଣ୍ଟା ବିତିଛି। ଆଜି ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଜୟପୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ। କିପରି ଅଭିଯୁକ୍ତ ମହେନ୍ଦ୍ର ସାହୁ ଓ ତାଙ୍କ ଭାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହି ଠାରେ ବନ ବିଭାଗର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ସାମନ୍ତରାୟ ଓ ତାଙ୍କର ୧୦ରୁ ଅଧିକ କର୍ମଚାରୀ ରହିଥିବାବେଳେ କିପରି ଉକ୍ତ ଦୁଇ ଜଣ ଖସି ପଳାଇଲେ ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ରେଞ୍ଜରଙ୍କର ଅଭିଯୋଗ ପାଇବା ପରେ ଜୟପୁର ଟାଉନ ଥାନା ୧୭୯/୨୦ରେ ଏକ ମାମଲା ରୁଜୁ କରିଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଛି। ତେବେ ଏହି ଅଭିଯୁକ୍ତ ଖସି ଯାଇଛନ୍ତି ନା ତାଙ୍କୁ ଖସାଇ ଦିଆଯାଇଛି ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ ହୋଇଯାଇଛି।

ଗତକାଲି ସ୍ଥାନୀୟ ଜୟନଗର ସ୍ଥିତି ଚିଲ୍ଲିଗୁଡା ଠାରେ ବନବିଭାଗ ଓ ପୁଲିସର ମିଳିତ ଚଢାଉ ଚାଲିଥିଲା। ଏହି ସମୟରେ ବିପୁଳ ପରିମାଣର ଚୋରା କାଠ ଓ ନକଲି ମଦ ଜବତ ହୋଇଥିଲା। କିନ୍ତୁ ପୁଲିସ ଓ ବନ ବିଭାଗର ଅଧୀନରୁ ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ସାହୁ ଓ ତାଙ୍କ ଭାଇ ଖସି ପଳାଇଥିବାବେଳେ ମହେନ୍ଦ୍ରଙ୍କ ସ୍ତ୍ରୀ ସୁଲୋଚନା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ତେବେ ଆଜି ବନବିଭାଗ ଅଭିଯୁକ୍ତ ଫେରାର ହୋଇଥିବା ନେଇ ଥାନାରେ ଏକ ମାମଲା ଦେଇ ପୁଲିସ ହାତକୁ ଠେଲି ଦେଇଛି। ଗତକାଲି ଜବତ ହେବା ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିବା ଘଟଣା ପ୍ରକାଶ ହେବା ପରେ ସମସ୍ତେ ବନବିଭାଗ କର୍ମଚାରୀଙ୍କୁ ଦାୟୀ ଦେଇଥିଲେ। ଏପରିକି ଜାଣିଶୁଣି ବନବିଭାଗ କର୍ମଚାରୀ ଅଭିଯୁକ୍ତଙ୍କୁ ଛାଡିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ପରେ ବନ ବିଭାଗ କର୍ମଚାରୀ ଆଜି ଓଲଟା ଟାଉନଥାନାରେ ସନ୍ଧାନ କରୁଥିବା ସମୟରେ ବାଥରୁମ ଯାଇ ଆସୁଛି କହି ଘଟଣା ସ୍ଥଳରୁ ଚମ୍ପଟ ମାରିଦେଇଛନ୍ତି ବୋଲି ଆଜି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଜୟପୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁଙ୍କ କହିବାନୁଯାୟୀ ଗତକାଲି ଆମେ ଯେତେବେଳେ ଚିଲିଗୁଡା ଅଞ୍ଚଳର ମହେନ୍ଦ୍ର ସ୍ୱାଇଁଙ୍କ ଘରେ ବିନା ରସିଦରେ ଘର ବ୍ୟବହାର ନିମନ୍ତେ ଟିକ ପଟା ରହିଛି ବୋଲି ଜାଣିବାକୁ ପାଇଲୁ ଆମେ ମହେନ୍ଦ୍ରଙ୍କ ଘରେ ଚଢାଉ କରିଥିଲୁ। ଚଢାଉ ସମୟରେ ତାଙ୍କ ପଡୋଶୀ ଅର୍ଥାତ ଭଡା ଦେଇ ରଖିଥିବା ଘରେ ଚଢାଉ କରିବା ସମୟରେ ସେଠାରେ ନକଲି ମଦ ତିଆର କରୁଥିବା ଦେଖିଥିଲୁ। ସେଠାରୁ ଟାଉନଥାନାକୁ ଖବର ଦେବା ପରେ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଘଟଣା ସ୍ଥଳରେ ପହଁଚିଥିଲେଯ ଦୁଇଟି ଘର ତଲାସ କରୁଥିବା ସମୟରେ ଅଭିଯୁକ୍ତ ମହେନ୍ଦ୍ର ବାଥ ରୁମ ଯାଇ ଆସୁଛି କହି ବାରିପଟ କାନ୍ଥ ଡେଇଁ ଚମ୍ପଟ ମାରିଦେଇଥିଲେ। ଗତକାଲି ଏସଡିପିଓ ଅଭିଯୁକ୍ତଙ୍କ ସ୍ତ୍ରୀ ସୁଲୋଚନା ସ୍ୱାଇଁଙ୍କୁ ଅଭିଯୁକ୍ତଙ୍କ ବିଷୟରେ ପଚରା ଉଚୁରା କରିବା ସହ ସୁଲୋଚନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର